Advertisment

ଠିକ୍‌ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ, ସତ୍କାର ପରେ ଜଣା ପଡ଼ିଲା ସତ

ଦୀର୍ଘ ଦିନ ହେବ ମୁମ୍ବାଇର ଏକ ଘରୋଇ ମୋଟର ଶୋ’ ରୁମରେ ବିଳାସ କାମ କରୁଥିଲେ। କିଛି ଦିନ ତଳେ ସେ ହଠାତ ଅସୁସ୍ଥ ହୋଇ ଆଖି ବୁଜିଥିଲେ ।

Deadbody Exchanged

Deadbody Exchanged

Advertisment

ଅଜାଣତରେ ଅଦଳବଦଳ ହୋଇଗଲା ମୃତଦେହ । ଠିକ୍‌ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ । ପରିବାର ଲୋକେ ବି ଟେର ପାଇପାରିଲେନି। ଯାହାକୁ ନିଜ ଭାବି କାନ୍ଦ ବୋବାଳି କରି ସତ୍କାର କଲେ, ସେ ପ୍ରକୃତରେ ନିଜର ନ ଥିଲା। ଶ୍ମଶାନରେ ଥରେ ଶବ ସତ୍କାର କରି ସାରିଥିବା ପରିବାର ଲୋକେ ଏବେ ପୁଣି ନିଜ ଆତ୍ମୀୟଙ୍କ ମୃତଦେହକୁ ଅପେକ୍ଷା କରି ବସିଛନ୍ତି। ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନେମାଳ ଥାନା କୁଆଁସାଳରେ ଘଟି ଯାଇଛି। ମୃତକ ହେଲେ ବିଳାସ ଭୂୟାଁ।

Advertisment

ବିଳାସଙ୍କ ମୃତଦେହ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ମୃତଦେହ ସହ ଅଦଳବଦଳ ହୋଇଥିବା ଜଣାଯାଇଛି। ରାଜସ୍ଥାନକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଆଜି କୁଆଁସାଳରେ ପହଞ୍ଚି ବିଳାସଙ୍କ ମୃତଦେହ ହସ୍ତାନ୍ତର କରି ନିଜ ଆତ୍ମୀୟଙ୍କ ଚିତାଭସ୍ମ ନେଇ ଫେରିବେ। ଫଳରେ ଥରେ ନିଜର ଭାବି ଶବଦାହ କରି ସାରିଥିବା ପରିବାର ଲୋକେ ପୁଣି ଥରେ ବିଳାସଙ୍କ ମୃତଦେହକୁ ସତ୍କାର କରିବେ।

ଦୀର୍ଘ ଦିନ ହେବ ମୁମ୍ବାଇର ଏକ ଘରୋଇ ମୋଟର ଶୋ’ ରୁମରେ ବିଳାସ କାମ କରୁଥିଲେ। କିଛି ଦିନ ତଳେ ସେ ହଠାତ ଅସୁସ୍ଥ ହୋଇ ଆଖି ବୁଜିଥିଲେ । ପରେ ତାଙ୍କ ମୃତଦେହକୁ କମ୍ପାନୀ ପକ୍ଷରୁ ଏକ ଘରୋଇ କୋରିଅର କମ୍ପାନୀ ଜରିଆରେ ଗତକାଲି ଗାଁକୁ ପଠାଯାଇଥିଲା ।

Advertisment

ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ। ପରିବାର ଲୋକେ ତଥା ସମ୍ପର୍କୀୟ ଜରିରୁ ମୃତଦେହର ମୁହଁ ଦେଖି ତାହା ବିଳାସଙ୍କର ବୋଲି ଭାବି ନେଇଥିଲେ। ମୃତଦେହର ମୁହଁ କଳା ପଡ଼ିଯାଇଥିବା ବେଳେ ମୁଣ୍ଡରେ ଅବିର ମରାଯାଇଥିଲା। ତେଣୁ ତାହା ବିଳାସ ମୃତଦେହ ନୁହେଁ ବୋଲି ପରିବାର ଲୋକଙ୍କର ତିଳେ ମାତ୍ର ସନ୍ଦେହ ହୋଇ ନ ଥିଲା। ଏହାପରେ କାନ୍ଦ ବୋବାଳି ମଧ୍ୟରେ ଗତକାଲି ସନ୍ଧ୍ୟାରେ ମୃତଦେହକୁ ସତ୍କାର କରାଯାଇଥିଲା।

ବିଳାସଙ୍କ ଶବ ସତ୍କାର କରି ସାରିଥିବା ଭାବି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଉକ୍ତ ମୃତଦେହ ବିଳାସଙ୍କର ନୁହେଁ ବୋଲି ନେମାଳ ପୁଲିସ୍‌ ଫୋନ୍‌ କରି ସୂଚନା ଦେଇଥିଲା। ଉକ୍ତ ମୃତଦେହ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କର ବୋଲି ପୁଲିସ୍‌ ସେମାନଙ୍କୁ କହିଥିଲା। ରାଜସ୍ଥାନ ବ୍ୟକ୍ତିଙ୍କ ସହ ବିଳାସଙ୍କ ମୃତଦେହ ଅଦଳବଦଳ ହୋଇ ଯାଇଥିବା ପୁଲିସ୍‌ ସୂଚନା ଦେଇଥିଲା।

ରାଜସ୍ଥାନରୁ ଉକ୍ତ ବ୍ୟକ୍ତିଙ୍କ ପରିବାର ବିଳାସଙ୍କ ମୃତଦେହ ଧରି ଆଜି କୁଆଁସାଳ ଗ୍ରାମକୁ ଆସୁଥିବା ଜଣାଯାଇଛି। ଏହାପରେ ସେମାନେ ବିଳାସଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ନିଜ ଆତ୍ମୀୟଙ୍କ ଚିତାଭସ୍ମ ନେଇ ଫେରିବେ ବୋଲି ସୂଚନା ମିଳିଛି।

ତେବେ ମୃତଦେହ ଅଦଳବଦଳ କରିବା ଘଟଣାରେ ସମ୍ପୃକ୍ତ ଘରୋଇ କୋରିଅର ସଂସ୍ଥାର ଭୁଲ୍‌ ଥିବା ସାଲେପୁର ଏସଡିଓ ବିମଳ ବାରିକ ପ୍ରକାଶ କରିଛନ୍ତି। ହେଲେ ଏ ନେଇ ସମ୍ପୃକ୍ତ କୋରିଅର ଏଜେନ୍ସିର ପ୍ରତିକ୍ରିୟା ମିଳି ପାରିନି। 

ରିପୋର୍ଟ- ସାଲେପୁରରୁ ମନୋଜ ଆଚାର୍ଯ୍ୟ

Cuttack Deadbody Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe