ctc
କଟକ (ଓଡ଼ିଶା ରିପୋର୍ଟର): ଚିକିତ୍ସା କ୍ଷେତ୍ରରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯୋଡ଼ିହେବାକୁ ଯାଉଛି ନୂଆ ଫର୍ଦ। ଏସସିବିରେ ଆରମ୍ଭ ହେବାକୁ ଯାଉଛି ଲିଭର ଟ୍ରାନସପ୍ଲାଣ୍ଟ ଅର୍ଥାତ ଯକୃତ ପ୍ରତିରୋପଣ ଚିକିତ୍ସା। ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହାର ଉଦଘାଟନ କରିଛନ୍ତି। ଏବେ ଆଉ ସାଧାରଣ ରୋଗୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ନାହିଁ। କାରଣ ଏସସିବି ମେଡିକାଲରେ ଏହି ସେବା ଏବେ ମାଗଣାରେ ଉପଲବ୍ଧ ହେବ।
ଯକୃତ ବା ଲିଭର ମନୁଷ୍ୟ ଶରୀରର ଏକ ଉପାଦେୟ ଅଙ୍ଗ। ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ପ୍ରୋଟିନ ଓ ହରମୋନ ତିଆରିରେ ସାହାଯ୍ୟ କରେ। ତେବେ ଦୀର୍ଘ ଦିନ ଧରି ଜଣେ ଯକୃତ ରୋଗରେ ଆକ୍ରାନ୍ତ ହେଲେ ଯକୃତ ପୁରା ଅକାମୀ ହୋଇଯାଏ। ସେତେବେଳେ ଯକୃତ ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ।
ତେବେ ଯଦି ଡାକ୍ତର ଲିଭର ଟ୍ରାନସପ୍ଲାଣ୍ଟର ସିଦ୍ଧାନ୍ତ ନିଅନ୍ତି, ତେବେ ରୋଗୀର ନିକଟତମ ସମ୍ପର୍କୀୟ ମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଲିଭରର କିଛି ଅଂଶ ଦାନ କରିବାକୁ ପଡ଼ିଥାଏ। ଅନ୍ୟ ଏକ ବିକଳ୍ପ ହେଉଛି କାଡାଭାରିକ ଅର୍ଥାତ ମସ୍ତିଷ୍କ ମୃତ ରୋଗୀଙ୍କ ଶରୀରରୁ ଲିଭର ନେଇ ରୋଗୀର ଶରୀରରେ ପ୍ରତିରୋପଣ କରିବା।
ହେପାଟୋଲୋଜି ଓ ଗ୍ୟାଷ୍ଟୋସର୍ଜରୀ ବିଭାଗର ମିଳିତ ସହଯୋଗ ରେ ଏହି ଅପରେସନ କରାଯିବ। ଏହି ଟ୍ରାନସପ୍ଲାଣ୍ଟ ପାଇଁ ସାଧାରଣତଃ ୨୫ରୁ ୩୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏବେ ଏସସିବି ରେ ମାଗଣାରେ ଉପଲବ୍ଧ ହେବ। ଆଜି କିଛି ରୋଗୀ ଙ୍କ ଓପିଡିରେ ନାମ ପଞ୍ଜିକରଣ କରାଯାଇଅଛି। କିଛି ମାସ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଭାରତ ବର୍ଷରେ ଏହି ବିରଳ ପ୍ରତିରୋପଣ ଚିକିତ୍ସା ଏବେ କଟକରେ ମାଗଣାରେ ମିଳିବାକୁ ଥିବାରୁ ରୋଗୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/ctc.jpg)