Advertisment

‘ମୋ’ ପିଏସ୍‌ଓ ପାଖରେ ବି ବନ୍ଧୁକ ଅଛି, ମନରେ ଖାଲି ଛନକା ପଶୁଛି’

‘ମୋତେ ବି ସୁରକ୍ଷା ପାଇଁ ଜଣେ ପିଏସ୍‌ଓ ମିଳିଛନ୍ତି। ସେ ବି ପାଖରେ ବନ୍ଧୁକ ରଖୁଛନ୍ତି। ବେଳେବେଳେ ଭାବୁଛି, ସେ ଗୋପାଳ ଦାସ ହୋଇ ଯିବେନି ତ ?’

author-image
Niharika Rout
ଅଦ୍ୟତନ ହୋଇଛି
soumya ranjan patnaik & Gopal Das

soumya ranjan patnaik & Gopal Das

‘ମୋତେ ବି ସୁରକ୍ଷା ପାଇଁ ଜଣେ ପିଏସ୍‌ଓ ମିଳିଛନ୍ତି। ସେ ବି ପାଖରେ ବନ୍ଧୁକ ରଖୁଛନ୍ତି। ବେଳେବେଳେ ମନକୁ ପ୍ରଶ୍ନ ଆସୁଛି, ସେ ଗୋପାଳ ଦାସ ହୋଇ ଯିବେନି ତ ?’ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏପରି ମତ ରଖିଛନ୍ତି ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

Advertisment

କଟକରେ ଥିବା ଗୋରା କବରର ପୁନରୁଦ୍ଧାର ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ନବ ଦାସଙ୍କ ପରି ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ସହଜେ ବିଶ୍ୱାସ କରି ହେଉନି। ଏହା ମୋତେ ଖୁବ୍‌ ଆଶ୍ଚର୍ଯ୍ୟ କରିଛି। ମୋ ପିଏସ୍‌ଓ ବି ସେପରି ହେବେ କି ବୋଲି ଭାବି ମନ ଦହଗଞ୍ଜ ହେଉଛି। 

ନବ ଦାସ ହତ୍ୟାକାଣ୍ଡକୁ ୭ ଦିନ ପୂରିଲାଣି। ଅଭିଯୁକ୍ତ ପୁଲିସ୍‌ କବଜାରେ ଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣକୁ ଖୋଜି ବୁଲୁଛି ପୁଲିସ୍‌। ତେଣୁ ବର୍ତ୍ତମାନ ଯିଏ ଯାହା ପାରୁଛି କହୁଛି। ଏବେ ଯାହା ପ୍ରକାଶ ପାଉଛି ସବୁ ଗସିପ୍‌, ଏଥିରେ କିଛି ସତ୍ୟତା ନାହିଁ। ପୁଲିସ୍‌ ନବ ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜି ତଥ୍ୟ ସାମନାକୁ ଆଣିବା ଦରକାର। ପୁଲିସ୍‌ ଯେତେଶୀଘ୍ର ଏହି ହାଇ ପ୍ରୋଫାଇଲ ମର୍ଡର କେସ୍‌ର ସତ୍ୟତା ପଦାକୁ ଆଣିବ, ସେତେ ଶୀଘ୍ର ଏହାକୁ ନେଇ ହେଉଥିବା ବିଭିନ୍ନ ଚର୍ଚ୍ଚା ବନ୍ଦ ହେବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

Advertisment

ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଗନ୍ନାଥଙ୍କୁ ଜଣା ବୋଲି କହିଥିଲେ ଡିଜିପି ସୁନୀଲ ବଂଶଲ। ଏହି ଘଟଣାକୁ ଆକ୍ଷେପ କରି ବିଧାୟକ ପଟ୍ଟନାୟକ କହିଛନ୍ତି, ଜଗନ୍ନାଥ ହେଉଛନ୍ତି ଭକ୍ତଙ୍କର । ସେ ଭାବ ଡୋରିରେ ବନ୍ଧା। ତେଣୁ ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେ ତାଙ୍କୁ ନବ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାଇଦେବେ । ସେ ସବୁ ସତ କଥା ଜାଣିବା ପରେ ଆମକୁ ଜଣାଇଦେବେ। ଫଳରେ ବୋଥ୍ରା ବାବୁ ଯେଉଁ ହନ୍ତସନ୍ତ ହେଉଛନ୍ତି ଆଉ ହେବେନି। ପୁଲିସ୍‌ ଯେତେଶୀଘ୍ର ସତ ବାହାର କରିବ, ସେତେଶୀଘ୍ର ଲୋକଙ୍କ ପାଟି ବି ବନ୍ଦ ହେବ ।

ପୁଲିସ୍‌ ଡିଜିଙ୍କଠାରୁ ଆରମ୍ଭ କରି କନଷ୍ଟେବଳଙ୍କ ପର୍ଯ୍ୟନ୍ତ ଆମକୁ ସମସ୍ତଙ୍କ ଉପରେ ଭରସା କରିବାକୁ ପଡ଼ିବ । ନଚେତ ରାଜ୍ୟରେ ଅରାଜକତା ସୃଷ୍ଟି ହେବ । ଜଣେ ପୁଲିସ୍‌ କର୍ମୀ ଯାହା ଘଟାଇଲେ, ତାହା ନିନ୍ଦନୀୟ । ସବୁ ପୁଲିସ୍‌ ଖରାପ ନୁହନ୍ତି। ମାତ୍ର ସେମାନେ ସମସ୍ତେ ମିଶି ହତ୍ୟା ପଛର କାରଣ ବାହାର କରିବାକୁ ସଙ୍କଳ୍ପ କରିବା ଉଚିତ । ଫଳରେ ଗସିପ୍‌ କରୁଥିବା ଲୋକଙ୍କୁ ଆଉ ସୁଯୋଗ ମିଳିବିନି ।

କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ବିମାନବନ୍ଦରସ୍ଥିତ ଥାନା ପରିସରର ପାଇଖାନା ଟାଙ୍କିରୁ ଗୋପାଳ ଦାସଙ୍କ ହାତ ଲିଖିତ କିଛି କାଗଜ ଜବତ କରିଥିବା ଘଟଣା ଏବେ ପ୍ରଚାରିତ ହେଉଛି। ଏହାକୁ ନେଇ ବିଧାୟକ ପଟ୍ଟନାୟକ କହିଛନ୍ତି, କାଗଜ ମିଳିଥାଇପାରେ, ମାତ୍ର ସେଥିରେ କ’ଣ ଲେଖା ହୋଇଛି କେହି ଦେଖି ନାହାନ୍ତି। ପାଣିରେ କାଳି ଲିଭି ଯାଇଥିଲେ, ତେଣୁ କିପରି ଅନୁମାନ କରିବେ ସେଥିରେ କ’ଣ ଲେଖା ହୋଇଛି। ହେଲେ ଆଜିକାଲି ଦୁନିଆରେ ସବୁ ସମ୍ଭବ ।

ନବ ଦାସ ହତ୍ୟାକାଣ୍ଡ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସକୁ ଟାର୍ଗେଟ କରିଛନ୍ତି।  ସବୁ ପୁଲିସ୍‌ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବୋଲି କହିବା ସହ ସେ ନିଜ ପିଏସ୍‌ଓଙ୍କୁ ମଧ୍ୟ ଫେରାଇ ଦେଇଛନ୍ତି। ଜୟନାରାୟଣ ମିଶ୍ର ସୁରକ୍ଷା କର୍ମୀ ଫେରାଇ ଭୁଲ୍‌ କରିଛନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀ ପଟ୍ଟନାୟକ । ଏପରିକି ସବୁ ପୁଲିସ୍‌ ଖରାପ ନୁହନ୍ତି । ଆମକୁ ପୁଲିସ୍‌ ଉପରେ ଭରସା ରଖିବାକୁ ହେବ। ନଚେତ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଣୁଡ଼ି ପଡ଼ିବ ବୋଲି ସେ କହିଛନ୍ତି। 

ଜଣେ ମନ୍ତ୍ରୀଙ୍କୁ କାହିଁକି ଜଣେ ପୁଲିସ୍‌ ମାରିଦେଲେ ତାହାର କାରଣ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ରହିଛି, ଏହା ଜଣାଇବା ଦାୟିତ୍ୱ ହେଉଛି ପୁଲିସ୍‌ର। ତେଣୁ ପୁଲିସ୍‌ କେତେ ଶୀଘ୍ର ସତ ବାହାର କରି ପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ବୋଲି କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। 

Naba Das Soumya Ranjan Patnaik Naba Das Murder