Advertisment

Cyclone Montha: ‘ମୋନ୍ଥା’ ପ୍ରକୋପରୁ ବର୍ତ୍ତିଲା ଓଡ଼ିଶା, ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ

୩୦ତାରିଖରୁ ବାତ୍ୟା ‘ମୋନ୍ଥା’ ଜନିତ ବର୍ଷା ଓ ପବନରେ ପ୍ରଭାବିତ ଫସଲ ଏବଂ ଘର କ୍ଷୟକ୍ଷତିର ଠିକ୍ଆ କଳନ କାର୍ଯ୍ୟ ଆରମ୍ଭ କରି ୭୨ ଘଂଟା ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

author-image
Prakash Sethi
Montha-Cyclone-impact

Cyclone Montha Impact

୧୯୯୯ ମହାବାତ୍ୟାକୁ ଆଜି ୨୬ବର୍ଷ ପୁରିଥିବାବେଳେ ଆଉ ଏକ ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ର ପ୍ରକୋପରୁ ଆଜି ରକ୍ଷା ପାଇଯାଇଛି ଓଡ଼ିଶା । ଏହି ବାତ୍ୟା ଦିଗ ପରିବର୍ତ୍ତନ କରି ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବା ପରେ ଝାଡ଼ଖଣ୍ଡ ଆଡ଼େ ମୁହାଁଇଥିବାରୁ ବଡ଼ଧରଣର କ୍ଷୟକ୍ଷତିରୁ ଓଡ଼ିଶା ରକ୍ଷା ପାଇଯାଇଛି । ‘ମୋନ୍ଥା’କୁ ନେଇ ଉପୁଜିଥିବା ପରିସ୍ଥିତିର ସମୀକ୍ଷା କରିବା ସହ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।

Advertisment


କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ବ୍ୟବସ୍ଥା

ଆସନ୍ତାକାଲି ଅର୍ଥାତ୍ ୩୦ତାରିଖରୁ ବାତ୍ୟା ‘ମୋନ୍ଥା’ ଜନିତ ବର୍ଷା ଓ ପବନରେ ପ୍ରଭାବିତ ଫସଲ ଏବଂ ଘର କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଆରମ୍ଭ କରି ୭୨ ଘଂଟା ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ଫସଲର ଠିକ୍ ଆକଳନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ, ଆକଳନବେଳେ ଅଧିକାରୀମାନେ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ନମ୍ବର ମାଗିବେ ଏବଂ ଅନଲାଇନ ମାଧ୍ୟମରେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ ଅଧିକ ସରକାରୀ କର୍ମଚାରୀଙ୍କୁ ମଧ୍ୟ କ୍ଷୟକ୍ଷତି ଆକଳନ କାର୍ଯ୍ୟରେ ନିୟୋଜିତ କରାଯିବ । ବହୁ ସ୍ଥାନରେ ଘର କାନ୍ଥ ପଡ଼ିଥିବାରୁ ସେମାନଙ୍କୁ ସାମୟିକ ଆଶ୍ରୟ ପାଇଁ ପଲିଥିନ ଯୋଗାଇ ଦିଆଯାଇଛି ବୋଲି ଆଜି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଦ୍ୱାରା ସମୀକ୍ଷାରୁ ଜଣାପଡ଼ିଥିଲା ।

‘ମୋନ୍ଥା’ ପ୍ରଭାବ: ବର୍ଷା କ୍ଷୟକ୍ଷତି ଓ ରିଲିଫ୍ 

ବାତ୍ୟା ‘ମୋନ୍ଥା' (cyclone montha) ସିଧାସଳଖ ଓଡ଼ିଶାକୁ ପ୍ରଭାବିତ କରି ନଥିଲେ ମଧ୍ୟ ଏହାର ପାର୍ଶ୍ୱପ୍ରଭାବରେ ରାଜ୍ୟର ମୋଟ ୩୩ଟି ବ୍ଲକ ଏବଂ ୧୧ଟି ସହରାଂଚଳ ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ସର୍ବାଧିକ ୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ, ୫୬ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗଜପତି, ଗଞ୍ଜାମ, ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ଭୂସ୍ଖଳନ ଓ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟରେ ପୂର୍ବ ପ୍ରସ୍ତୁତି କରିଥିବାରୁ  ବ୍ୟାପକ ସ୍ଥାନାନ୍ତରଣ କରାଯାଇଥିଲା । ବାତ୍ୟା ମୁକାବିଲା ପାଇଁ ୧୬୧ଟି ଟିମ୍ ନିୟୋଜିତ ଥିଲେ । ମୋଟ ୨୧୬୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୧୯ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଥିରେ ୨୧୮୯ ଜଣ ଗର୍ଭବତୀ ମହିଳା ମଧ୍ୟ ସାମିଲ ଥିଲେ । ପ୍ରଭାବିତ ଅଂଚଳରେ ୩୬୨ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ  ଯୋଗାଇ ଦିଆଯାଉଛି, ଯାହା ମାଧ୍ୟମରେ ୧୮,୭୬୨ ଜଣ ଲୋକଙ୍କୁ ଖାଦ୍ୟ ଦିଆଯାଇଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଡାକ୍ତରୀ ଦଳ ନିୟୋଜିତ କରାଯାଇଥିବାବେଳେ ପ୍ରାଣୀସମ୍ପଦର ସୁରକ୍ଷା ପାଇଁ ୩୫ଟି ପଶୁଚିକିତ୍ସା ଦଳ ନିୟୋଜିତ ହୋଇଥିଲେ । ଏହି ବାତ୍ୟାରେ ୩୩ଟି ବ୍ଲକ୍‌, ୧୧ଟି ସହରାଞ୍ଚଳ ଓ ୩୫୮ଟି ଗ୍ରାମ ପ୍ରଭାବିତ ହୋଇଛି ।

Advertisment

ପୁନରୁଦ୍ଧାର ଏବଂ ସତର୍କତା ନିର୍ଦ୍ଦେଶ

ସୂଚନା ଅନୁସାରେ Odishaରେ ବାତ୍ୟା ପ୍ରଭାବରେ ବାଧାପ୍ରାପ୍ତ ହୋଇଥିବା ନିରବଚ୍ଛିନ୍ନ ବିଦ୍ୟୁତ ସେବାକୁ ତୁରନ୍ତ ସଂଯୋଗ କରିବା କାର୍ଯ୍ୟ ସରିଲାଣି । ରାସ୍ତା ଉପରୁ ଗଛ କାଟି ରାସ୍ତା ସଫା କରାଯାଇ ଯୋଗାଯୋଗକୁ ସ୍ୱାଭାବିକ କରାଯାଇଛି । ତେବେ ଆସନ୍ତାକାଲି କିଛି ଜାଗାରେ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୩୦ ଓ ୩୧ତାରିଖ ଦୁଇଦିନ ଧରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଗଞ୍ଜାମ ସମେତ ଅନେକ ଜିଲ୍ଲାରେ ଘଂଟାପ୍ରତି ୩୦-୪୦ କିମି ବେଗରେ ଝଟକା ପବନ ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଉପରୋକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୩୦ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ଘୂର୍ଣ୍ଣିଝଡ଼, ପବନ, କୁଆପଥର, ବଜ୍ରପାତ ଓ ବର୍ଷା ଯୋଗୁଁ କୌଣସି କ୍ଷୟକ୍ଷତି ହୁଏ ତୁରନ୍ତ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । 

Odisha cyclone montha