Advertisment

ମାଟ୍ରିକ ରେଜଲ୍ଟ: ଛାତ୍ରୀ ଆଗୁଆ, ୩,୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ

ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ ମାଲକାନଗିରି ସବୁଠୁ ତଳେ ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Students

Students

ଆଜି ପୂର୍ବାହ୍ନ ୧୦ଟାରେ ମାଟ୍ରିକ ରେଜଲ୍ଟ ବାହାରିଥିବା ବେଳେ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ ମାଲକାନଗିରି ସବୁଠୁ ତଳେ ରହିଛି।

Advertisment

କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୫,୧୬,୪୩୫ ଛାତ୍ରଛାତ୍ରୀ ମାଟ୍ରିକ ରେଗୁଲାର ପରୀକ୍ଷା ଦେଇଥିବା ବେଳେ ୫,୦୮୪୦୪ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ A-1ରେ ୪,୧୫୮ ପିଲା ଥିବା ବେଳେ A2ରେ ୨୯, ୮୩୮, B1ରେ ୭୭,୫୬୭, B2ରେ ୧,୧୮,୭୫୦, Cରେ ୧,୨୧,୬୧୧ ଜଣ ଥିବା ବେଳେ Dରେ ୯୫,୦୦୬, Eରେ ୬୧,୪୭୪, Fରେ ୭୬୪୫ ଜଣ ରହିଛନ୍ତି।

ଚଳିତ ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ୨,୫୧୨୯୮ ଜଣ ଛାତ୍ର ପାସ୍‌ କରିଥିବା ବେଳେ ୨,୫୭,୧୦୬ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ଏଥର ୩,୨୨୨ ସ୍କୁଲ  ଶତପ୍ରତିଶତ ରେଜଲ୍ଟ ପ୍ରଦର୍ଶନ କରିଛି। ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ । ସେହିପରି ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪।

Advertisment

ଚଳିତ ବର୍ଷ ରାଜ୍ୟର ୮୯୪୨ଟି ସ୍କୁଲରେ ମାଟ୍ରିକ୍‌ ରେଗୁଲାର ପରୀକ୍ଷା ହୋଇଥିବା ବେଳେ ୫,୨୭,୩୭୪ ଜଣ ଫର୍ମ ଫିଲଅପ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦, ୯୩୯ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଚଳିତ ବର୍ଷ ଅନିୟମିତତା ଉପାୟରେ ପରୀକ୍ଷା ଦେଉଥିବା ଅଭିଯୋଗରେ ୩୮୬ ଛାତ୍ରଛାତ୍ରୀ ଏମ୍‌ପି ହୋଇଛନ୍ତି।

କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସବୁଠୁ ଖରାପ ପ୍ରଦର୍ଶନ କରିଛି ।

ଚଳିତ ବର୍ଷ ରାଜ୍ୟର ୨୦୮୪ ସ୍କୁଲରେ ଏକ୍ସ ରେଗୁଲାର ପରୀକ୍ଷା ହୋଇଥିବା ବେଳେ ୪୦୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୯୫ ଜଣ ଅନୁପସ୍ଥିତ ଥିବା ବେଳେ ଅବଶିଷ୍ଟ ୩୭୦୬ ଜଣ ପରୀକ୍ଷା ଦେଇଥିଲେ।

ସେମାନଙ୍କ ମଧ୍ୟରୁ କେହି ଜଣେ ବି A1 ଶ୍ରେଣୀଭୁକ୍ତ ହୋଇ ପାରି ନ ଥିବା ବେଳେ A2ରେ ୧୧ ଜଣ, B1ରେ ଶହେ ଜଣ, B2ରେ ୨୩୫ ଜଣ, Cରେ ୪୬୯, Dରେ ୬୫୨, Eରେ ୯୪୦, Fରେ ୭୬୭ ଜଣ ପାସ୍‌ କରିଛନ୍ତି।

ଚଳିତ ବର୍ଷ ଏକ୍ସ ରେଗୁଲାର ପରୀକ୍ଷାରେ ୧୭୬୮ ଜଣ ପୁଅ ପାସ୍‌ କରିଥିବା ବେଳେ ଝିଅଙ୍କ ସଂଖ୍ୟା ରହିଛି ୧୧୬୯। ଚଳିତ ବର୍ଷ ଏକ୍ସ ରେଗୁଲାରରେ ପାସ୍‌ ହାର ୭୩.୪୧% ରହିଛି।

Cuttack Matric Result