ଟ୍ରେନ୍‌ ସାଉଣ୍ଡ ଶୁଣାଇ ଠକି ନେଲେ ୬୬ ହଜାର

ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଶ୍ରମିକ ପଠାଉଥିବା କହି ଠକମାନେ ବିଭିନ୍ନ ପର୍ଯ୍ୟାୟରେ ଏତେ ପରିମାଣର ଟଙ୍କା ହଡ଼ପ କରିନେଇଛନ୍ତି।

ଠକେଇର ଶିକାର ଠିକାଦାର।

  • Published: Saturday, 21 January 2023
  • , Updated: 21 January 2023, 10:26 PM IST

ଫୋନ୍‌ରେ ଟ୍ରେନ୍‌ ସାଉଣ୍ଡ ଓ ରେଳ ଷ୍ଟେଶନ ମାହୋଲର ସାଉଣ୍ଡ ଶୁଣାଇ ରାଜଧାନୀରରେ ଏ-କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଚୁନ ଲଗାଇଲେ ସାଇବର ଠକ। ଲେବର ଯୋଗାଇବା ନାମରେ ଏ-କ୍ଲାସ କଣ୍ଟ୍ରାର ନିତ୍ୟାନନ୍ଦ ପାଢୀଙ୍କ ଠାରୁ ପ୍ରାୟ ୬୬ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଶ୍ରମିକ ପଠାଉଥିବା କହି ଠକମାନେ ବିଭିନ୍ନ ପର୍ଯ୍ୟାୟରେ ଏତେ ପରିମାଣର ଟଙ୍କା ହଡ଼ପ କରିନେଇଛନ୍ତି।

ଲେବର ଆବଶ୍ୟକ ଥିବା ଜାଣିବା ପରେ ପ୍ରଥମେ କଣ୍ଟ୍ରାକ୍ଟରଙ୍କୁ କଲ କରିଥିଲା ଠକ। ଲେବର ପଠାଇବା ନିମନ୍ତେ ଆବଶ୍ୟକ ଟ୍ରେନ୍ ଟିକେଟ୍ କରିବା ପାଇଁ ପ୍ରଥମେ ୫ ହଜାର ଟଙ୍କା ମାଗିଥିଲା। ପରେ ଏହା ପର୍ଯ୍ୟାପ୍ତ ହେଉ ନ ଥିବା ଦର୍ଶାଇ ଲେବର ପିଛା ଟିକେଟ ଖର୍ଚ୍ଚ ବାବଦକୁ ଆଉ ୧୫ ହଜାର ଟଙ୍କା ନେଇଥିଲା। ଏହାର କିଛି ସମୟ ପରେ ଜିଆରପି ପୁଲିସ ହାବୁଡ଼ରେ ପଡି ଯାଇଥିବା କହି ଫାଇନ ବାବଦରେ ୩୩ ହଜାର ଟଙ୍କା ମାଗିଥିଲା। ଟଙ୍କା ଦେବାକୁ ଅମଙ୍ଗ ହେବାରୁ କୌଶଳ କରି ଫାଇନ୍‌ ବାବଦ ୧୩ ହଜାର ଟଙ୍କା ମାଗିଥିଲା। ଏପରିକି ଜିଆରପି ଅଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବାକୁ ଫୋନ୍‌ରେ କୁହାଯାଇଥିଲା।

ଏଭଳି ବାରମ୍ବାର ଟଙ୍କା ମାଗିବା ପରେ ଏହା ସାଇବର ଲୁଟେରାଙ୍କ କାରନାମା ହୋଇଥିବା ସନ୍ଦେହ କରି କଣ୍ଟ୍ରାକ୍ଟର ନିଜର ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କ ଜରିଆରେ ଘଟଣାର ଯାଞ୍ଚ କରିଥିଲେ। ଯାହା ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଆଜି ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାହା ପରେ ଘଟଣା ସାମ୍ନାକୁ ଆସିଛି।

