Advertisment

Murder: ୟୁଟ୍ୟୁବର ରାହୁଲ ହତ୍ୟା ଘଟଣା; ସାମ୍ନାକୁ ଆସିଲେ ସାଙ୍ଗ ଶିବା ଓ ସଚିନ, ଏବେ ବି ସନ୍ଦେହରେ ପୁଲିସର ତଦନ୍ତ

ଦିନକୁ ଦିନ ଅଡୁଆ ସୂତାରେ ଗୁଡ଼ାଇ ହୋଇଯାଉଛି ଭୁବନେଶ୍ୱରର ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟାକାଣ୍ଡ। ଆଜି ମୃତ ରାହୁଲଙ୍କ ଦୁଇ ସାଙ୍ଗ ତଥା ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଶିବା ଓ ସଚିନ ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି।

author-image
Jitendra Garnayak
Rahul

ଦିନକୁ ଦିନ ଅଡୁଆ ସୂତାରେ ଗୁଡ଼ାଇ ହୋଇଯାଉଛି ଭୁବନେଶ୍ୱରର ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟାକାଣ୍ଡ। ଆଜି ମୃତ ରାହୁଲଙ୍କ ଦୁଇ ସାଙ୍ଗ ତଥା ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଶିବା ଓ ସଚିନ ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ତେବେ ପୁଲିସ ଦେଇଥିବା ସୂଚନା ଓ ସେମାନଙ୍କ ବୟାନ ମଧ୍ୟରେ ତାଳମେଳ ରହୁନାହିଁ। ତେଣୁ ପୁଲିସର ତଦନ୍ତ ଉପରେ ସନ୍ଦେହ ଆହୁରି ଘନୀଭୂତ ହୋଇଛି। 

Advertisment

ଶିବା କହିଛନ୍ତି, ଆମେ ୪ ଜଣ ଥିଲୁ। ସେମାନେ (ଅଭିଯୁକ୍ତମାନେ) ୩ ଜଣ ଥିଲେ। ମୁଁ ସେମାନଙ୍କ ପାଖକୁ ଏକା ଯାଇଥିଲି। ଖେଳ ପଡ଼ିଆରେ ପ୍ରଥମେ କାଚ ଭଙ୍ଗା ଶଦ୍ଦ ଶୁଣାଯିବାରୁ ପ୍ରତିବାଦ କରିଥିଲି। ପିଲାମାନେ ଏଠି ଖେଳୁଛନ୍ତି, କାହିଁକି କାଚ ଭାଙ୍ଗି ଫିଙ୍ଗୁଛ ବୋଲି ସେମାନଙ୍କୁ (ଅଭିଯୁକ୍ତମାନଙ୍କୁ) କହିଥିଲି। ଏହାପରେ ମୋତେ ସେମାନେ ତୁ କିଏ କହି ଗାଳି ଗୁଲଜ କରିଥିଲେ। ଫଳରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରୁ ଠେଲାପେଲା ହୋଇଥିଲା। ତା’ଭିତରେ ମୁଁ ଅଚେତ ହୋଇ ତଳେ ପଡ଼ିଯାଇଥିଲି। ମୁଁ ଜାଣିନି ତା’ପରେ କ’ଣ ହୋଇଛି। ରାହୁଲଙ୍କୁ କେମିତି ହତ୍ୟା କରାଗଲା ମୁଁ ଦେଖିନାହିଁ। ସଚିନ ଜାଣିଛି। ସଚିନ ଆସି ମୋତେ ପାଣି ମାରି ଉଠାଇଥିଲା ବୋଲି ମୁଁ କାଲି ଜାଣିଲି। ବବୁଲ ମୋତେ ହସ୍‌ପିଟାଲ ନେଇଥିଲା। 

ସେ କହିଛନ୍ତି, ରାହୁଲଙ୍କୁ ସେମାନେ କାହିଁକି ମାରିଲେ, ତାହା ମୁଁ କହିପାରିବି ନାହିଁ। କାରଣ କାଚ ଭାଙ୍ଗିବା ଭଳି ଛୋଟମୋଟ କଥାରୁ ଝଗଡ଼ା ହୋଇଥିଲା। ମୁଁ ଯେତେବେଳେ ତଳେ ପଡ଼ିଯାଇଥିଲି, ମୋର ଚେତା ନଥିଲା। ରାହୁଲ ସେଠାକୁ ଆସିବାର ମଧ୍ୟ ମୁଁ ଦେଖିନି। ମୋ ମୁଣ୍ଡ, ବେକ ଓ ହାତକୁ ସେମାନେ (ଅଭିଯୁକ୍ତମାନେ) ମାରିଥିଲେ। 

Advertisment

ଶିବା ଅଶ୍ଳୀଳ ଭାଷାରେ ବଡ଼ ପାଟିରେ କଥା ହେଉଥିଲା ବେଳେ ଅଭିଯୁକ୍ତ ଯବାନ ତାଙ୍କୁ ତାଗିଦ୍ କରିଥିଲେ ବୋଲି ପୁଲିସ୍ କହିଥିଲା, ତା’ ଉପରେ ମତ ରଖି ଶିବା କହିଛନ୍ତି ଯେ ସେ ମୋବାଇଲରେ ଫୋନ୍‌ରେ କଥା ହେଉଥିଲେ। କିନ୍ତୁ ତାହା ସାଧାରଣ ଥିଲା। ସେ ଜୋରରେ ପାଟି କରି କଥା ହେଉ ନଥିଲେ। ସେମାନେ କାଚ ଭାଙ୍ଗିଲେ ବୋଲି ସେ ଏଣୁତେଣୁ ସେମାନଙ୍କୁ କହିବାରୁ ଝଗଡ଼ା ହୋଇଥିଲା ବୋଲି ସେ କହିଛନ୍ତି। 

ଲୁଚିଥିବା କଥାକୁ ଖଣ୍ଡନ କରିଛନ୍ତି ଶିବା। ସେ କହିଛନ୍ତି, ମୋର ବହୁତ ବାନ୍ତି ହେଉଥିଲା। ମୁଁ ଉଠି ପାରୁ ନଥିଲି। ମୋ ଜଂଘକୁ ବି ମାଡ଼ ହୋଇଛି। କାଲି ଥାନାକୁ ଯାଇଥିଲି। ମୋତେ ସେଠାରେ ସବୁ ପଚରାଯାଇଥିଲା। 

ଆକ୍ରମଣକାରୀମାନଙ୍କୁ ସେ ପୂର୍ବରୁ କେବେ ଦେଖି ନଥିଲେ ବୋଲି କହିଛନ୍ତି ଶିବା। ତା’ସହିତ ସେମାନଙ୍କ ପାଖରେ ଛୁରୀ ଥିଲା ନା ନାହିଁ ସେ ଦେଖି ନଥିବା କହିଛନ୍ତି। ପୂରା ଘଟଣାର ତଦନ୍ତ ହେବା କଥା। ଛୁରୀ କେଉଁଠାରୁ ଆସିଲା, ତା’ର ତଦନ୍ତ ହେବା ଜରୁରୀ। ସାମାନ୍ୟ ବଚସାରୁ କାହିଁକି ଜଣେ ଛୁରୀ ମାରି ଦେବ ବୋଲି ