/odisha-reporter/media/media_files/2026/02/11/ohrc-2026-02-11-16-07-16.jpg)
୨୦୧୭ ଜାନୁଆରୀ ୨୨ ତାରିଖରେ ୯ମ ବ୍ୟାଟାଲିଅନ୍ ଆଇଆର୍ରେ କନଷ୍ଟେବଲ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ଓଡ଼ିଶା ମାନବାଧିକାର ଆୟୋଗ (OHRC) ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଆଦେଶ ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ OHRCର ସଦସ୍ୟ ଅସୀମ ଅମିତାଭ ଦାଶଙ୍କ ଏକକ ବେଞ୍ଚ ଦ୍ୱାରା ଜାରି ହୋଇଛି। ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡାଳୀର ମୁରଲୀଧର ସାହୁଙ୍କ ଅଭିଯୋଗ ଆଧାରରେ ମାମଲାଟିର ଶୁଣାଣି ହୋଇଥିଲା।
ଅଭିଯୋଗ ଅନୁଯାୟୀ, ମୁରଲୀଧର ସାହୁଙ୍କ ପୁଅ ହରେକୃଷ୍ଣ ସାହୁ ୨୦୧୭ ଜାନୁଆରୀ ୨୨ରେ ପୁଲିସ ନିଯୁକ୍ତି ପରୀକ୍ଷାରେ ଯୋଗଦେଇଥିଲେ। ୧୬୦୦ ମିଟର ଦୌଡ଼ ପରୀକ୍ଷା ସମାପ୍ତ କରିବା ସମୟରେ ସେ ଅଚେତ ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ପୁଲିସ ଡିସପେନସାରୀକୁ ଓ ପରେ କଟକର ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ପର ଦିନ ତାଙ୍କର ମୃତ୍ୟୁ ଘଟିଥିଲା।
ଆୟୋଗ ପକ୍ଷରୁ ଡିଜିପିଙ୍କ ସହ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା। ପୁଲିସ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ କୌଣସି ଅବହେଳା ନଥିବା ସହ ଏପରି ମୃତ୍ୟୁ ଘଟଣାରେ କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନଥିବା କୁହାଯାଇଥିଲା।
ତେବେ ପୁଲିସ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ତଥା ବିଭିନ୍ନ ଆଇନର ଆଧାରରେ ଆୟୋଗ ମନେ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉପରେ ‘ସ୍ଟ୍ରିକ୍ଟ ଲାଇଆବିଲିଟି’ ଲାଗୁ ହୁଏ ଏବଂ ମୃତକଙ୍କ ପରିବାର କ୍ଷତିପୂରଣ ପାଇବାକୁ ହକଦାର। ଆଦେଶରେ କୁହାଯାଇଛି ଯେ, ୧୦ ଲକ୍ଷ ଟଙ୍କା ମୁଆବଜା ଆଦେଶ ପ୍ରାପ୍ତିରୁ ୮ ସପ୍ତାହ ମଧ୍ୟରେ ଦେବାକୁ ପଡ଼ିବ। ସେହିପରି ସମ୍ଭବ ହେଲେ ମୃତକଙ୍କ ଭଉଣୀଙ୍କୁ ଅନୁକମ୍ପା ମୂଳକ ଚାକିରି ଦେବାକୁ ମଧ୍ୟ ବିଚାର କରିବାକୁ ଆୟୋଗ ସୁପାରିଶ କରିଛନ୍ତି।
ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ନିଯୁକ୍ତି କ୍ଷେତ୍ରରେ ଅନିବାର୍ଯ୍ୟ ପୂର୍ବ-ଚିକିତ୍ସା ଯାଞ୍ଚ, ଜୀବନରକ୍ଷା ସୁବିଧା ସହ ଆମ୍ବୁଲାନ୍ସ ବ୍ୟବସ୍ଥା, ପ୍ରଶିକ୍ଷିତ ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କ ଉପସ୍ଥିତି, ଏସଓପିର କଡ଼ାକଡ଼ି ପାଳନ ଏବଂ ଅବହେଳା ଘଟିଲେ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ଗୃହ ବିଭାଗ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏହି ଆଦେଶ ପ୍ରାପ୍ତିରୁ ତିନି ମାସ ମଧ୍ୟରେ ପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