ନିତ୍ୟାନନ୍ଦ କହିଛନ୍ତି, ମୁର୍ସିଦାବାଦରେ ଭଲ ମିସ୍ତ୍ରୀ ଓ ଶ୍ରମିକ ମିଳନ୍ତି। ତେଣୁ ପ୍ରତିଥର ଭଳି ସେ କାମ କରିବା ନିମନ୍ତେ ଶ୍ରମିକ ଖୋଜୁଥିବା ବେଳେ ଏକ ଫୋନ୍ ତାଙ୍କ ପାଖକୁ ଆସିଥିଲା। ମୁର୍ସିଦାବାଦ୍‌ରୁ ୧୮ ଜଣ ଶ୍ରମିକୁ ଆସିବାକୁ ପ୍ରସ୍ତୁତ ଥିବା ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। କିଛି ପଇସା ମଧ୍ୟ ଆବଶ୍ୟକ ନ ଥିବା ଜଣାଇଥିଲା। ସେମାନଙ୍କୁ ଆସିବାକୁ କହିବା ପରେ ଅର୍ଥାତ୍ ଠିକ୍‌ ୧୦ ମିନିଟ୍ ଯାଇଛି ନା ନାହିଁ, ଫୋନ୍ ଆସିଥିଲା। ୫ ହଜାର ଟଙ୍କା ଟିକେଟ ବାବଦ ଦେବାକୁ କହିଥିଲେ। ତେଣୁ ଆକାଉଣ୍ଟାଣ୍ଟକୁ କହି ଶ୍ରମିକମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇ ଦେଇଥିଲେ। ଟଙ୍କା ପାଇବା ପରେ ସେମାନେ କହିଥିଲେ ଘଣ୍ଟାଏ ଭିତରେ ନିୟୁ ଆଲିଗରଦ୍ୱାର ରେଳ ଷ୍ଟେଶନରେ ପହଞ୍ଚି ଟ୍ରେନ୍ ଧରିବେ।

ପରେ ପୁନଶ୍ଚ ଫୋନ୍ କରି କହିଥିଲେ, ସେମାନେ ଷ୍ଟେଶନରେ ପହଞ୍ଚି ସାରିଛନ୍ତି। ମାତ୍ର ଟିକେଟ୍ କରିବାକୁ ଜଣଙ୍କ ପିଛା ୧୦୯୦ ଟଙ୍କା ଲାଗୁଥିବା ଜଣାଇ ଟଙ୍କା ମାଗିଥିଲେ। ଆଗକୁ ଆଉ ଟଙ୍କା ମାଗିବେନି ବୋଲି ମଧ୍ୟ ଜଣାଇଥିଲେ। ଏହି ସମୟରେ ଫୋନ୍‌ରେ ଶ୍ରମିକଙ୍କ କଥାବାର୍ତ୍ତା ମଧ୍ୟ ଶୁଣାଯାଉଥିଲା। ଏତେ ଟଙ୍କା ଟିକେଟ୍‌ ବାବଦକୁ ଲାଗିବନି ବୋଲି କହିବାରୁ, ସେମାନେ କୌଶଳ କରି ଟିକେଟ୍ ବୁକିଂ କ୍ଲର୍କକୁ ଫୋନ୍ ଧରାଇଥିଲେ। ବୁକିଂ କ୍ଲର୍କ ଫୋନ୍ ଧରିଥିବା ବିଶ୍ୱାସ କରି ସେ ଆଉ ୧୫ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ପୁଣି ଫୋନ୍ କରିଥିଲେ। ଧନ୍ୟବାଦ ଦେବା ସହ ଟ୍ରେନ୍‌ରେ ବସି ସାରିଥିବା ସୂଚନା ଦେଇଥିଲେ। ପୁଣି ରାତି ୯ଟାରେ ଫୋନ୍ କରି କହିଥିଲେ, ଏକ ଏଲ୍‌ପି ସିଲିଣ୍ଡର ନେଇ ଯାଉଥିବାରୁ ଜିଆରପି ଧରିବା ସହ ୬୨ ଜରିମାନା ମାଗୁଛି ଓ ଗିରଫ କରିବାକୁ ଚେତାବନୀ ଦେଇଛି। ଏନେଇ ଟିକିଏ ଜିଆରପି ସହ କଥା ହେବାକୁ କହିଥିଲେ। ଏହି ଆଲୋଚନା ବେଳେ ଫୋନ୍‌ରେ ରେଳ ଷ୍ଟେଶନରେ ଚା’ ବିକାଳି ଓ ଟ୍ରେନ୍‌ ଆନାଉସମେଣ୍ଟର ସମସ୍ତ ମାହୋଲ ଶୁଣା ଯାଉଥିଲା।

