Advertisment

BJD ବନ୍ଧୁମିଳନକୁ ଆସିଲେନି ଦେବାଶିଷ

ବନ୍ଧୁ ମିଳନ ନିମନ୍ତ୍ରଣ କାର୍ଡରେ ମେୟର ସୁବାସ ସିଂହ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ ନାଁ ଥିଲା। ହେଲେ ରାଜ୍ୟସଭା ସାଂସଦ ଏବଂ କଟକ ବିଜେଡିର ପ୍ରମୁଖ ଚେହେରା ଦେବାଶିଷ ସାମନ୍ତରାୟଙ୍କ ନାଁ କାର୍ଡରେ ନଥିଲା।

Debashish Samantray

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ Photograph: (ଫାଇଲ ଫଟୋ)

Advertisment

ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। ଆଜି କଟକ ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ଦଶହରା ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନାହିଁ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ତାଙ୍କ ସମର୍ଥକମାନେ ମଧ୍ୟ ଏଥିରେ ସାମିଲ ହେଲେ ନାହିଁ। 

Advertisment

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସଂତୃପ୍ତ ମିଶ୍ର, ଦେବୀ ମିଶ୍ର, ପ୍ରତାପ ଜେନା, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ମଧୁ ସାହୁ, ଚିନ୍ମୟ ସାହୁ, ଇପସିତା ସାହୁଙ୍କ ଭଳି ବିଜେଡି (BJD) ନେତାଙ୍କ ସହ କଂଗ୍ରେସ ନେତା ସୁରେଶ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ। କିନ୍ତୁ କଟକ ବିଜେଡିର ଅନ୍ୟତମ ବଡ଼ ନେତା ଦେବାଶିଷ ସାମନ୍ତରାୟ ଓ ତାଙ୍କ ସମର୍ଥକଙ୍କର ଦେଖାଦର୍ଶନ ମିଳିଲା ନାହିଁ। ତେବେ ଏହା ଆଦୌ ଅପ୍ରତ୍ୟାଶିତ ନଥିଲା। ଏମିତି କିଛି ଘଟିପାରେ ବୋଲି ସେହିଦିନଠାରୁ ଆଶଙ୍କା କରାଯାଇଥିଲା, ଯେଉଁଦିନଠାରୁ ଏହି କାର୍ଯ୍ୟକ୍ରମ ପାଇଁ ଛପାଯାଇଥିବା ନିମନ୍ତ୍ରଣପତ୍ର ସାମ୍ନାକୁ ଆସିଥିଲା।

ବନ୍ଧୁ ମିଳନ ନିମନ୍ତ୍ରଣ କାର୍ଡରେ ମେୟର ସୁବାସ ସିଂହ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ ନାଁ ଥିଲା। ହେଲେ ରାଜ୍ୟସଭା ସାଂସଦ ଏବଂ କଟକ ବିଜେଡିର ପ୍ରମୁଖ ଚେହେରା ଦେବାଶିଷ ସାମନ୍ତରାୟଙ୍କ ନାଁ କାର୍ଡରେ ନଥିଲା। ଏହାକୁ ନେଇ ସେତେବେଳେ ମେୟର ସୁବାସ ସିଂହ କହିଥିଲେ ଯେ ସେମାନେ ୩ ଜଣ ନିବେଦକ। ଦେବାଶିଷ ବାବୁ ଅତିଥି। ଅତିଥି ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଛି। 

Advertisment

ମେୟର ସୁବାସ ସିଂହ ସିନା ଅତି ସହଜରେ ଏ ଦୁଇ ପଦ କଥା କହି ନେଇଥିଲେ, ହେଲେ ଏହା କାହାରିକୁ ହଜମ ହୋଇନଥିଲା। କିଛି କେଁ ରହିଛି ବୋଲି ଆଶଙ୍କା କରାଯାଉଥିଲା। ଆଉ ତା’ର ଆଧାର ମଧ୍ୟ ରହିଥିଲା। ତାଙ୍କୁ କୋଣଠେସା କରିବା ପାଇଁ ଏହା ଏକ ପ୍ରୟାସ ଥିଲା। କାରଣ ଦେବାଶିଷ ବରାବର ଦଳର କାର୍ଯ୍ୟଧାରା ଓ ଦଳୀୟ ନେତୃତ୍ୱଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇ ଆସୁଛନ୍ତି। ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଭି.କେ ପାଣ୍ଡିଆନଙ୍କୁ ଭୈରବ ବାବୁ କହିଥିଲେ। ସେହିଦିନଠାରୁ ସେ ଦଳୀୟ ନେତୃତ୍ୱଙ୍କ ଟାର୍ଗେଟରେ ରହିଛନ୍ତି। ତା’ପରେ ମଧ୍ୟ ଚୁପ୍ ହୋଇନାହାନ୍ତି ଦେବାଶିଷ। 

ନିକଟର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ନିଲମ୍ବନ କରିଥିଲା। ସେହିପରି ରାୟଗଡ଼ାର ବଡ଼ ନେତା ଭାସ୍କର ରାଓ ଅବହେଳିତ ହୋଇ ରହିଯାଇଥିବା ଅନୁଭବ କରି ଦଳରୁ ଇସ୍ତଫା ଦେଇଥିଲେ। ଜିଲ୍ଲା ବିଜେଡି ସଭାପତି ନିଯୁକ୍ତି ନେଇ ସେ ଅସନ୍ତୁଷ୍ଟ ଥିଲେ। ଦେବାଶିଷ ଖୋଲାଖୋଲି ଭାବେ ଏହି ଦୁଇ ନେତାଙ୍କ ସମର୍ଥନରେ ବାହାରିଥିଲେ।  

ଦେବାଶିଷ କହିଥିଲେ, ପ୍ରଫୁଲ୍ଲ ମଲ୍ଲିକ ଓ ଭାସ୍କର ରାଓଙ୍କ ସହ ଦଳ ଯାହା କରିଛି ତାହା ଠିକ୍ ହୋଇନି । ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି କହିଲେ ଭାସ୍କର ରାଓଙ୍କୁ ବୁଝାଏ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ । ପ୍ରଫୁଲ୍ଲ ହାରିଗଲେ କ’ଣ ହେଲା, ନବୀନ ପଟ୍ଟନାୟକ ତ ପୁଣି କଂଟାବାଞ୍ଜିରେ ହାରି ଯାଇଛନ୍ତି । ଉଭୟ ପ୍ରଫୁଲ୍ଲ ଓ ଭାସ୍କରଙ୍କର ଦଳ ପ୍ରତି ବହୁତ ଅବଦାନ ରହିଛି । କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଆକ୍ସନ ନିଆଗଲା । ପ୍ରଫୁଲ୍ଲଙ୍କୁ ନିନ୍ଦିତ କରି ବୟାନ ଦେଇଥିବା ପ୍ରତାପ ଜେନାଙ୍କର ଜ୍ଞାନ ନାହିଁ । ସେ ପରବର୍ତ୍ତୀ ସମୟରେ ଅନୁତାପ ମଧ୍ୟ କରିଥିବେ ।

ସେହିପରି ଶ୍ରୀମୟୀଙ୍କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ଦେବାଶିଷ ତାଙ୍କ ସମର୍ଥନରେ ଆସିଥିଲେ। ସେ କହିଥିଲେ ଯେ ଦଳ ତାଙ୍କୁ ଅପମାନିତ କରିଛି । ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ କରିବ କହି ଦଳ ବୁଲାଇଲା। ବିଧାୟକମାନଙ୍କୁ ଡାକି ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି ପରିଚିତ କରାଇ ପରେ ତାଙ୍କୁ ଟିକେଟ୍ ଦେଲାନି । ତେଣୁ ଶ୍ରୀମୟୀଙ୍କ କ୍ଷୋଭ ରହିବା ସ୍ୱାଭାବିକ । ସେ ଯାହା ଲେଖୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ବୋଲି ଦେବାଶିଷ କହିଥିଲେ। 

ଆଜି ଦେବାଶିଷଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରାଯିବାରେ ନିଜର ପୂର୍ବ କଥାକୁ ଦୋହରାଇ ମେୟର ସୁବାସ ସିଂହ କହିଥିଲେ, ଦେବାଶିଷ ବାବୁ ଅତିଥି ଥିଲେ। ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ ବାହାରେ ଥିବାରୁ ଆସି ପାରିନାହାନ୍ତି।

ଅନ୍ୟପକ୍ଷରେ କଥା ଛଳରେ କିନ୍ତୁ ପିନ୍‌ ମାରିଥିଲେ ମେୟର ସୁବାସ ସିଂହ । କହିଥିଲେ, କଟକରେ କିଛି ପାୱାର କାମ କରେନି। ପାୱାର ସହ କିଛି ସଂପର୍କ ନାହିଁ । କଟକ ଲେକଙ୍କ ହୃଦୟ ସହ କିଏ ରହୁଛନ୍ତି ଏବଂ ତାଙ୍କ ଭାବାବେଗ ସହ କିଏ ରହୁଛନ୍ତି କଟକ ଲୋକ ତାକୁ ଦେଖନ୍ତି। ବନ୍ଧୁ ମିଳନ ମହତ ଉଦ୍ଦେଶ୍ୟରେ ହୋଇଛି।

ଏଠି ରାଜନୀତିକ ଉଦ୍ଦେଶ୍ୟ ନାହିଁ ବୋଲି କହିଥିଲେ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହ । ତେବେ ପ୍ରଫୁଲ୍ଲଙ୍କୁ ଦେବାଶିଷଙ୍କ କଥା ପଚାରିବାରୁ କଥା ବାଆଁରେଇ ପଳାଇଥିଲେ । ସେହିପରି ଆଜି ମା’ ଦୁର୍ଗାଙ୍କ ନାଁ ନେବା, ରାଜନୀତି ନାଁ ନେବାନି ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର। ତେବେ ଏନେଇ ପ୍ରତିକ୍ରିୟା ନେବାକୁ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନି।  

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe