Advertisment

ରିମାଣ୍ଡରେ ଗଲା ମହାଠକ କୈଫ ଖାନ୍‌; ଖୋଲିବ କଳା କାରନାମାର ପେଡ଼ି

କେତେ ଦିନ ଧରି ଏହି କଳା କାରନାମା ଚଲାଇଥିଲା ମୌଲାନା? ଏଥିରେ ଆଉ ସଂପୃକ୍ତି ଅଛି କି? ଏ ପର୍ଯ୍ୟନ୍ତ କୋଟିଏ ୫୦ ଲକ୍ଷ ପାଖାପାଖି ଟଙ୍କା ଠକିଥିବା ଜଣାପଡିଥିବା ବେଳେ ଆଉ କାହାକୁ ଠକିଛି ଭଣ୍ଡ ମୌଲାନା?

author-image
Manoranjan Sial
Cuttack

Cuttack

ତନ୍ତ୍ରମନ୍ତ୍ର ବଳରେ ଠକେଇ କରୁଥିବା ମହାଠକ ତାନ୍ତ୍ରିକ ମୌଲାନା କୈଫ ଖାନ୍‌କୁ ରିମାଣ୍ଡରେ ନେଲା କମିଶନରେଟ୍‌ ପୁଲିସ୍‌। କୋର୍ଟଙ୍କ ଅନୁମତି ପରେ ପୁଲିସ୍ ତାକୁ ୪ ଦିନିଆ ରିମାଣ୍ଡ ନେଇଛି। ଆଜି ତାକୁ ଚୌଦ୍ଵାର ଜେଲରୁ କଡା ସୁରକ୍ଷା ମଧ୍ୟରେ ମଙ୍ଗଳାବାଗ ଥାନାକୁ ଅଣାଯାଇଛି। ତା’ର କଳା କାରନାମାର ପେଡ଼ି ଖୋଲିବା ପାଇଁ ପୁଲିସ ରିମାଣ୍ଡରେ ନେଇଛି।

Advertisment

ମୌଲାନା କୈଫ ଖାନ୍‌କୁ ଜେରା କରିବା ପାଇଁ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ତାକୁ ମାରାଥନ ଜେରା କରିବ। ପଚରାଉଚରା ସମୟରେ ମୁଖ୍ୟତଃ ପୁଲିସ ଫୋକସ୍‌ରେ ରହିବ ଟଙ୍କା ପଇସା କାରବାର। କେତେ ଦିନ ଧରି ଏହି କଳା କାରନାମା ଚଲାଇଥିଲା ମୌଲାନା? ଏଥିରେ ଆଉ ସଂପୃକ୍ତି ଅଛି କି? ଏ ପର୍ଯ୍ୟନ୍ତ କୋଟିଏ ୫୦ ଲକ୍ଷ ପାଖାପାଖି ଟଙ୍କା ଠକିଥିବା ଜଣାପଡିଥିବା ବେଳେ ଆଉ କାହାକୁ ଠକିଛି ଭଣ୍ଡ ମୌଲାନା? ଏ ପର୍ଯ୍ୟନ୍ତ ତା’ର ୧୧ଟି ଆକାଉଣ୍ଟ ଥିବା ଜଣାପଡିଥିବା ବେଳେ କୋଲକାତାରେ ସେୟାର ମାର୍କେଟରେ ଲକ୍ଷାଧିକ ଟଙ୍କା ଇନଭେଷ୍ଟମେଣ୍ଟ କରିଥିବା ଜଣାପଡିଛି। ଏହାବାଦ ଆଉ କେଉଁଠି ଟଙ୍କା ଲଗେଇଛି କି ନାହିଁ ତାହା ପଚରାଉଚରା କରିବ ପୁଲିସ୍‌। ମୌଲାନର ଆଉ କିଛି ଗାଡି ଓ ଜମି ବାବଦରେ ସୁରାଗ ପାଇଛି ପୁଲିସ। ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରିବ।

ମୌଲାନା କୈଫ ଖାନ୍‌ ନାଁରେ ୬ଟି ମାମଲା ରୁଜୁ ହୋଇଛି। କଟକ ରାଣୀହାଟ ର ଶର୍ମିଲା ସେନଙ୍କ ଘରୁ ଗୁପ୍ତଧନ ଓ ଭୁତ ଛଡାଇବା କହି ୬୨ ଲକ୍ଷ ଠକେଇ, ଭଦ୍ରକର ଜେହେରୁଲ ଇସଲାମଙ୍କ ଘରୁ ଗୁପ୍ତ ଧନ ଓ ଭୂତ ଛଡାଇବା କହି ୫ ଲକ୍ଷ, କଟକ କିଶନନଗର ସୋନପୁର ଅଞ୍ଚଳର ସବନମ ଆରା ବେଗମଙ୍କୁ ଚାକିରି ଓ ହୀରା ବ୍ୟବସାୟ ରାଇଦେବ କହି ୧୫ ଲକ୍ଷ, ତିର୍ତ୍ତୋଲ ଅଞ୍ଚଳର ଦେବବ୍ରତ ମହାନ୍ତିଙ୍କ ଘରୁ ଭୁତ ପ୍ରେତ ଛଡାଇବା କହି ୨୨ଲକ୍ଷ, କେଶରପୁର ଅଞ୍ଚଳର ଶେଖ ଆଦିଲଙ୍କ ସମ୍ପର୍କୀୟଙ୍କ ଛୁଆପିଲା ହେବା ପାଇଁ ୫ ଲକ୍ଷ, ସଦର ଥାନା ଅଞ୍ଚଳରେ ଶର୍ମିଲା ବିବିଙ୍କୁ ଚାକିରି ଦେବାକୁ କହି ୫ ଲକ୍ଷ ଟଙ୍କା ମୌଲାନା କୈଫ ଖାନ୍‌ ଠକିଥିବା ଅଭିଯୋଗ ହୋଇଛି। ଏହା ଉପରେ ପୁଲିସ୍‌ ତାକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

Advertisment
Cuttack Crime Story Cuttack Story