/odisha-reporter/media/post_attachments/uploadimage/library/16_9/16_9_0/IMAGE_1685636767.jpeg)
Subhash Singh
ସମସ୍ତଙ୍କ ଆଖି ସାମ୍ନାରେ କଟକ ସହରରେ ବେପରୁୱା ଢଙ୍ଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି। ଏବେବି ବିପଦଶଙ୍କୁଳ ଅବସ୍ଥାରେ ସହରରେ ଅନେକ ସ୍ଥାନରେ ଡ୍ରେନ ମୁକୁଳା ହୋଇ ରହିଥିବାବେଳେ ଯେଉଁ କିଛି ସ୍ଥାନରେ କାର୍ଯ୍ୟ ଚାଲିଛି, ତାହା ଅତ୍ୟନ୍ତ ଅସୁରକ୍ଷିତ ଢଙ୍ଗରେ ଚାଲିଥିବାବେଳେ କଟକ ମହାନଗର ନିଗମ ସେଥିପ୍ରତି ଆଖି ବୁଜି ଦେଇଛି। ଆଉ ଏପଟେ କଟକ ମେୟର ସୁବାସ ସିଂ ଛୁଟି ବିତାଇବା ପାଇଁ ଆସନ୍ତା ୩ ତାରିଖରୁ ସିଙ୍ଗାପୁର ଗସ୍ତରେ ଯାଉଥିବା ଜଣାପଡ଼ିଛି। ବର୍ଷା ଦିନ ପୂର୍ବରୁ କଟକ ସହରର ମୁକୁଳା ଡ୍ରେନ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ସାରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ପାଲଟିଥିବାବେଳେ ମେୟରଙ୍କ ସିଙ୍ଗାପୁର ଗସ୍ତକୁ ନେଇ ସହରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା।
ସୂଚନା ଅନୁସାରେ, କଟକର କେଶରପୁର ଅଂଚଳରେ ମୁକୁଳା ଡ୍ରେନରେ ପଡ଼ି ଯୁକ୍ତ ଦୁଇ ଛାତ୍ରୀ ଏନ୍ ମୋହିନୀ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାର ଗତକାଲି ୨ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ଏବେବି ସେହି ସ୍ଥାନରେ ଡ୍ରେନ ବିପଦପୂର୍ଣ୍ଣ ଢଙ୍ଗରେ ମୁକୁଳା ହୋଇ ରହିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ରାସ୍ତାରେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିବାକୁ ମହାନଗର ନିଗମ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନି । ଓଲଟା ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମେୟର ଶ୍ରୀ ସିଂ ତରବରିଆ ଭାବେ ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରି ନିଜର ଦାୟିତ୍ୱ ଶେଷ କରିଛନ୍ତି।
କଟକ ଭଳି ସହରର ପ୍ରମୁଖ ରାସ୍ତା ସଂକୀର୍ଣ୍ଣ ହୋଇଥିବାବେଳେ ବର୍ଷା ଦିନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା ମହାନଗର ନିଗମ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି । ସେଥିପ୍ରତି ମେୟର ଶ୍ରୀ ସିଂ ଦୃଷ୍ଟି ନଦେଇ ଏବେ ସପତ୍ନୀକ ସିଙ୍ଗାପୁର ଯିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ବିଭିନ୍ନ ୱାର୍ଡରେ ରାତି ବିତାଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ଶ୍ରୀ ସିଂ ଏସବୁ ଡ୍ରେନଗୁଡ଼ିକର ନିର୍ମାଣ କାର୍ଯ୍ୟ କିଭଳି ବିପଦପୂର୍ଣ୍ଣ ଢଙ୍ଗରେ ତାହା କ’ଣ ଦେଖିନଥିଲେ ନା ଦେଖିକି ନିରବ ରହିଥିଲେ ।
ସ୍ଥାନୀୟ କର୍ପୋରେଟର, ମେୟର, ବିଧାୟକ ଓ ଅଫିସରମାନେ ନିୟମିତ ଭାବେ ସେସବୁ ମାର୍ଗରେ ଯାଉଥିଲେ ମଧ୍ୟ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ କ’ଣ ପଦକ୍ଷେପ ନିଆଯାଇଛି ତାକୁ କାହିଁକି ତଦାରଖ କରୁନଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ମୋହିନୀ ଯେଉଁ ସ୍ଥାନରେ ପ୍ରାଣ ହରାଇଥିଲେ, ସେଠାରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଛି । ନିର୍ମାଣ କାର୍ଯ୍ୟବେଳେ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱ ଦେବା ସହ ନିର୍ଦ୍ଦିଷ୍ଟ ଏସପିଓ ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି କହି ମେୟର ନିଜର ଦାୟିତ୍ୱ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ମାତ୍ର ପ୍ରାୟ ଏକ ବର୍ଷ ଧରି ମେୟର ଥିବା ଶ୍ରୀ ସିଂ କାହିଁକି ଏପର୍ଯ୍ୟନ୍ତ ଉନ୍ନୟନ ନାଁରେ କଟକରେ ଅସୁରକ୍ଷିତ ଅବସ୍ଥାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିନାହାନ୍ତି? ଯଦି କରିଥିଲେ ତା’ହେଲେ ୨ଟି ଜୀବନ ଅକାଳରେ ଚାଲିଗଲା କେମିତି?
ଏସବୁ ବ୍ୟବସ୍ଥାଗତ ତ୍ରୁଟିକୁ ନସଜାଡ଼ି ପ୍ଲିଜର ଟ୍ରିପରେ ଶ୍ରୀ ସିଂ ସିଙ୍ଗାପୁର ବୁଲି ଯିବେ ବୋଲି ଜଣାପଡ଼ିଛି । ଭୁବନେଶ୍ୱରରୁ ସିଙ୍ଗାପୁରରୁ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ ଜୁନ୍ ୩ରୁ ହେଉଥିବାବେଳେ ପ୍ରଥମ ବିମାନରେ ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ସହ ଶ୍ରୀ ସିଂ ଯିବେ ବୋଲି ସୂଚନା ମିଳିଛି । ମାତ୍ର କଟକରେ ଏବେ ଯେଉଁ କାରଣ ପାଇଁ ୨ଟି ଜୀବନ ଅକାଳରେ ଚାଲିଯାଇଛି, ତା’ର ସ୍ଥାୟୀ ପ୍ରତିକାର ନକରି ଓ କଟକବାସୀଙ୍କ ପ୍ରତି ନିଜର ଦାୟିତ୍ୱବୋଧକୁ ଭୁଲି ମେୟର ଶ୍ରୀ ସିଂ ସିଙ୍ଗାପୁର ବୁଲି ଯିବାକୁ କିଭଳି ଆଗ୍ରହ ଦେଖାଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
