/odisha-reporter/media/post_attachments/uploads/2021/08/niali.jpg)
niali
ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ ଅଁଳୋ ପଞ୍ଚାୟତ ମହିଳା ସରପଞ୍ଚଙ୍କୁଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଆସିଛି। ବୁଧବାର ଅଁଳୋ ପଞ୍ଚାୟତର କଳିଆଘାଇ ହାଟ ନିଲାମ ବେଳେ ଏଭଳି ଘଟଣା ଘଟିଛି।
କଟକ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଅଜୟ କୁମାର୍ ସ୍ୱାଇଁ ଓ ସହଯୋଗୀଙ୍କ ଆକ୍ରମଣରେ ସରପଞ୍ଚ ସ୍ନିଗ୍ଧା ମହାନ୍ତିଙ୍କ ପୁତୁରା ରକ୍ତାକ୍ତ ହୋଇଛନ୍ତି। ଏପରିକି ସେମାନେ ପଞ୍ଚାୟତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ହାଟ ନିଲାମ ସମୟରେ ସରକାରୀ ଅଧିକାରୀ ଜିପିଓ, ଏସଡିପିଓ, ପିଓଙ୍କ ସମେତ ସରପଞ୍ଚ ଉପସ୍ଥିତ ଥିଲେ। ଘଟଣାକୁ ନେଇ ସରପଞ୍ଚ ନିଆଳି ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।
ସରପଞ୍ଚ ସ୍ନିଗ୍ଧା ମହାନ୍ତି କହିଛନ୍ତି, ପୂର୍ବ ଶତ୍ରୁତାକୁ ଆଧାର କରି ସେମାନେ ଆମ ଉପରକୁ ଆକ୍ରମଣ କରିଛନ୍ତି। ପୂର୍ବରୁ ସେମାନଙ୍କ ରାଗ ମୋ ସ୍ୱାମୀ ଓ ଦେଢ଼ଶୂରଙ୍କ ଉପରେ ଥିଲା। ଯେହେତୁ ମୁଁ ଜଣେ ମହିଳା ସରପଞ୍ଚ ଏବଂ ଆଉ କିଛି ଦିନ ପରେ ମୋର କାର୍ଯ୍ୟକାଳ ଶେଷ ହୋଇଯିବ। ତେଣୁ ଏହାରି ଭିତରେ ମୁଁ ସବୁ କାମ ଶେଷ କରିବାକୁ ଚାହେଁ। ହେଲେ ସେମାନେ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମରେ ବାଧା ସୃଷ୍ଟି କରିବା ପାଇଁ ଏମିତି କାମ କରୁଛନ୍ତି ବୋଲି ସ୍ନିଗ୍ଧା କହିଛନ୍ତି।
ସେ ମଧ୍ୟ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି। ଏହା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ କରୋନାରେ ସରପଞ୍ଚଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
