Advertisment

ଚିଟଫଣ୍ଡ ମାମଲା: ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଆବେଦନ ହାଇକୋର୍ଟରେ ଖାରଜ

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତାଙ୍କ ଲିଙ୍କ ନେଇ ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରବିଙ୍କ ପାଇଁ ଅଡୁଆ ବଢିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Rabindra jena

Rabindra jena

ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢିଲା। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତାଙ୍କ ଲିଙ୍କ ନେଇ ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରବିଙ୍କ ପାଇଁ ଅଡୁଆ ବଢିଛି। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତାଙ୍କ ବିରୋଧରେ ସିବିଆଇର ଏତଲା ଏବଂ ଚାର୍ଜସିଟ ଉଭୟକୁ ରଦ୍ଦ କରିବାକୁ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

Advertisment

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ରବିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ପରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ମାମଲାର ତଦନ୍ତ କରି ରବିଙ୍କ ବିରୋଧରେ ସିସୋର ଠାରୁ ୧ କୋଟି ୭୫ ଲକ୍ଷ ଟଙ୍କା ବେଆଇନ କାରବାର କରିବା ଅଭିଯୋଗରେ ଚାର୍ଜସିଟ ଦାଖଲ କରିଥିଲା। ନିଜର ରାଜନୈତିକ ପ୍ରଭାବ ବିସ୍ତାର କରି ସିସୋରକୁ ଫାଇଦା ଏବଂ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ବେଆଇନ ଅର୍ଥ କାରବାର ହୋଇଥିବା କୋର୍ଟରେ ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ ସିବିଆଇର ଓକିଲ ସାର୍ଥକ ନାୟକ।

ଅନ୍ୟପଟେ ରବିଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅମନ ଲେଖି ଯୁକ୍ତି ଦର୍ଶାଇଥିଲେ ଯେ ଏହି ଟଙ୍କା ସିସୋରରୁ ରବି ଜେନା ଋଣ ଆକାରରେ ନେଇଥିଲେ। ସେପଟେ ସମବାୟ ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସିସୋର ନିଜ ମେମ୍ବରଙ୍କ ବ୍ୟତୀତ ଅନ୍ୟ କାହାକୁ ଋଣ ଦେଇ ପାରିବ ନାହିଁ ଏବଂ ଏଥି ପାଇଁ ପରିଚାଳନା କମିଟିର ଦସ୍ତାବିଜ ଜାଲ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଥିଲା।

Advertisment

ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ରବି ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି।

Chit Fund Scam