Advertisment

ମୁଁ ଓଡ଼ିଶାର ଜ୍ୱାଇଁ: ପ୍ରଧାନ ବିଚାରପତି

କଟକରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଡିଜିଟାଇଜେସନ, ପେପରଲେସ କୋର୍ଟ୍ସ ଏବଂ ଇ - ଇନିସିୟେଟିଭ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ।

author-image
Niranjan Mishra
ଅଦ୍ୟତନ ହୋଇଛି
Chief Justice of the Supreme Court

Chief Justice of the Supreme Court

ମୁଁ ବହୁ ସମୟରେ କଟକ ଓ ଭୁବନେଶ୍ୱର ଆସେ। କାହିଁକି ନାଁ ମୁଁ ଓଡ଼ିଶାର ଜ୍ୱାଇଁ। ମୋ ପତ୍ନୀ ଜଣେ ଓଡ଼ିଆ। କଟକରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଡିଜିଟାଇଜେସନ, ପେପରଲେସ କୋର୍ଟ୍ସ ଏବଂ ଇ - ଇନିସିୟେଟିଭ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ। ଓଡିଶା ଜୁଡ଼ିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବକୁ ସେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

Advertisment

ସେ ସମ୍ମିଳନୀରେ ନିଜର ଅଭିଭାଷଣ ରଖି କହିଥିଲେ ଯେ, ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶାରେ ପ୍ରଶଂସନୀୟ କାର୍ଯ୍ୟ ହୋଇଛି। ସାରା ଦେଶରେ ଏଭଳି ବ୍ୟବସ୍ଥା ଲାଗୁ କରିବା ଲାଗି ସୁପ୍ରିମକୋର୍ଟ ଲକ୍ଷ୍ୟ ରଖିଛନ୍ତି। ଏଥିନିମନ୍ତେ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟରେ ୨୦୨୩-୨୭ ଭିତରେ ୭ ହଜାର ୨୧୦ କୋଟି ଟଙ୍କା ଖର୍ଚ୍ଚ ଅନୁମୋଦନ କରିଛନ୍ତି। ଲୋକଙ୍କ ପାଖରେ କିପରି ସହଜରେ ନ୍ୟାୟ ବ୍ୟବସ୍ଥା ପହଞ୍ଚି ପାରିବ ଓ ସେମାନଙ୍କୁ ନ୍ୟାୟ ମିଳିବ ଏହାହିଁ ପଦକ୍ଷେପର ମୂଳ ଲକ୍ଷ୍ୟ। ତେଣୁ ପ୍ରତ୍ୟେକ ଟଙ୍କାଟିଏ ଖର୍ଚ୍ଚର ଉଚିତ୍ ବିନିଯୋଗ ହେବା ଉଚିତ୍। ଇ-କୋର୍ଟ ପଦକ୍ଷେପକୁ ସଫଳ କରିବାରେ ଓଡିଶା, କେରଳ ଏବଂ ମଧ୍ୟପ୍ରଦେଶ ସରକାର ଯେପରି ସହାୟତା ଦେଇଛନ୍ତି, ତାହା ଅନ୍ୟ ରାଜ୍ୟରେ ହେଉନାହିଁ। ଓଡ଼ିଶାର ପ୍ରାୟ ୨୦ ଜିଲ୍ଲାରେ ଏକ ଭଚ୍ୟୁଆଲ କୋର୍ଟ ଚାଲିପାରୁଛି। ଫଳରେ ଓକିଲ ଓ ମୁଦାଲା ସମସ୍ତଙ୍କୁ ସୁବିଧା ହେଉଛି। ଆଇନ ଅଦାଲତଗୁଡିକର ସମସ୍ତ ରେକର୍ଡକୁ ଡିଜିଟାଲାଇଜ କରିବା ଲାଗି ଗତ କେଇ ବର୍ଷ ହେଲା ପ୍ରୟାସ ଜାରି ରହିଛି। କିନ୍ତୁ ପେପରଲେସ କୋର୍ଟ କାର୍ଯ୍ୟ କରିବାକୁ ଯେଉଁ ପଦକ୍ଷେପ ନିଆଯାଇଛି, ସେଥିରେ ସେତେଟା ସଫଳତା ମିଳିପାରିନାହିଁ। କାରଣ ଇ-କୋର୍ଟ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅର୍ଥରାଶିର ଅଭାବ ରହୁଛି। ଯୁଗପୋଯୋଗୀ ପଦକ୍ଷେପ ନେବାଲାଗି ସମସ୍ତ ରାଜ୍ୟମାନେ ତ୍ୱରିତ ବେଗରେ ପଦକ୍ଷେପ ନେବା ଉଚିତ। ସେହିପରି ୟୁଟ୍ୟୁବ ଜରିଆରେ ଅଦାଲତି କାର୍ଯ୍ୟର ଯେଉଁ ଲାଇଭଷ୍ଟିମିଂ ହେଉଛି, ତାକୁ ସାମାଜିକ ଗଣମାଧ୍ୟମରେ କିପରି ଅପବ୍ୟବହାର କରାନଯିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡ।

କାର୍ଯ୍ୟକ୍ରମରେ ଯୋଗଦେଇ ଆହ୍ଲାବାଦ ହାଇକୋର୍ଟର ଉଦାହରଣ ଦେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ କହିଥିଲେ ଯେ, ଉତ୍ତରପ୍ରଦେଶର ହାତ ଗଣତି ଜିଲ୍ଲାକୁ ଛାଡିଦେଲେ ଅବଶିଷ୍ଟ ଜିଲ୍ଲାରେ ଇ-ଚାଲାଣ ବ୍ୟବସ୍ଥା କାମ କରୁନାହିଁ। ଯାହାଦ୍ୱାରା ଧାର୍ଯ୍ୟ ହୋଇଥିବା ଜରିମାନା ରାଶି ଆଦାୟ ହେବାରେ ସମସ୍ୟା ଦେଖାଦେଉଛି। ଓଡିଶା ପରି ମଧ୍ୟପ୍ରଦେଶ ଏବଂ କେରଳରେ ମଧ୍ୟ ଆଖି ଦୃଷ୍ଟିଆ କାମ ହୋଇ ପାରିଛି। ହେଲେ ଦେଶର ଅନ୍ୟ ରାଜ୍ୟମାନେ ପଛରେ ରହିଯାଇଛନ୍ତି।

Advertisment

ସୂଚନା ଥାଉକି, ଡିଜିଟାଇଜେସନ, ପେପରଲେସ କୋର୍ଟ ଆଣ୍ତ ଇ-ଇନିସିଏଟିଭ୍ ପ୍ରସଙ୍ଗରେ ଆଜିଠାରୁ କଟକରେ ଆରମ୍ଭ ହୋଇଛି ୨ ଦିନିଆ ଜାତୀୟ ସମ୍ମିଳନୀ। ଯେଉଁଥିରେ ଦେଶର ବିଭିନ୍ନ ହାଇକୋର୍ଟରୁ ଆସିଥିବା ପ୍ରାୟ ୩୦ ବିଚାରପତିଙ୍କ ସମେତ ଆମ ରାଜ୍ୟର ସମସ୍ତ ଜିଲ୍ଲାଜଜ୍‌ମାନେ ସାମିଲ ହୋଇଛନ୍ତି।

Supreme Court CJI