ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୩୦ ଟପି ସାରିଲାଣି। ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଶହରୁ ଅଧିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆପାତ୍ତକାଳୀନ ଚିକିତ୍ସା ସୁବିଧା ଯୋଗାଇବାକୁ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଏସସିବିରେ ଆଜି ସକାଳ ସୁଦ୍ଧା ୩୭ ଜଣ ଆଡମିଟ ହୋଇଥିବା ଏସ୍ସିବି କର୍ତ୍ତୃପକ୍ଷ କହିଛନ୍ତି।
ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନାନ୍ଦ ମହାରଣାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଏସସିବିକୁ ଅଣାଯାଉଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଗତ ରାତିରୁ ଡାକ୍ତରୀ ଟିମ୍ ମେଡିକାଲରେ ଉପସ୍ଥିତ ଅଛନ୍ତି ।
ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଏସସିବିରେ ଅଧିକ ସଂଖ୍ୟକ ଡାକ୍ତର ଉପସ୍ଥିତ ଅଛନ୍ତି। ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ୍ ଗଠିତ ହେଉଛି ବୋଲି ସେ କହିଛନ୍ତି।
ଏଥିସହ ସେ କହିଛନ୍ତି, ସମସ୍ତଙ୍କର ଏକାଧିକ ସ୍ଥାନରେ ଆଘାତ ଲାଗିଛି। ସେମାନଙ୍କ ଟେଷ୍ଟ ଚାଲିଛି। ୩,୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ୱାର୍ଡରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି।
ଗତକାଲି ରାତିରେ ଏପରି ଭୟଙ୍କର ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଆମ୍ବୁଲାନ୍ସ ପହଞ୍ଚିଥିଲା। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର, ବାଲେଶ୍ୱର, ଭଦ୍ରକ ଓ ଏସସିବିକୁ ପଠାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।