Advertisment

କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା

ଆଜି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Police

Police

Advertisment

କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା। ଛୁରା ମାଡ଼ରେ ଅମ୍ପାୟର ହୋଇଥିବା ଯୁବକ ମୃତ। ଆଜି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ମହିଂସାଲଣ୍ଡା ଗ୍ରାମର ଲକି ରାଉତ(୨୨) ବୋଲି ଜଣାପଡ଼ିଛି।

Advertisment

ଛୁରା ମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ଖବର ପାଇ ଚୌଦ୍ଵାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଥାନାକୁ ନେଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ମୁତାବକ, ମହିଁସାଲଣ୍ଡା ପଞ୍ଚାୟତରେ ଆଜି କ୍ରିକେଟ ଟୁନାମେଣ୍ଟ ଚାଲୁଥିବା ବେଳେ ଦୁଇଟି ଟିମ୍ ଭିତରେ ଗଣ୍ଡଗୋଳ ଘଟିଥିଲା। ମହିଁସାଲଣ୍ଡା ଗାଁର ପିଲାମାନେ ଏହି ଖେଳ ଆୟୋଜନ କରିଥିଲେ। ଆଜି ବ୍ରହ୍ମପୁର ଓ ଶଙ୍କରପୁର ଟିମ୍‌ ମଧ୍ୟରେ ମ୍ୟାଚ୍‌ ଖେଳା ଯାଉଥିଲା। ଦର୍ଶକମାନେ ଖେଳ ଦେଖିବାକୁ ଉପସ୍ଥିତ ଥିଲେ।

Advertisment

ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ ପରେ ଗଣ୍ଡଗୋଳ ହୋଇଥିଲା। ଅମ୍ପାୟର ହୋଇଥିବା ଲକି ଭୁଲ ନିଷ୍ପତ୍ତି ଦେଇଥିବା ନେଇ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୁଟିରଞ୍ଜନ( ମୁନା )ରାଉତ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ଲକି ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାକୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଘଟଣାର ପ୍ରତ୍ୟେକ୍ଷଦର୍ଶୀ ତଥା ଅନ୍ୟତମ ଅମ୍ପାୟାର ହୋଇଥିବା ପ୍ରୀତିରଞ୍ଜନ ସାମଲ କହିଛନ୍ତି, ମ୍ୟାଚ୍ ଚାଲିଥିବା ବେଳେ ପ୍ରଥମ ବଲ୍‌ ଖେଳୁଥିବା ବ୍ରହ୍ମପୁରର ବ୍ୟାଟ୍ସ ମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ବ୍ରହ୍ମପୁର ଗ୍ରାମର ଜଗା ରାଉତ ଏନେଇ ତାଙ୍କ ସହ ଯୁକ୍ତିତର୍କ କରିଥିଲା। ଏହାପରେ ବାଦଲ କୈବୁତୁଲ ନାମକ ଜଣେ ଯୁବକ ଆସି ଠେଲାପେଲା କରିଥିଲା ଓ ପିଠିକୁ ବାଡ଼େଇଥିଲା। ଏହା ଦେଖି ତାଙ୍କର ଭାଇ ଲକି ପହଞ୍ଚି ଗଣ୍ଡଗୋଳ ରୋକିବାକୁ ବୁଝାସୁଝା କରିଥିଲେ। ଏହି ସମୟରେ ଜଗା ତା’ର ଭାଇକୁ ଫୋନ୍ କରି ଡକାଇଥିଲା। କିଛି ସମୟ ପରେ ଘଟଣାସ୍ଥଳରେ ବ୍ରହ୍ମପୁରର ସ୍ମୃତିରଞ୍ଜନ ରାଉତ ଓ ମୁଗୁନି ରାଉତ ଓରଫ ସଞ୍ଜୟ ସହ ଏକ ବାଇକ୍‌ରେ ଆସି ପହଞ୍ଚି ଥିଲେ। କେହିକିଛି ବୁଝିବା ପୂର୍ବରୁ ସେମାନେ ଖେଳ ପଡ଼ିଆରେ ପ୍ରବେଶ କରିଥିଲେ। ଜଗା ଓ ସ୍ମୃତି ପଛରୁ ଆସି ଲକିଙ୍କ ଦୁଇ ହାତକୁ ଧରି ପକାଥିଲେ ଓ ସ୍ମୃତିରଞ୍ଜନ ଛୁରୀ ଭୁଷି ଦେଇଥିଲେ। କଷ୍ଟରେ ଚିତ୍କାର କରୁଥିବା ବେଳେ ଜଗା ଧରିଥିବା ବ୍ୟାଟ୍‌ରେ ଲକିଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଲକି ତଳେ ପଡ଼ି ଛଟପଟ ହେଉଥିବା ବେଳେ ସମସ୍ତ ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ। ତେବେ ଗାଁ ଲୋକଙ୍କ ହାତରେ ଜଣେ ଆକ୍ରମଣକାରୀ ଧରାପଡ଼ିଛି ବୋଲି ପ୍ରୀତିରଞ୍ଜନ କହିଛନ୍ତି।

ସେପଟେ ଦୁର୍ବୃତ୍ତମାନେ ଆସିଥିବା ବାଇକ୍‌କୁ ମଧ୍ୟ ଗ୍ରାମବାସୀ ଧରିଥିଲେ। ପରେ ଆକ୍ରମଣକାରୀକୁ ଏକ ଘରେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ବାଇକ୍‌ ପଛରେ ଏକ ଦଳୀୟ ଚିହ୍ନ ରହିଥିବାରୁ ଘଟଣା ରାଜନୈତିକ ବିବାଦ ଆଡ଼କୁ ମୁହାଁଉଥିବା ବେଳେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଅଟକ ଯୁବକକୁ ଥାନାକୁ ନେଇଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀମାନଙ୍କୁ ଧରି ଉଚିତ୍ ଦଣ୍ଡ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe