Advertisment

ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କଲେ ବିଜେପି ନେତା

ରତ୍ନଭଣ୍ଡାର ଖୋଲି ବିପଦଶଙ୍କୁଳ ଅଂଶ ମରାମତି ଓ ରତ୍ନର ସବିଶେଷ ତାଲିକା ପ୍ରସ୍ତୁତ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି ।

Puri

Puri

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ପୁଣିଥରେ ତୀବ୍ର ହେଉଥିବାବେଳେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରିଛନ୍ତି । ରତ୍ନଭଣ୍ଡାର ଖୋଲି ବିପଦଶଙ୍କୁଳ ଅଂଶ ମରାମତି ଓ ରତ୍ନର ସବିଶେଷ ତାଲିକା ପ୍ରସ୍ତୁତ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ରାଜ୍ୟପାଳ କିମ୍ବା ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରି ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ସହ ରତ୍ନଭଣ୍ଡାରର ଚାବି ହଜାଇଥିବା ପୁରୀ ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ସହ ସିବିଆଇ ଦ୍ୱାରା ତଦନ୍ତ ନିମନ୍ତେ ଶ୍ରୀ ମହାନ୍ତି ତାଙ୍କ ଆବେଦନରେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

Advertisment

ଅନ୍ୟପକ୍ଷରେ ପୁରୀର ଦିଲ୍ଲୀପ ବରାଳ ନାମକ ଜଣେ ବ୍ୟକ୍ତି ରତ୍ନଭଣ୍ଡାର ଚାବି ହଜିବାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଦାଏର ଆବେଦନର ଶୁଣାଣି କରି ହାଇକୋର୍ଟ ଗତ ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଶ୍ରୀ ବରାଳଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ତାରିଖକୁ ଧାର୍ଯ୍ୟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବିଜେପି ନେତା ସମୀର ମହାନ୍ତି ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରି ପୂର୍ବତନ ରାଜ୍ୟପାଳ ଶଙ୍କର ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଂଚାରେ ରାଜ୍ୟପାଳ କିମ୍ବା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରି ରତ୍ନଭଣ୍ଡାରର ଅଳଙ୍କାରର ତାଲିକା ପ୍ରସ୍ତୁତ ସହ ବିପଦଶଙ୍କୁଳ ଅବସ୍ଥାରେ ଥିବା ଭିତର ଅଂଶର ମରାମତି ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି ।  ରତ୍ନଭଣ୍ଡାର ଚାବି ହଜାଇଥିବା ଅଫିସରଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା, କେଉଁ ପରିସ୍ଥିତିରେ ଚାବି ହଜିଲା ତା’ର ତଦନ୍ତ ସିବିଆଇ ଦ୍ୱାରା କରାଇବା, ହାଇକୋର୍ଟଙ୍କ ବୈଷୟିକ କମିଟି ଓ ଏଏସଆଇ ଚିଠି ସତ୍ତ୍ୱେ ରତ୍ନଭଣ୍ଡାରର ମରାମତି ନକରି ଏହାକୁ ବିପଦଶଙ୍କୁଳ ଅବସ୍ଥାରେ ରଖିବା ପାଇଁ ଦାୟୀ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସମସ୍ତ ଘଟଣାକ୍ରମର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଶ୍ରୀ ମହାନ୍ତି ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ।

Advertisment

ଶ୍ରୀ ମହାନ୍ତି ନିଜର ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ଆଇନ ସଚିବ, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏଏସଆଇ କର୍ତ୍ତୃପକ୍ଷ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରୀ ଶ୍ରୀ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିବା ସଂକ୍ରାନ୍ତ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ପୁରୀର ଶ୍ରୀ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ରିପୋର୍ଟ ଦାଖଲର ୫ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରୁନଥିବାରୁ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ସରକାରଙ୍କୁ ଦେବାକୁ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଏହି ଆବେଦନ ଉପରେ ହାଇକୋର୍ଟ ଗତ ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟ ମୁଖ୍ୟ ସଚିବ ଓ ଆଇନ ସଚିବଙ୍କୁ ନୋଟିସ୍ ଜାରି କରି ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ତାରିଖ ସୁଦ୍ଧା ଜଷ୍ଟିସ ଦାଶ କମିଶନଙ୍କ ରିପୋର୍ଟର ସ୍ଥିତାବସ୍ଥା ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଶ୍ରୀ ବରାଳ ତାଙ୍କ ଆବେଦନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ୧୯୭୮ ମସିହା ପରଠୁ ଖୋଲାଯାଇନଥିବାରୁ ସେଥିରେ ଥିବା ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ, ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ପଦକ୍ଷେପ ନେଉନଥିବା ତାଙ୍କ ଆବେଦନରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ଜୁଲାଇ ୧୦ରେ ରତ୍ନଭଣ୍ଡାରର ଚାବି ହଜିବା ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଉପରେ ହାଇକୋର୍ଟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ଥିବାବେଳେ ଶ୍ରୀ ମହାନ୍ତି ରତ୍ନଭଣ୍ଡାରକୁ ନେଇ ଅନ୍ୟ ଏକ ମାମଲା ଦାଏର କରିଛନ୍ତି ।

ସୂଚନାଯୋଗ୍ୟ, ଗଜପତି ମହାରାଜା ଦିବ୍ୟସିଂହ ଦେବ ରତ୍ନଭଣ୍ଡାର ଖୋଲିବା ଓ ଭିତରର ଅଂଶକୁ ମରାମତି କରିବା ସପକ୍ଷରେ ଗଣମାଧ୍ୟମକୁ ବୟାନ ଦେଇଥିଲେ । କଂଗ୍ରେସ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ରତ୍ନଭଣ୍ଡାର ଖୋଲିବା ଦିଗରେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି । ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତମାନେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଚାହୁଁଥିବାବେଳେ ସରକାର କାହିଁକି ନିରବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ୨୦୧୮ ଏପ୍ରିଲ ମାସରେ ୧୬ଜଣିଆ ବିଶେଷଜ୍ଞ କମିଟି ରତ୍ନଭଣ୍ଡାରର ଅନୁଧ୍ୟାନ କରି ମରାମତି ଆବଶ୍ୟକ ବୋଲି ମତ ଦେଇଥିଲେ ।

Bjp Puri Shreemandir Puri High Court Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe