/odisha-reporter/media/post_attachments/uploadimage/library/16_9/16_9_0/Fire_1675671228.jpg)
Fire
କଟକ ଜିଲ୍ଲା ବଡ଼ମ୍ବାରେ ବନ ବିଭାଗ ହେପାଜତ ରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଆଠଗଡ଼ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଓ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
ଅନ୍ୟପକ୍ଷରେ ବଡ଼ବାରସିଂ ଛକରେ ମୃତ ଧନେଶ୍ୱର ବେହେରାଙ୍କ ପରିବାର ଲୋକ ଓ ସାତଗୋଛିଆ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଧନେଶ୍ୱରଙ୍କୁ ଦୁଇ ଏସିଏଫ୍ ଓ ରେଞ୍ଜର ପିଟି ପିଟି ମାରି ଦେଇଥିବା ଲୋକେ ଅଭିଯୋଗ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ସେମାନେ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତା’ସହିତ ଧନେଶ୍ୱରଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା।
ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଆଠଗଡ଼ ପୁଲିସ୍ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ୍- ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ ବେହେରା ଏବଂ ଅନ୍ୟ ୭ ବନ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ସେମାନଙ୍କୁ ଆଠଗଡ଼ ଥାନାରେ ପଚରାଉଚରା କରୁଛନ୍ତି।
ବାଣପୁର ବିଟ୍ ହାଉସ୍ରେ ଭଙ୍ଗାରୁଜା ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ବନ ବିଭାଗ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ଏହି ଘଟଣାର ତଦନ୍ତ ପାଇଁ କଞ୍ଜରଭେଟର ସ୍ତରୀୟ ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି । ସଂପୂର୍ଣ୍ଣ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରାଯିବ । ବିଭାଗୀୟ କର୍ମଚାରୀ ହୁଅନ୍ତୁ ବା ଅନ୍ୟ କେହି- ଯିଏ ବି ଦୋଷୀ ପ୍ରମାଣିତ ହେବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି ଥାର୍ଡ ଡିଗ୍ରୀ ଅଭିଯୁକ୍ତଙ୍କ ମୃତ୍ୟୁର କାରଣ ହୋଇଥାଏ, ତା’ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତ ୩୦ ତାରିଖରେ ମାଣିଆବନ୍ଧ ବିଟ୍ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା। ହାତୀର ଦାନ୍ତ ଦୁଇଟି ଗାଏବ ହୋଇଯାଇଥିଲା। ଏହି ଘଟଣାରେ ସାତଗୋଛିଆର ୫୯ ବର୍ଷୀୟ ଧନେଶ୍ୱର ବେହେରାଙ୍କ ସଂପୃକ୍ତି ସନ୍ଦେହ କରି ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଗତକାଲି ଘରୁ ଉଠାଇ ନେଇଥିଲେ। ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ଥିବା ବେଳେ ଆଜି ଭୋରରେ ଧନେଶ୍ୱରଙ୍କର ମୃତ୍ୟୁ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
