ଛାଡ଼ପତ୍ର
ଅଫିସ୍ ବାହାରିଲା ବେଳକୁ ରବିବାବୁ ଦେଖିଲେ ତାଙ୍କ ଡ୍ରେସ୍ ସବୁ ମଇଳା ହେଇଯାଇଛି। ହଳଟିଏ ବି ସଫା ନାହିଁ। ଏଇ କଥାକୁ ନେଇ ସକାଳୁ ସକାଳୁ ତାଙ୍କର ସ୍ତ୍ରୀଙ୍କ ସହ ଭୀଷଣ ଝଗଡ଼ା ହୋଇଗଲା। କଥା ଛାଡ଼ପତ୍ର ପର୍ଯ୍ୟନ୍ତ ଚାଲିଗଲା। କେହି କାହାକୁ ଛାଡ଼ିବାର ନାଁ ନେଉନଥିଲେ।
ସ୍ୱାମୀ: ମୁଁ ଆଜି ତମକୁ ଛାଡ଼ପତ୍ର ଦେବି।
ସ୍ତ୍ରୀ: ଦେଲେ ମୁଁ ବହୁତ ଖୁସି ହେବି। ତମ ପାଖରେ ରହିବାକୁ ମୋର ବି ଇଚ୍ଛା ନାହିଁ।
ସ୍ୱାମୀ: ମୁଁ ଏବେ ଆମ ଅଫିସ୍ ଓକିଲକୁ ଫୋନ୍ କରୁଛି। କଥାଟା ଆଜି ହିଁ ରଫାଦଫା କରିଦେବି।
ଏହି ଘଟଣାର କିଛି ସମୟ ପରେ ଘରେ ହଠାତ୍ ସବୁ ଚୁପ୍। ସ୍ତ୍ରୀ ସ୍ୱାମୀଙ୍କୁ ଖୋଜି ଖୋଜି ଯାଇ ବାଥ୍ରୁମ୍ରେ ଡ୍ରେସ୍ ସଫା କରୁଥିବା ଆବିଷ୍କାର କଲେ। ଆଶ୍ଚର୍ଯ୍ୟ ହୋଇ ସେ ସ୍ୱାମୀଙ୍କୁ ପଚାରିଲେ- କ’ଣ ହେଲା? ଓକିଲ କ’ଣ କହିଲେ?
ସ୍ୱାମୀ ତଳକୁ ମୁହଁ ପୋତି ସେମିତି ଡ୍ରେସ୍ ସଫା କରୁକରୁ କହିଲେ- ଓକିଲଙ୍କୁ ଫୋନ୍ କରିଥିଲି ଯେ, ସେ ବି ତାଙ୍କ ଡ୍ରେସ୍ ସଫା କରୁଛନ୍ତି।
ମୂଷା ପଶିଛି
ସ୍ୱାମୀ ସ୍ତ୍ରୀ ରାତିରେ ଗୋଟିଏ ରେଜେଇ ଘୋଡ଼େଇ ହେଇ ଶୋଇଥିଲେ। ରାତିରେ କିଛି ଗୋଟେ ‘କଟ’ ‘କଟ’ ଶବ୍ଦ ଶୁଣି ସ୍ତ୍ରୀଙ୍କର ନିଦ ଭାଙ୍ଗିଗଲା। ତ ସେ ସ୍ୱାମୀଙ୍କୁ ନିଦରୁ ଉଠେଇ କହିଲେ- ଦେଖିଲ ଆଲମାରିରେ ମୂଷା ପଶିଛି ନା କ’ଣ? ମୋର ସବୁ ଶାଢ଼ି କାଟିକୁଟି ଟିକ୍ ଟିକ୍ କରିଦେବ।
ଏହା ଶୁଣି ସ୍ୱାମୀ କହିଲେ- ମୂଷା ନୁହେଁ ପ୍ରାଣପ୍ରିୟା। ତମେ ପୂରା ରେଜେଇଟା ନେଇକି ଘୋଡ଼େଇ ହେକିକି ଆରାମରେ ଉଷୁମ ଟାଣୁଛ, ଏପଟେ ଶୀତରେ ମୋ ଦାନ୍ତ ବାଡ଼େଇ ହେଉଛି।
ସର୍ପ ଦଂଶନ
ଅନ୍ଧାର ରାତିରେ ବିଜୁ ଜଙ୍ଗଲ ଭିତର ଦେଇ ଯାଉଥିଲା। ଏହି ସମୟରେ ତାକୁ ଗୋଟେ ସାପ କାମୁଡ଼ିବାର ସେ ଦେଖିଲା। ଏହା ଦେଖି ସେ ଲାଗିଗଲା ଓ ସାପକୁ କହିଲା- ହଇରେ ଚଣ୍ଡାଳ ତୋର ଏତେ ସାହସ ମତେ କାମୁଡୁଛୁ। ଯଦି କାମୁଡ଼ିଲୁ ନେ ଆଉ କାମୁଡୁ। ଥରେ କାହିଁକି ଯେତେଥର ଇଚ୍ଛା କାମୁଡୁ।
ଏହା କହି ବିଜୁ ତା ଗୋଡ଼ଟି ସାପ ଆଡ଼କୁ ଲମ୍ବେଇ ଦେଲା। ସାପ ଖୁସି ହେଇକି ତା ଗୋଡ଼ରେ ଆହୁରି ଦୁଇ ତିନି ଚୋଟ ପକେଇଲା ଓ ଥକିଗଲା। ତା ଦାନ୍ତ ଭାଙ୍ଗି ଗଲା ଓ ମୁହଁରୁ ରକ୍ତ ବୋହିଲା।
ସେ ଆଶ୍ଚର୍ଯ୍ୟ ହୋଇ ବିଜୁକୁ କହିଲା- ଆରେ ଭାଇ ତୁ ମଣିଷ ନା ଭୁତ?
ବିଜୁ ହସି ହସି କହିଲା- ମୁଁ ଭୁତ ନୁହେଁ, ମଣିଷ। ହେଲେ ମୋର ଏ ଗୋଡ଼ ନକଲି। କାଠରେ ତିଆରି। ନେ ଆହୁରି କାମୁଡୁ।