Advertisment

କୋଭିଡରେ କାମ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଶ୍ୱସ୍ତି, ନୂଆ ନିଯୁକ୍ତି ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍‌

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଏବଂ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା କରାଯାଉଥିବା ସ୍ୱାସ୍ଥ୍ୟକର୍ମୀ ଚୟନ ପ୍ରକିୟା ଉପରେ ଆଜି ଲାଗିଛି ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ।

author-image
Niranjan Mishra
undefined

High Court

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଏବଂ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା କରାଯାଉଥିବା ସ୍ୱାସ୍ଥ୍ୟକର୍ମୀ ଚୟନ ପ୍ରକିୟା ଉପରେ ଆଜି ଲାଗିଛି ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ। ଚୟନ ପ୍ରକ୍ରିୟା ଜାରି ରଖିଲେ ମଧ୍ୟ କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ କରାଯାଇପାରିବ ନାହିଁ ସରକାର। ଗତବର୍ଷ ଡ଼ିସେମ୍ବର ମାସରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ପ୍ରାୟ ୨୦୦ରୁ ଅଧିକ ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଏବଂ ଚଳିତ ବର୍ଷ ଜାନୁଆରୀ ୨୧ ତାରିଖରେ ପ୍ରାୟ ୭୬୦୦ରୁ ଅଧିକ ପଦବୀ ପୂରଣ ସମ୍ପର୍କିତ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନଙ୍କ ବିଜ୍ଞପ୍ତି ଆଧାରରେ କରାଯାଉଥିବା ଚୟନ ପ୍ରକ୍ରିୟା ଉପରେ ଏହି ଅଙ୍କୁଶ ଲାଗୁ ହୋଇଛି।

Advertisment

କୋଭିଡ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରିଥିବା ନୟାଗଡ ଜିଲ୍ଲାର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଏବଂ ନବରଙ୍ଗପୁରର ସଚ୍ଚିଦାନନ୍ଦ ଶତପଥୀଙ୍କ ଦୁଇଟି ପୃଥକ ଆବେଦନକୁ ଗ୍ରହଣକରି ହାଇକୋର୍ଟ ଜବାବ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାସହ ଏହି ଅଙ୍କୁଶ ଲଗାଇଛନ୍ତି.।

କୋଭିଡ ସମୟରେ ଠିକାରେ ୧୦୦ ଦିନରୁ ଅଧିକ ସମୟ ସେବା ଯୋଗାଇଥିବା ବିଭିନ୍ନ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୦୨୧ ମସିହା ମେ’ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଏବଂ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ଚୟନ ପ୍ରକ୍ରିୟା ଜାରି ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ଆବେଦନାକାରୀଙ୍କ ଓକିଲ ରମାକାନ୍ତ ଷଡ଼ଙ୍ଗୀ।

Advertisment
Odisha Highcourt Exam Notification Ossc