cyber-lootera
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ସାଇବର୍ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ବଡ଼ ସାଇବର୍ ଠକେଇର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ୍। ମୋବାଇଲ୍ ଟାୱାର ବସାଇବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୩୯ ଲକ୍ଷ ଟଙ୍କା ଠକିଥିଲେ। ସେଥି ମଧ୍ୟରୁ ୨୫ ଲକ୍ଷ ଟଙ୍କା ଫେରିପାଇବାରେ ସଫଳ ହୋଇଥିବା ସୂଚନା ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
କମିଶନର କହିଛନ୍ତି, ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ ହୋଇଥିଲା। ଜମିରେ ମୋବାଇଲ ଟାୱାର ବସାଇବାକୁ କହି ଲୋଭ ଦେଖାଯାଇଥିଲା। ଲୋଭନୀୟ ଅଫର ଦେଖାଇ ତାଙ୍କ ଠାରୁ ୩୯ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ। ଜଗତପୁର ଥାନାରେ ଏତଲା ପରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ ତଦନ୍ତ କରି ଠକେଇର ମୂଳ ଚେର କୋଲକାତାରେ ଲମ୍ବିଥିବା ଜାଣିବାକୁ ପାଇଥିଲା। ଯାହା ପରେ ଅଭୟ ତିୱାରୀ ନାମକ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିଲା।
କମିଶନର ଆହୁରି କହିଛନ୍ତି, ଆମ ପୁଲିସ ତଦନ୍ତ କରି ଦୁଇ ସହଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା ପରେ ଟଙ୍କା ଉଦ୍ଧାର କରାଯାଇଛି। ସେମାନଙ୍କ ଠାରୁ ମୋଟ ୨୫ ଲକ୍ଷ ୭୦ ହଜାର ୩ଶହ ଟଙ୍କା ଉଦ୍ଧାର ହୋଇଥିବା ସିପି କହିଛନ୍ତି। ଉକ୍ତ ଉଦ୍ଧାର ଟଙ୍କାକୁ ଠକେଇର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠା ଯାଇଛି। ଆବଶ୍ୟକ ହେଲେ ଅଭୟ ତିୱାରୀକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କମିଶନର।
ସୂଚନାଯୋଗ୍ୟ, ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ୱରର ଦିଲ୍ଲୀପ ସାହୁ, ଯିଏ କଟକ ଜଗତପୁରରେ ରୁହନ୍ତି। ବିଭିନ୍ନ ନମ୍ବରରୁ ଫୋନ ଏବଂ ମେଲ୍ କରି ଅଭିଯୁକ୍ତ ମାନେ ତାଙ୍କ ଠାରୁ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଏମିତି କି ଟାୱାର ବସାଇବା ସହ ମାସକୁ ୨୦ ହଜାର ଟଙ୍କା, ପରିବାରରୁ ଜଣଙ୍କୁ ଚାକିରୀ, ଜମି ବାବଦରେ ୨୦ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲା ଅଭିଯୁକ୍ତ। ଏ ସବୁ ପ୍ଲାନ୍ କୋଲକାତାରେ ହୋଇଥିଲା।
ମୁଖ୍ୟ ଅଭିଯୁକ୍ତ ଅଭୟ ତିୱାରୀ ଜେଲରେ ରହି ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ଆଉ ତାର ଏହି ସାଇବର ଠକେଇ ନେଟୱର୍କକୁ ଚଲାଇଥିଲେ ଅଭୟର ଶଳା ଅନିମେଶ ଓ ସଡୁ ଅଙ୍କିତ। କୋଲକାତାରେ ୮ଟି ଅଫିସ ସହ ୨୫୦ ଜଣ କର୍ମଚାରୀଙ୍କୁ ନେଇ ଚାଲିଥିଲା ଏହି ଠକ ନେଟୱର୍କ। ତେବେ ଅଭିଯୁକ୍ତମାନେ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ଠକେଇ କରିଥିବା ତଦନ୍ତରୁ ଜଣା ପଡିଥିବା ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ଫର୍ଟୁନର କାର୍, ୧୫ଟି ପାସବୁକ୍, ସିମ୍ କାର୍ଡ, ଏକାଧିକ ଚେକ୍ ବୁକ୍, ୨ଟି ଲ୍ୟାପଟପ୍, ୪ଟି ଫୋନ ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/cyber-lootera.jpg)