Advertisment

ପିଞ୍ଜରାରେ ୧୦ ହରିଣ ରହିବା କଥା, ହେଲେ ରହୁଛନ୍ତି ପ୍ରାୟ ୨୯୦; ଅନ୍ୟର ମନୋରଞ୍ଜନ ପାଇଁ କଷ୍ଟ ପାଉଛନ୍ତି ବନ୍ୟ ପ୍ରାଣୀ

ପରିବେଶବିତ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, ଏହି ଡିଅର ପାର୍କ ସମ୍ପୂର୍ଣ୍ଣ ବେଆଇନ। ସେଣ୍ଟ୍ରାଲ ଜୁ ଅଥରିଟି ଏହାର ଲାଇସେନ୍ସ ରଦ୍ଦ କରିସାରିଛନ୍ତି। ଏହାକୁ ପଦକ୍ଷେପକୁ ପ୍ରାୟ ୧୫ ବର୍ଷ ପୂରିଲାଣି।

author-image
Niranjan Mishra
ଅଦ୍ୟତନ ହୋଇଛି
Cuttack deer park

Cuttack deer park

ପିଞ୍ଜରା ଭିତରେ ଅତିବେଶୀରେ ୧୦ଟି ହରିଣ ରହିବା କଥା। ହେଲେ ରହୁଛନ୍ତି ପ୍ରାୟ ୨୯୦ରୁ ଅଧିକ ହରିଣ। ସେମାନଙ୍କ ଚରିବା ପାଇଁ ନା ଚାରଣ ଭୂମି ରହିଛି, ନା ମନ ଖୋଲି ଦୌଡ଼ିବାକୁ ସବୁଜିମା ପରିବେଶ। ପିଞ୍ଜରା ଭିତରେ ରହି କଷ୍ଟ ପାଇବା ଛଡ଼ା ଏହି ମୁକ ପ୍ରାଣୀଙ୍କ ଅନ୍ୟ ଉପାୟ ନାହିଁ। କାରଣ ବନ ବିଭାଗ କିମ୍ବା କଟକ ମହାନଗର ନିଗମ ଏହି ପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଗାଇଡ୍‌ ଲାଇନ୍‌ ଅନୁଯାୟୀ ପଦକ୍ଷେପ ନେଉନି। କେନ୍ଦ୍ର ଜଙ୍ଗଲ ବିଭାଗ ପଠାଇଥିବା ତାଗିଦ୍ ଚିଠିକୁ ମଧ୍ୟ ବେଖାତିର କରାଯାଉଛି। କଟକ ସହରର ତୁଳସୀପୁର ଠାରେ ଥିବା କଟକ ଡିୟର ପାର୍କରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟର ମନୋରଞ୍ଜନ ପାଇଁ କଷ୍ଟ ପାଉଛନ୍ତି ଏହି ବନ୍ୟ ପ୍ରାଣୀ।

Advertisment

ସୂଚନା ମୁତାବକ ଏହି ଡିୟର ପାର୍କ କଟକ ସହରବାସୀଙ୍କ ସମେତ ଅନ୍ୟମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇରହିଛି। ମାତ୍ର ଏଠାରେ ଯେତିକି ଭିତ୍ତିଭୂମି ରହିଛି ମାତ୍ର ୧୦ ଅବା ତା ଠାରୁ କମ ହରିଣ ରହିବା କଥା।

୧୯୮୧ ମସିହାରେ ମାତ୍ର ୬ଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ଡିୟର ପାର୍କ। ଆବଶ୍ୟକ ସୁରକ୍ଷା ମିଳୁଥିବାରୁ ତଥା ପ୍ରଜନନ ବଢ଼ିବାରୁ ସେମାନଙ୍କ ସଂଖ୍ୟା ଏବେ ୨୯୧ରେ ପହଞ୍ଚିଛି। ହେଲେ ସେମାନଙ୍କ ଖାଇବା ଓ ରହିବା ଭିତ୍ତିଭୂମିରେ ସେଭଳି କୌଣସି ଉନ୍ନତି ଘଟୁନାହିଁ। ଓଲଟା ସେମାନଙ୍କ ଚଳାଚଳରେ ବାଧା ଉପୁଜୁଛି। ସେମାନଙ୍କୁ ବିଶ୍ରାମ ନେବା ପାଇଁ ଛାଇ ଠିକ୍ ଭାବେ ମିଳିପାରୁନି। ଅଧିକ ସଂଖ୍ୟକ ବଡ଼ ଗଛ ନ ଥିବାରୁ ଅଧିକାଂଶ ହରିଣ ମୁଣ୍ଡ ଫଟା ଖରା, ବର୍ଷା ସହୁଛନ୍ତି। ତେଣୁ କେନ୍ଦ୍ର ଜଙ୍ଗଲ ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ଏକ ବଡ଼ ସ୍ଥାନକୁ ସ୍ଥାନାନ୍ତର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି।

Advertisment

ପରିବେଶବିତ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, ଏହି ଡିଅର ପାର୍କ ସମ୍ପୂର୍ଣ୍ଣ ବେଆଇନ। ସେଣ୍ଟ୍ରାଲ ଜୁ ଅଥରିଟି ଏହାର ଲାଇସେନ୍ସ ରଦ୍ଦ କରିସାରିଛନ୍ତି। ଏହି ପଦକ୍ଷେପକୁ ପ୍ରାୟ ୧୫ ବର୍ଷ ପୂରିଲାଣି। ଏହାକୁ ବଡ଼ ସ୍ଥାନକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ଜଙ୍ଗଲ ବିଭାଗ ମଧ୍ୟ ଚିଠି କରି ନିର୍ଦ୍ଦେଶ ଦେଇଛି। ସିଡିଏ ନିକଟରେ ଚିହ୍ନଟ ପ୍ରାୟ ୧୦ ଏକର ସ୍ଥାନକୁ ଏହି ଡିଅର ପାର୍କକୁ ସ୍ଥାନାନ୍ତର କରିବାକୁ ଯୋଜନା ମଧ୍ୟ ହୋଇଥିଲା। ମାତ୍ର ଏହାକୁ କାର୍ଯ୍ୟକାରୀ କରାଯାଉନି। ଫଳରେ ଏବେ ରହୁଥିବା ସ୍ଥାନରେ ହରିଣମାନେ କଷ୍ଟ ପାଉଛନ୍ତି। ଏଠାରେ ଛାଇ ସ୍ଥାନ ମିଳୁ ନ ଥିବାରୁ ହରିଣମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଦେଖାଦେଇଛି। ଜଙ୍ଗଲ ବିଭାଗ ପିସିସିଏଫ୍ ଓ କଟକ ମହାନଗର ନିଗମ ଉଭୟ ଏ ବାବଦରେ ଚୁପ୍ ରହି ଦାୟିତ୍ୱହୀନତା ଦେଖାଉଛନ୍ତି। ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ବେଆଇନ ଏହି ଡିଆର ପାର୍କ ଚଲାଉଥିବା କଟକ ମହାନଗର ନିଗମ ଅଧିକାରୀଙ୍କ ଉପରେ ମାମଲା ହେବା କଥା।

Cuttack deer parkକଟକ ଡିଅର ପାର୍କ

ସ୍ଥାନୀୟ ବାସିନ୍ଦା ଜୟକୃଷ୍ଣ ଆଚାର୍ଯ୍ୟ କହିଛନ୍ତି, ଡିଅର ପାର୍କରେ ଯେଉଁ ଅଢ଼େଇ ଏକର ସ୍ଥାନ ଅଛି ଅତି ବେଶୀରେ ୩୦ଟି ହରିଣ ରହିପାରିବେ। ମାତ୍ର ଏଠାରେ ହରିଣ ସଂଖ୍ୟା ବଢ଼ୁଛି ଓ ସ୍ଥାନ ଅଭାବ ଯୋଗୁ ହରିଣ ଦୁର୍ଦ୍ଦଶା ଭୋଗୁଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହି ସ୍ଥାନର ସୌନ୍ଦର୍ଯ୍ୟତା ବୃଦ୍ଧି ନିମନ୍ତେ ଦୃଷ୍ଟି ଦିଆ ନ ଯିବା ପରିତାପର ବିଷୟ।

କଟକ ମେୟର ସୁବାଷ ସିଂ କହିଛନ୍ତି, ଏହି ଡିଅର ପାର୍କ କଟକର ଗର୍ବ ଓ ଗୌରବର କଥା। ତେବେ କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଏହି ସ୍ଥାନରେ ଏତେ ସଂଖ୍ୟକ ହରିଣ ରହିବା କଥା ନୁହେଁ। ତେଣୁ ଏଠାରୁ କିଛି ହରିଣଙ୍କୁ ଚନ୍ଦକାର ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିକଳ୍ପ ଯୋଜନା ହୋଇଛି। ମାତ୍ର କଟକରୁ ହରିଣ ପାର୍କ ହଟିବନି।

ରିପୋର୍ଟ- କଟକରୁ ବିଶ୍ୱଜିତ ଆଚାର୍ଯ୍ୟ

Cmc Odisha Government Animal Love