Advertisment

‘ଆମ ଆଖି ଆଗରେ ଧନେଶ୍ୱରକୁ ପିଟି ପିଟି ମାରିଦେଲେ’

ହାତୀ ମାରିଥିବା ଅଭିଯୋଗ ସ୍ୱୀକାର କରିବାକୁ ବନ କର୍ମଚାରୀ ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିଲେ। ପଶୁ ପରି ନିର୍ଧୂମ ପିଟି ପିଟି ଧନେଶ୍ୱରଙ୍କର ଜୀବନ ନେଇଗଲେ ବୋଲି କହିଛନ୍ତି ଅଟକ ଥିବା ରାଜକିଶୋର ପ୍ରଧାନ ।

author-image
Niharika Rout
ଅଦ୍ୟତନ ହୋଇଛି
Rajkishor & Dhaneswar

Rajkishor & Dhaneswar

‘ଆମ ଆଖି ଆଗରେ ଧନେଶ୍ୱରକୁ ପିଟି ପିଟି ମାରିଦେଲେ। ଆମ ଆଗରେ ଛଟପଟ ହୋଇ ତା’ ଜୀବନ ଚାଲିଗଲା। ବଡମ୍ବା ରେଞ୍ଜର, ଏସିଏଫ, ଡିଏଫଓ, ଫରେଷ୍ଟର, ଗାର୍ଡ ସମସ୍ତେ ଗୁଡ଼ାଇତୁଡ଼ାଇ ତାକୁ ଠେଙ୍ଗାରେ ପିଟିଲେ। ବୁଟ୍‌ରେ ତା’ ଉପରେ ଚଢ଼ି କଲବଲ କରି ତା’ ଜୀବନ ନେଇଗଲେ। ଛାଡ଼ିଦେବାକୁ ସେ ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିଲେନି। ’ ବନ ବିଭାଗ ହେପାଜତରେ ଆଠଗଡ଼ ଥାନା ବଡ଼ମ୍ବା ରେଞ୍ଜ୍ ଅନ୍ତର୍ଗତ ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କର ମୃତ୍ୟୁକୁ ନେଇ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରାଜକିଶୋର ପ୍ରଧାନ ନାମକ ବ୍ୟକ୍ତି। ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ରାଜକିଶୋର ପ୍ରଧାନଙ୍କୁ ମଧ୍ୟ ଉଠାଇ ନେଇଥିବା ବେଳେ ମୁକୁଳିବା ପରେ ସେ ଏପରି ଲୋମଟାଙ୍କୁରା ଖୁଲାସା କରିଛନ୍ତି।

Advertisment

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମ୍ବା ଅଞ୍ଚଳରେ ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ସମୁଦାୟ ୪ ଜଣଙ୍କୁ ଉଠାଇ ନେଇଥିଲା। ସେମାନେ ହେଲେ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧାନ, ବିରଞ୍ଜି ଜାନି ଓ ରାଜୀବ ସ୍ୱାଇଁ । ହାତୀ ମାରିଥିବା ଅଭିଯୋଗ ସ୍ୱୀକାର କରିବାକୁ ବନ କର୍ମଚାରୀ ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିଲେ। ପଶୁ ପରି ନିର୍ଧୂମ ପିଟି ପିଟି ଧନେଶ୍ୱରଙ୍କର ଜୀବନ ନେଇଗଲେ। 

ଗତକାଲି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଟକ ଅନ୍ୟ ୩ ଜଣଙ୍କୁ ବନ ବିଭାଗ ଛାଡ଼ିଥିବା ବେଳେ କାଲି ରାତିରେ ବାହାରକୁ ଆସିବା ପରେ ସେ କାଳ ରାତିର ଅନୁଭୂତି ବଖାଣିଛନ୍ତି ରାଜକିଶୋର ପ୍ରଧାନ ।

Advertisment

ରାଜକିଶୋରଙ୍କ କହିବା ମୁତାବକ, ମୁଁ ରବିବାର ସକାଳେ ଘରେ ରୋଷେଇ କରୁଥିଲି, ହଠାତ୍‌ ଆସି ମୋତେ ଟେକିନେଲେ। ତଣ୍ଟି ଚିପି ମୋତେ ଗାଡ଼ିରେ ପକାଇ ନେଇଗଲେ। ହରିଡ଼ାପଶି ଜଙ୍ଗଲରେ ଥିବା ବିଟ୍‌କୁ ନେଇ ଠେଙ୍ଗାରେ ପିଟିବା ସହ ବୁଟ୍‌ରେ ମୁହଁକୁ ମାରିଲେ। ଚିତ୍କାର କଲେ ବି କେହି ଶୁଣିଲେନି। ହାତ ଫାଟିଗଲା ପରେ ବି ହାତକୁ ବୁଟ୍‌ରେ କୁଦିଲେ । ନିର୍ଯାତନା ସହି ନ ପାରି ମୁଁ ଅଚେତ ହୋଇ ପଡ଼ିଲି। ମୁହଁରେ ପାଣି ମାରି ଖୁଣ୍ଟୁଣୀ ଜଙ୍ଗଲକୁ ନେଇ ପଳାଇଲେ।

ଏହାପରେ ଧନେଶ୍ୱର ପିଠାବଣାରେ ନିଜ ଝିଅ ଘରକୁ ଯାଇଥିବା ବେଳେ ସେଠାରୁ ତାକୁ ଉଠାଇ ନେଇ ତାକୁ ବାଡେଇ ଦରମରା କଲେ। ଆମ ଆଖି ଆଗରେ ବଡମ୍ବା ରେଞ୍ଜର, ଏସିଏଫ, ଡିଏଫଓ, ଗାର୍ଡ ତାକୁ ଠେଙ୍ଗାରେ ଗୋରୁଗାଇ ପରି ପିଟିଲେ।  ଆମ ଆଖି ଆଗରେ ତାକୁ ପିଟି ପିଟି ମାରିଦେଲେ। ଏହାପରେ ତାକୁ ପକାଇ ଦେଇ ଆମକୁ ନେଇ ତା’ ଘରକୁ ରେଡ କରିବାକୁ ଗଲେ । ତା’ ଘରେ କିଛି କହିଲେ ଆମକୁ ବି ମାରିଦେବାକୁ ଧମକ ଦେଲେ। ତେଣୁ ସେ ମରିଛି ବୋଲି ବି ଆମେ ତା’ ଘରେ କହିପାରିଲୁନି। ତା’ ଘରୁ କିଛି ନ ବାହାରିବାରୁ ଆମକୁ ଧରି ପଳାଇ ଆସିଲେ।

ଏହାପରେ ଧନେଶ୍ୱରକୁ ତିଗିରିଆ ମେଡିକାଲ ନେଇଗଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିବାରୁ ବନ କର୍ମଚାରୀ ମୃତଦେହ ଛାଡ଼ିକି ପଳେଇଲେ। ପୁଲିସ୍‌ ଖବର ପାଇ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବନ କର୍ମଚାରୀଙ୍କୁ ଅଟକ ରଖି ପଚାରାଉଚରା କରୁଛି।

ବନ ବିଭାଗ ଅଧିକାରୀଙ୍କ ଥାର୍ଡ ଡିଗ୍ରୀ ଯୋଗୁ ରାଜକିଶୋରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବିରଞ୍ଚି ନାମକ ବ୍ୟକ୍ତିଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି।  

ଧନେଶ୍ୱର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ତାତିଲେ। ଗତକାଲି ଶହ ଶହ ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବାଣପୁର ବିଟ୍ ହାଉସକୁ ଯାଇ ସେଠାରେ ଭଙ୍ଗାରୁଜା କରିବା ସହ ଘରେ ନିଆଁ ଲଗାଇ ଦେଇଥିଲେ। ଏପଟେ ଆଉ କିଛି ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଓ ଦାୟୀ ବନ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବଡ଼ ବାରାସିଂହା ଛକଠାରେ ୬୫ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ବନ୍ଦ କରି ରଖିଲେ। ସ୍ଥାନୀୟ ପ୍ରଶାସନ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରରୁ ଜଣକୁ ଚାକିରି ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିବା ସହ ଲୋକଙ୍କ ରାଗ ପ୍ରଶମିତ ହୋଇଥିଲା। 

ଏହି ଘଟଣାରେ ଏଯାବତ ୧୪ ଜଣ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଅଟକ ରହିଥିବା ଜଣାଯାଇଛି।  ଅଭିଯୁକ୍ତ ଡିଏଫଓ, ରେଞ୍ଜର, ଏସିଏଫଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ଗତକାଲି ଏହି ଅଧିକାରୀମାନଙ୍କୁ ଆଠଗଡ଼ ଥାନାରେ ମାରାଥନ ଜେରା କରାଯାଇଥିଲା। ବନ କର୍ମଚାରୀ ସବୁ ଏବେ ଥାନାରେ ଅଟକ ଥିବାରୁ ଆଠଗଡ଼ ବନ ବିଭାଗ କାର୍ଯ୍ୟାଳୟ ଖାଁ ଖାଁ ରହିଛି। 

Cuttack Odisha Forest Dept Custodial Death