Advertisment

Cyclone ‘Montha’ : ଆସୁଛି ବାତ୍ୟା ‘ମୋନ୍ଥା’: ଓଡ଼ିଶାରେ କରିନପାରେ ଲ୍ୟାଣ୍ଡଫଲ୍ , ପ୍ରବଳ ବର୍ଷା ଆଶଙ୍କା, ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ଏହା ସିଧାସଳଖ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା କମ ଥିଲେ ମଧ୍ୟ, ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

author-image
Prakash Sethi
CYCLONE-MONTHA

CyCLONE Montha

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଛି । ୨୭ତାରିଖ ସୁଦ୍ଧା ଅଧିକ ଶକ୍ତିଶାଳୀ ହୋଇ ଏହି ସାମୁଦ୍ରିକ ଝଡ଼ ‘ମୋନ୍ଥା’ ୨୮ତାରିଖରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ଏହା ସିଧାସଳଖ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା କମ ଥିଲେ ମଧ୍ୟ, ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ସୂଚନାକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

Advertisment


ଝଡ଼ର ଗତିପଥ ଓ ତୀବ୍ରତା ଆକଳନ


ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅକ୍ଟୋବର ୨୫ତାରିଖ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ଏହା  ପୋର୍ଟବ୍ଲେୟାରଠାରୁ ପ୍ରାୟ ୫୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି ଏବଂ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୧୦୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ରହିଛି ।


ଏହା ଆସନ୍ତାକାଲି ଅକ୍ଟୋବର ୨୬ ସୁଦ୍ଧା ଗଭୀର ଅବପାତ ଓ ଅକ୍ଟୋବର ୨୭ ସକାଳ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଅଧିକ ଶକ୍ତିଶାଳୀ ହୋଇ ଅକ୍ଟୋବର ୨୮ ସକାଳ ସୁଦ୍ଧା ଏହା ଏକ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଆକଳନ ଅନୁଯାୟୀ, ଏହି ସାମୁଦ୍ରିକ ଝଡ଼ ଅକ୍ଟୋବର ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମ ଓ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ା ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ଘଂଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବ, ଯାହା ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

Advertisment


ଓଡ଼ିଶା ଉପରେ ସମ୍ଭାବ୍ୟ ପ୍ରଭାବ


ଆଇଏମଡି ପୂର୍ବାନୁମାନ ଅନୁସାରେ, ଏହି ସାମୁଦ୍ରିକ ଝଡ଼(cyclone montha) ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବାକୁ ଥିବାରୁ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ କମ ରହିବ । ତେବେ ଏହାର ପ୍ରଭାବରେ ଅକ୍ଟୋବର ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ପ୍ରାୟ ୧୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 
 ବିଶେଷକରି ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ପବନର ବେଗ ମଧ୍ୟ ବୃଦ୍ଧି ପାଇବ । ଅକ୍ଟୋବର ୨୬ ତାରିଖରୁ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ, ଯାହା ଅକ୍ଟୋବର ୨୮-୨୯ ବେଳକୁ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳବର୍ତ୍ତୀ ଅଂଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।


ସରକାରୀ ପ୍ରସ୍ତୁତି ଓ ମୁକାବିଲା ଯୋଜନା


ସାମୁଦ୍ରିକ ଝଡ଼ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା(Odisha) ସରକାର ହାଇଆଲର୍ଟ ଜାରି କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୂସ୍ଖଳନ ସମ୍ଭାବନା ଥିବା ଜିଲ୍ଲା ଯଥା- ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଜଳ ସଂପଦ, ପଂଚାୟତିରାଜ, କୃଷି ଏବଂ ଶକ୍ତି ସମେତ ଅନେକ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନ(ଏସଆରସି) ଦେଓରଞ୍ଜନ ସିଂ ସମସ୍ତ ଜିଲ୍ଲାପାଳଙ୍କୁ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଶୁଖିଲା ଖାଦ୍ୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି । ପାରାଦୀପ ସମେତ ଅନ୍ୟାନ୍ୟ ମାଛଧରା ବନ୍ଦର ଓ ଉପକୂଳବର୍ତ୍ତୀ ଅଂଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ କରାଯାଉଛି ।


ବିଦେଶୀ ପାଣିପାଗ ମଡେଲଗୁଡ଼ିକର ପୂର୍ବାନୁମାନ


ଭାରତୀୟ ପାଣିପାଗ ବିଭାଗ ବ୍ୟତୀତ ବିଭିନ୍ନ ଅନ୍ତର୍ଜାତୀୟ ପୂର୍ବାନୁମାନ ମଡେଲଗୁଡ଼ିକ ମଧ୍ୟ ବଙ୍ଗୋପସାଗର(Bay Of Bengal) ରେ ସୃଷ୍ଟି ହୋଇଥିବା ଏହି ଅବପାତ ଉପରେ ନଜର ରଖିଛନ୍ତି । ଆମେରିକୀୟ ସଂସ୍ଥା ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ ଅନୁଯାୟୀ, ଏହି ‘ଅବପାତ’ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଧିକ ଏବଂ ଏହାର ଗତିପଥ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।


 ସେହିପରି ୟୁରୋପୀୟ ସେଂଟର ଫର ର୍ମିଡିୟମ୍ ରେଞ୍ଜ ୱେଦର ଫୋରକାଷ୍ଟସ୍ (ୟୁରୋପୀୟ ମଡେଲ୍‌) ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କେବଳ ଅବପାତ ବା ଗଭୀର ଅବପାତ ସ୍ତର ପର୍ଯ୍ୟନ୍ତ ହିଁ ପୂର୍ବାନୁମାନ କରିଥିଲା, କିନ୍ତୁ ଏବେ ଏହା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଦେଖାଉଛି । କିଛି ମଡେଲ୍ ପ୍ରଥମେ (Bay of Bengal cyclone track) ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ଆଶଙ୍କା କରିଥିଲେ ମଧ୍ୟ, ଏବେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଆକଳନ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ହିଁ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।

Odisha Bay Of Bengal Bay of Bengal cyclone track cyclone montha