ସେପଟେ ଫୋନ୍‌ରେ ଆଲୋଚନା ବେଳେ ଜିଆରପି ଅଧିକାରୀ ଜଣକ ଜରିମାନା ଟଙ୍କା ୩୩ ହଜାର ଟଙ୍କା ନେଇ ସମସ୍ତଙ୍କୁ ଛାଡ଼ି ଦେବ ବୋଲି କହିଥିଲା। ଏତେ ଟଙ୍କା ଦେବାକୁ ମନା କରିବା ପରେ ପୁଣି ଫୋନ୍ କରି ଏହି ଲୋକମାନେ କହିଥିଲେ ଆମେ ଅଫିସ୍‌ରକୁ ରାଜି କରାଇ ପାରିଛୁ, ୧୫ ହଜାର ଟଙ୍କା ଦେଲେ ସେମାନେ ଛାଡ଼ି ଦେବେ। ୧୫ ହଜାର ଟଙ୍କା ଦେବା ପରେ ପୁଣି ଫୋନ୍‌ କରି ୧୮ ହଜାର ଟଙ୍କା ଜିଆରପି ମାଗୁଥିବା ଜଣାଇଥିଲେ। ତେଣୁ ଏହି ଟଙ୍କା ମଧ୍ୟ ପଠାଇ ଦିଆଯାଇଥିଲା। ପରେ ପୁଣି ୫ ମିନିଟ୍ ପରେ ଫୋନ୍ କରି କାନ୍ଦିକାନ୍ଦି କହିଥିଲେ ଆମ ଏଟିଏମ୍ ଡେବିଟ୍ କାର୍ଡର ଲିମିଟ୍ ୨୦ ହଜାର ଟଙ୍କା ଥିବାରୁ ଟଙ୍କା ଦେଇ ହେଉନି। ତେଣୁ ଜିଆରପି ଗିରଫ କରିବ ବୋଲି କହୁଛି। ଏନେଇ ଏହି ଲୋକମାନେ ଜିଆରପି ଅଧିକାରୀଙ୍କୁ ଫୋନ୍‌ ଦେଇଥିଲେ। ଏହି ଅଧିକାରୀ ଜଣକ ଜରିମାନା ବାବଦ ୧୩ ହଜାର ଟଙ୍କା ଜଣେ କନଷ୍ଟେବଳ ଆକାଉଣ୍ଟକୁ ପଠାଇବାକୁ କହିଥିଲେ। ସେ ଏହା ମଧ୍ୟ ପଠାଇଥିଲେ। ସେ ପର୍ଯ୍ୟନ୍ତ ସେ ମୋଟ ୬୬ ହଜାର ଟଙ୍କା ପଠାଇ ସାରିଥିଲେ।

ପୁଣି ୧୦ ମିନିଟ୍ ପରେ ଫୋନ୍ କରି ଏହି ଲୋକମାନେ କହିଥିଲେ, ଜିଆରପି ଆମକୁ କିଶାନଗଞ୍ଜ ଠାରେ ଓହ୍ଲାଇ ଦେଇଛି। ମାଜିଷ୍ଟ୍ରେଟ୍ ଚେକିଂ ହେବ ଓ ୬୨ ହଜାର ଟଙ୍କା ନ ଦେଲେ ଗିରଫ କରିବେ ବୋଲି କହୁଛନ୍ତି। ତେଣୁ ଟଙ୍କା ପଠାଅ ବୋଲି ସେମାନେ କହିଥିଲେ। ଯାହା ପରେ ଲୋକଙ୍କ କଥାବାର୍ତ୍ତାକୁ ନେଇ ସନ୍ଦେହ ହୋଇଥିଲା।

ତେଣୁ ସେ ଏହି ଅଞ୍ଚଳରେ ଡିଆରଏମ୍‌ ଥିବା ସାଙ୍ଗ ସହ ଯୋଗାଯୋଗ କରିଥିଲେ। ଟଙ୍କା ଦେଇ ସାରିଥିଲେ ହେଁ ଜିଆରପି ଶ୍ରମିକମାନଙ୍କୁ କାହିଁକି ଛାଡ଼ୁନି ବୋଲି ବୁଝି କହିବାକୁ ସହଯୋଗ ଲୋଡ଼ିଥିଲେ। ସେ ୧୦ ମିନିଟ୍ ପରେ ଖୋଜ୍‌ ଖବର ନେଇ ଜଣାଇଥିଲେ ଯେ, ଏମିତି କୌଣସି ଘଟଣା ଘଟିନି, ତାଙ୍କ ସହ ଠକାମୀ ହୋଇଛି। ଫୋନ୍‌ ଟ୍ରାକ୍‌ କରିବାରୁ ଦୁର୍ବୃତ୍ତମାନେ ଗୋଟିଏ ସ୍ଥାନରେ ରହି ଠକେଇର ଜାଲ ପକାଇଥିବା ମଧ୍ୟ ଏହି ଡିଆରଏମ୍ ଜଣାଇ ଦେଇଥିଲେ। ଯାହା ପରେ ସେ ସାଇବର ଥାନାରେ ଅଭିଯୋଗ କରି ଦୁର୍ବୃତ୍ତମାନଙ୍କ ଧରିବାକୁ ଏତଲା କରିଛନ୍ତି।

Related story