Advertisment

Cyclone ‘Montha’ : ୮ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି, ଏନଡିଆରଏଫ-ଓଡ୍ରାଫ୍ ଟିମ୍ ମୁତୟନ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା

‘ମୋନ୍ଥା’କୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ବିଶେଷକରି ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏସବୁ ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରାଯିବା ସହ ବିପଦଶଙ୍କୁଳ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

CYCLONE-MONTHA-27-10

Latest Cyclone track (Source-IMD)

Advertisment

ସାମୁଦ୍ରିକ ଝଡ଼ ‘ମୋନ୍ଥା’ ସମୁଦ୍ର ଭିତରେ ଅଧିକ ବଳ ଗୋଟାଇ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି । ଏହା ଆସନ୍ତାକାଲି ସନ୍ଧ୍ୟା କିମ୍ବା ରାତିରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟବର୍ତ୍ତୀ ଅଂଚଳରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଉଛି । ‘ମୋନ୍ଥା’କୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ବିଶେଷକରି ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏସବୁ ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମୁତୟନ କରାଯିବା ସହ ବିପଦଶଙ୍କୁଳ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଯେଭଳି ଆକଳନ କରାଯାଉଛି ସେପରି ପ୍ରଭାବ ଗଜପତି ଓ  ଗଞ୍ଜାମ ଜିଲ୍ଲାରେ ପଡ଼ିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଦିନ ୧୦ଟାରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

Advertisment


ମାଡ଼ି ଆସୁଛି ‘ମୋନ୍ଥା’

 ଭୁବନେଶ୍ୱର ଆଇଏମଡି କାର୍ଯ୍ୟାଳୟ ପକ୍ଷରୁ ରାତି ସାଢ଼େ ୯ଟାରେ ଜାରି ବୁଲେଟିନ୍ ଅନୁସାରେ, ସାମୁଦ୍ରିକ ଝଡ଼ ‘ମୋନ୍ଥା' ଏବେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର(Bay of Bengal cyclone) ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଗତ ଛଅ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏବଂ ୨୭ ତାରିଖ ସନ୍ଧ୍ୟା ସାଢ଼େ ୫ଟା ସମୟରେ ଏହା ଚେନ୍ନାଇ ଉପକୂଳରୁ ୪୨୦କିମି, କାକିନାଡ଼ାର ଦକ୍ଷିଣପୂର୍ବରେ ୪୫୦କିମି ଓ ଗୋପାଳପୁରର ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ ୬୭୦କିମି ଦୂରରେ ଅବସ୍ଥିତ ରହିଥିଲା । ଏହା ଅଧିକ ବଳ ଗୋଟାଇ ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି । ଯାହାକି ଆସନ୍ତାକାଲି ସନ୍ଧ୍ୟା କିମ୍ବା ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡ଼ା ନିକଟରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ପବନ ବେଗରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ଓଡ଼ିଶା ପାଇଁ ବର୍ଷା ଓ ପବନର ଚେତାବନୀ 

ବାତ୍ୟା ‘ମୋନ୍ଥା' ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା(odisha)ର ଅନେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ 'ରେଡ୍ ୱାର୍ଣ୍ଣିଂ' ଜାରି କରାଯାଇଛି । ଅକ୍ଟୋବର ୨୮ ତାରିଖ ଠାରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ ସେଂଟିମିଟରରୁ ଅଧିକ) ହେବାର ସମ୍ଭାବନା ରହିଛି । 

Advertisment

ସେହିପରି, ଅକ୍ଟୋବର ୨୯ ତାରିଖ ସକାଳୁ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏଥିସହ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଂଚଳରେ ଅକ୍ଟୋବର ୨୮ ତାରିଖ ସନ୍ଧ୍ୟାରୁ ୨୯ ତାରିଖ ପ୍ରାତଃ ସମୟ ପର୍ଯ୍ୟନ୍ତ ପବନର ବେଗ ଘଂଟା ପ୍ରତି ୬୦ରୁ ୭୦ କିଲୋମିଟରକୁ ବୃଦ୍ଧି ପାଇ ସର୍ବାଧିକ ୮୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । କଳାହାଣ୍ଡି ଜିଲ୍ଲା ଏବେ ବି ରେଡ୍ ୱାର୍ଣ୍ଣିଂ ଜୋନରେ ରହିଛି । ତେବେ ଗଞ୍ଜାମ ଓ ଗଜପତିରେ ବିଶେଷ ପ୍ରଭାବ ପଡ଼ିବନି ବୋଲି ଆକଳନ କରାଯାଉଛି ।
ବାତ୍ୟା ଯୋଗୁଁ ଓଡ଼ିଶା ଉପକୂଳରେ ସମୁଦ୍ରର ସ୍ଥିତି ଅଶାନ୍ତ ରହିବ । ତେଣୁ  ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।


ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ସ୍ଥାନାନ୍ତରଣ

ବାତ୍ୟା ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ମୋଟ ୧୪୪୫ ରିଲିଫ୍ କେନ୍ଦ୍ର ପ୍ରସ୍ତୁତ ଅଛି । ମାଲକାନଗିରିରେ ୬୨, କୋରାପୁଟ ୨୪୭, ନବରଙ୍ଗପୁର ୧୦୪, କଳାହାଣ୍ଡିରେ ୧୦୦, ଗଞ୍ଜାମ ୧୨୯, କନ୍ଧମାଳରେ ୪୧ ରିଲିଫ୍ କେନ୍ଦ୍ର ପ୍ରସ୍ତୁତ ରହିଛି । ଏବେସୁଦ୍ଧା ପ୍ରାୟ ୩ ହଜାର ଲୋକଙ୍କୁ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଏବଂ ଆଗକୁ ମୋଟ ୩୨ ହଜାର ୫୨୮ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ରହିଛି । ସର୍ବାଧିକ ୨୫୫୪ ଲୋକ ଗଜପତିରେ ସ୍ଥାନାନ୍ତରିତ ହୋଇଛନ୍ତି ।

୨୪ ଓଡ୍ରାଫ୍‌, ୫ଟି ଏନଡିଆରଏଫ ଏବଂ ୧୧୧ ଅଗ୍ନିଶମ ବାହିନୀ ଟିମ୍ ସହିତ ମୋଟ ୧୪୦ଟି ଟିମ୍ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଉନ୍ନୟନ କମିଶନର, ଏସଆରସିଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଓ ପ୍ରସ୍ତୁତି ବୈଠକ କରିଥିଲେ । ଏହାପରେ ଗଣମାଧ୍ୟମ ସୂଚନା ଦେଇ କହିଛନ୍ତି ଯେ, ହୁଏତ ପୂର୍ବାନୁମାନ ଅନୁଯାୟୀ ମୋନ୍ଥା ବାତ୍ୟାର ସେତିକି ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତୁତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବାତ୍ୟା ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବିଭାଗର ପ୍ରମୁଖ ପ୍ରାଥମିକତା ହେଉଛି ଆସନ୍ନ ପ୍ରସବା ମହିଳାମାନଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା । ସମ୍ବେଦନଶୀଳ ଅଂଚଳରୁ ଚିହ୍ନଟ ହୋଇଥିବା ମୋଟ ୧୪୯୬ ରୁ ୧୫୦୦ ଆସନ୍ନପ୍ରସବା ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ଆଉ ୭୬୦ ଜଣଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ଚାଲିଛି । ଏବେସୁଦ୍ଧା ୧୦୭୩ ଜଣ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୨ ଜଣ ସୁରକ୍ଷିତ ପ୍ରସବ କରିଛନ୍ତି । ଡାକ୍ତରଖାନାମାନଙ୍କରେ ବିଦ୍ୟୁତ୍ ସରବରାହ ବଜାୟ ରଖିବା ପାଇଁ ଜେନେରେଟର ସେଟ୍ , ଇନଭର୍ଟର ସ୍ଥାପନ କରାଯାଇଛି ଏବଂ ଜିଲ୍ଲା ଜରୁରୀକାଳୀନ ୟୁନିଟ୍ ସହ ଯୋଗାଯୋଗ ରଖି ଆବଶ୍ୟକୀୟ ସ୍ଥାନରେ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।


କୃଷି, ଶକ୍ତି ବିଭାଗ ଓ ଜନସାଧାରଣ ପାଇଁ ପରାମର୍ଶ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚାଷୀମାନଙ୍କୁ ଶୀଘ୍ର ୮୫ ପ୍ରତିଶତ ପାଚି ଯାଇଥିବା ଜଲଦି ଓ ମଧ୍ୟମ କିସମର ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ଗଦା କରି ପଲିଥିନରେ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି । ଏହାସହ ପନିପରିବା ଓ ଡାଲି ଜାତୀୟ ଫସଲରେ ଜଳସେଚନ ବନ୍ଦ କରିବାକୁ କୁହାଯାଇଛି । ଶକ୍ତି ବିଭାଗ ବାତ୍ୟା ପରବର୍ତ୍ତୀ ସମୟରେ ୨୪ ଘଂଟା ମଧ୍ୟରେ ବିଦ୍ୟୁତ୍ ସେବା ପୁନଃସଂସ୍ଥାପନ କରିବାକୁ ପ୍ରସ୍ତୁତି କରିଛି । କୃଷି ବିଭାଗ ନିଜର କର୍ମଚାରୀମାନଙ୍କ ଛୁଟି ବାତିଲ କରିଛି । 

ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବଂଟନ କଂପାନୀ (ଟାଟା ପାୱାର) ଏବଂ ଓପିଟିସିଏଲ ପକ୍ଷରୁ ୮୦୦୦ରୁ ଅଧିକ କର୍ମଚାରୀ ଓ ଉପକରଣ ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନା, ଜଳ ଯୋଗାଣ ଭଳି ଜରୁରୀକାଳୀନ ସେବାଗୁଡ଼ିକ ପାଇଁ ବିଦ୍ୟୁତ୍ ଯୋଗାଣ ବଜାୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟା ପାଇଁ ଗ୍ରାହକମାନେ ୧୯୧୨ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ବିଶେଷ ଭୟଭୀତ ନହେବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଉପକୂଳବର୍ତ୍ତୀ ଅଂଚଳରେ ଚାଳଘରେ ରହୁଥିବା ଲୋକଙ୍କୁ ଓ ପକ୍କା ଘର ନଥିବା ଲୋକଙ୍କୁ ତୁରନ୍ତ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି । ପ୍ରଭାବିତ ଅଂଚଳର ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ ବାତ୍ୟା ସମୟରେ ମୋଟର ବୋଟରେ ଯାତାୟାତ ନକରିବାକୁ କୁହାଯାଇଛି । ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ଥିବାରୁ ଗଛ ତଳେ ଆଶ୍ରୟ ନ ନେବାକୁ ଏବଂ ସମସ୍ତ ବୈଦ୍ୟୁତିକ ଉପକରଣକୁ ତୁରନ୍ତ ସଂଯୋଗରୁ ବିଚ୍ଛିନ୍ନ କରିବାକୁ  ପରାମର୍ଶ ଦିଆଯାଇଛି । ଗଜପତି ଜିଲ୍ଲାରେ ୩୩୯ଟି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ପ୍ରଭାବିତ ୮ଟି ଜିଲ୍ଲାରେ ସ୍କୁଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Odisha Bay of Bengal cyclone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe