ଦିନ ଦ୍ୱିପହରରେ ଲୁଟ୍ପାତ କରିବା ପାଇଁ ବ୍ୟାଙ୍କ ଭିତରେ ପଶିଥିଲେ ସଶସ୍ତ୍ର ଡକାୟତି ଦଳ। କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରାଣସ୍ତ୍ର ଦେଖାଇ ଲକର ଚାବି ଦେବାକୁ ଧମକାଇଥିଲେ। ହେଲେ ଡକାୟତଙ୍କ ସବୁ ଉଦ୍ୟମ ଗୋଟିଏ ସେକେଣ୍ଡ ଭିତରେ ପାଣି ଫୋଟକା ପରି ମିଳାଇ ଯାଇଥିଲା। ହଠାତ୍ ବ୍ୟାଙ୍କର ସାଇରନ ବାଜିବା ଉଠିବାରୁ ଛୁ ମାରିଥିଲେ ଡାକାୟତ ଦଳ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତ୍ରିଶୁଳିଆ ନିକଟ ଫକିରପଡା ଆଇସିଆଇସିଆଇ ବ୍ୟାଙ୍କରେ।
ଆଜି ଦିନ ୧୧ଟା ସମୟରେ ୩ଜଣ ଡକାୟତ କଳା ପଲସରରେ ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ଗ୍ରାହକ ଭାବେ ବ୍ୟାଙ୍କ ଭିତରେ ପଶିଥିଲେ। ପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। କିଛି ସମୟ ବ୍ୟାଙ୍କ ଭିତରେ ଆତଙ୍କ ମଚାଇଥିଲେ। ଏହି ସମୟରେ ବ୍ୟାଙ୍କରେ ଥିବା ସାଇରନ ବାଜିଥିଲା। ଡକାୟତମାନେ ସାଇରନ ବାଜିବା ଶବ୍ଦ ଶୁଣି ବ୍ୟାଙ୍କ ଛାଡ଼ି ଚମ୍ପଟ ମାରିଥିଲେ।
ବ୍ୟାଙ୍କରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି। ପୁଲିସ ସିସିଟିଭିକୁ ଆଧାର କରି ବାରଙ୍ଗ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।