/odisha-reporter/media/post_attachments/uploads/2021/03/Ravenshaw-University-chancellor-1.jpg)
Ravenshaw-University-chancellor
କଟକ (ଓଡ଼ିଶା ରିପୋର୍ଟର): ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷାକୁ ବନ୍ଦ କରାଯାଇଛି। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ବାକି ରହିଥିବା ଦୁଇଟି ପରୀକ୍ଷା ବନ୍ଦ ରହିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ରେଭେନ୍ସ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ।
କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, ବର୍ତ୍ତମାନ ୧୪ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଯଦି ଏହି ୧୪ ଦିନ ଭିତରେ କାହା ଭିତରେ କୌଣସି ସଂକ୍ରମଣ ଦେଖା ଦେବ, ତାହେଲେ ଏହା ଉପରେ ନିଷ୍ପତ୍ତି ନିଆଯିବ। ମହାନଦୀ ହଷ୍ଟେଲର ଯେଉଁ ଛାତ୍ରୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତାଙ୍କୁ ତାଙ୍କ ବାପା ମା' ଘରକୁ ନେଇ ଯାଇଛନ୍ତି।
ବର୍ତ୍ତମାନ ପୁଣିଥରେ କରୋନା ପରିସ୍ଥିତି ଉପୁଜି ଥିବାରୁ କରୋନା ଗାଇଡଲାଇନକୁ ଏବେ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏବେ କ୍ୟାମ୍ପସ ଭିତରକୁ କୌଣସି ବାହାରର କୌଣସି ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ କଟକଣା ଜାରି କରାଯାଇଛି। ତେବେ ବିଶ୍ଵବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ କରୋନାକୁ ନେଇ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ଅପରାଜିତା ଚୌଧୁରୀ।
କୁଳପତି ଆହୁରି କହିଛନ୍ତି, ଯେହେତୁ ପରୀକ୍ଷାକୁ ୧୪ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି, ତେଣୁ ବର୍ତ୍ତମାନ ଅଫଲାଇନରେ ପାଠପଢ଼ା ବନ୍ଦ ରହିବ। ତେବେ ଅନଲାଇନରେ ଯେଉଁ ଭଳି ପାଠପଢ଼ା ଚାଲୁଥିଲା, ତାହା ଜାରି ରହିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
