Advertisment

ଏସସିବିରେ ବିରଳ ଅସ୍ତ୍ରୋପଚାର; ଡାହାଣ ହାତରେ ଲାଗିଲା ବାମ ଗୋଡ଼ ଆଙ୍ଗୁଠି

ଏପରି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି।

author-image
Niharika Rout
ଅଦ୍ୟତନ ହୋଇଛି
SCB Medicald

SCB Medical

କଟକ(ଓଡ଼ିଶା ରିପୋର୍ଟର): ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି । ଏପରି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲରେ ହୋଇଛି। ଏପରି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି।

Advertisment

ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା। ଏହାପରେ ଉକ୍ତ କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ପ୍ରାୟ ୩ ମାସ ପୂର୍ବେ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ନୀରିକ୍ଷା ପରେ ଅପରେସନ ପାଇଁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି। ଗତ ୧୦ ଦିନ ତଳେ ଏକ ୮ ଜଣିଆ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ସୀତାକାନ୍ତଙ୍କ ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି, ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ଡାହାଣ ହାତ ବୁଢା ଅଙ୍ଗୁଳିରେ ଯୋଡ଼ା ଯାଇଛି । ପ୍ରାୟ ୮ ଘଣ୍ଟା ଧରି ଏହି ଅପରେସନ ଚାଲିଥିବା ବେଳେ ତାହା ସଫଳ ହୋଇଛି। ଫଳରେ ସୀତାକାନ୍ତ ଏବେ ନୂଆ ଜୀବନ ପାଇପାରିଛନ୍ତି ।

Advertisment

ଆଗମୀ ଭବିଷ୍ୟତରେ ଏହି ଯୁବକଙ୍କ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଅସୁବିଧା ଉପୁଜିବନି । ତାଙ୍କ ଡାହାଣ ହାତ ସମେତ ବାମ ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ବିଭୁତି ଭୂଷଣ ନାୟକ । ଡାହାଣ ହାତର ବୁଢ଼ା ଆଙ୍ଗୁଠି କଟି ଯିବା ହେତୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସୀତାକାନ୍ତ ଏବେ ପୁଣି ଥରେ ହସିବା ଶିଖିଲେଣି। ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ ଯୋଗୁ ନୂଆ ଜୀବନ ପାଇ ପାରିଥିବା କହିଛନ୍ତି ସୀତାକାନ୍ତ ।