ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲକଡାଉନ୍, ସଟ୍ଡାଉନ୍ ସମୟରେ ଧୁମ୍ ଲୁଟିଛନ୍ତି ସାଇବରେ ଲୁଟେରା । ପୂର୍ବ ବର୍ଷ ତୁଳନାରେ ୨୦୨୦ରେ ରାଜ୍ୟରେ ପ୍ରାୟ ୩୦ ପ୍ରତିଶତ ବଢ଼ିଛି ସାଇବର୍ ଅପରାଧ । ଗତବର୍ଷ ମୋଟ୍ ୧୯୩୧ଟି ସାଇବର୍ କେସ୍ ସାମ୍ନାକୁ ଆସିଥିବା ବେଳେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଅପରାଧୀ । NCRB ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। .. ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ କେବଳ ଚଳିତ ବର୍ଷ ୧୦ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି ସାଇବର୍ ଲୁଟେରା।
ସାଇବର ଅପରାଧ ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା । ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ । ୨୦୨୦ରେ ରାଜ୍ୟରେ ପ୍ରତି ଲକ୍ଷେରେ ୪ ଜଣ ସାଇବର ଅପରାଧର ଶିକାର ହୋଇଛନ୍ତି । ୩୦ ପ୍ରତିଶତ ଉପରମୁହାଁ ହୋଇଛି ସାଇବର ଅପରାଧ ମାମଲା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ-ଏନସିଆବି ତଥ୍ୟ କହୁଛି, ୨୦୨୦ରେ ଅଦୃଶ୍ୟ ଲୁଟେରା ରାଜ୍ୟରେ ଘଟାଇଛନ୍ତି ୧୯୩୧ ସାଇବର ଅପରାଧ।ମାନେ ଦିନକୁ ପ୍ରାୟ ୫ଟି କେସ୍ । ଗତବର୍ଷ ରାଜ୍ୟରେ ୫୨୪ଟି ଅଶ୍ଳୀଳ, ଯୌନ ଉଦ୍ଦୀପକ ଓ ଶିଶୁ ଯୌନ ସମ୍ପର୍କିତ ସାଇବର ଅପରାଧ ଘଟିଛି । ସେହିଭଳି ୫୪୯ଟି ଅନ୍ଲାଇନ୍ ବ୍ୟାଙ୍କ ଠକେଇ, ୩୬୨ଟି ଏଟିଏମ୍ ଠକେଇ, ୪୫ଟି ଫୋର-ଟ୍ୱେଣ୍ଟି ଜାଲିଆତି ମାମଲା ସାମ୍ନାକୁ ଆସିଥିଲା । ରାଜ୍ୟରେ ସାଇବର ଅପରାଧ ବଢୁଥିବା ବେଳେ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହାର କିନ୍ତୁ ଏକଦମ୍ ନୈରାଶ୍ୟଜନକ । NCRB ରିପୋର୍ଟ କହୁଛି, ୨୦୨୦ରେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଅପରାଧୀ । ଏମିତିକି ୯୯.୯ ପ୍ରତିଶତ ମାମଲା ବିଚାର ନ ହୋଇ ପଡ଼ିରହିଛି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାଇବର ବିଶେଷଜ୍ଞ ।
ଏପଟେ ସାଇବର ଫ୍ରଡ୍ କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। କେବଳ ଭୁବନେଶ୍ୱରରୁ ଗତ ୮ ମାସରେ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଲୁଟେରା। ୟୁପିଆଇ, କ୍ରେଡିଟ୍-ଡେବିଟ୍ କାର୍ଡ, ଏଟିଏମ୍, ଲଟେରି ଭଳି ନୂଆ ନୂଆ କୌଶଳ ଅବଲମ୍ବନ କରି ଚିତା କାଟୁଛନ୍ତି ସାଇବର ଠକ । ତଥ୍ୟ କହୁଛି, ଯେତିକି ଲୁଟ୍ ହେଉଛି, ଅସୁଲ ହେଉଛି ଖୁବ୍ ନଗଣ୍ୟ। ଓଡ଼ିଶାରେ ବିଶେଷ କରି ଝାଡ଼ଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ, ହରିୟାଣାର ସାଇବର ଲୁଟେରା ସକ୍ରିୟ ଅଛନ୍ତି। ରାଜ୍ୟରେ ଟେକ୍ନୋଲୋଜି, ଦକ୍ଷତା ଓ ମାନବ ସମ୍ବଳର ଅଭାବ ସାଇବର ଲୁଟେରାଙ୍କୁ କାୟା ବିସ୍ତାର ଲାଗି ଖୋରାକ ଯୋଗାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।