/odisha-reporter/media/post_attachments/uploads/2021/11/endoscopy.jpg)
endoscopy
କଟକ (ଓଡ଼ିଶା ରିପୋର୍ଟର): ଏଣିକି ଏଣ୍ଡୋସ୍କୋପି ମାଧ୍ୟମରେ ଏସିସିବି ମେଡିକାଲରେ ହେବ ଅପରେସନ। ପେଟରେ ଖାଦ୍ୟନଳୀ ଭିତରେ ମାଂସପେଶୀ ବଢି ଖାଇବାରେ ଅସୁବିଧା ହେଉଥିଲେ ତାହାର ଅତି ସହଜ ଅସ୍ତ୍ରୋପଚାର ଏସସିବିରେ ହୋଇପାରିବ। third space endoscopy ପଦ୍ଧତିରେ ପେଟ ଭିତରେ ଖାଦ୍ୟ ନଳୀରେ ମେସିନ ଦ୍ୱାରା ଛୋଟ କଣା କରି ଅସ୍ତ୍ରୋପଚାର କରାଯିବ।
ଆଗରୁ ପେଟ ଚିରି ଏହି ଅପରେସନ କରାଯାଉଥିବା ବେଳେ ଏବେ ଖୁବ୍ କମ୍ ସମୟ ମଧ୍ୟରେ endoscopy ମାଧ୍ୟମରେ ଅସ୍ତ୍ରୋପଚାର କରାଯାଇପାରିବ। ଏ ନେଇ ଆଜି ଏସସିବି ମେଡିକାଲ ପରିସରରେ ଲାଇଭ ୱାର୍କ ଶପ୍ ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଦିଲ୍ଲୀ ସ୍ଥିତ ମେଦାନ୍ତ ହସପିଟାଲର ଏଣ୍ଡୋସ୍କୋପି ବିଭାଗ ନିର୍ଦ୍ଦେଶକ ଡକ୍ଟର ରାଜେଶ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ତେବେ ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଏହି ରୋଗକୁ ଆକାଲିସା କାଡିଆ ରୋଗ କୁହାଯାଏ। ଯେଉଁଥିରେ ଖାଦ୍ୟ ନଳୀ ଜାମ୍ ହୋଇଯାଇଥାଏ। ଯାହାଦ୍ୱାରା ଖାଦ୍ୟ ଆଉ ତଳକୁ ଯାଇ ପାରେ ନାହିଁ। ଆଉ ଘରୋଇ ହସ୍ପିଟାଲରେ ଏହାର ଅସ୍ତ୍ରୋପଚାର କଲେ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସସିବିର ଅଧ୍ୟକ୍ଷ ଡକ୍ଟର ଦତ୍ତେଶ୍ୱର ହୋତା, ଡକ୍ଟର ଏସପିସିଂ, ଡକ୍ଟର ବନବିହାରୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏ ନେଇ ଏସସିବିର ଆସୋସିଏଟ ପ୍ରଫେସର ଡଃ ପ୍ରଶାନ୍ତ ପରିଡା କହିଛନ୍ତି, ପ୍ରଥମଥର ଲାଗି ଓଡ଼ିଶାରେ ଏଭଳି ଅପରେସନ୍ ହେଉଛି। ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। ଏହା ସମ୍ପୂର୍ଣ୍ଣ ମାଗଣା। ଏଥିପାଇଁ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଏହି ଅପରେସନ୍ ପରେ ଜଣେ ରୋଗୀ ଦିନକ ଭିତରେ ସୁସ୍ଥ ହୋଇ ଘରକୁ ଫେରିପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
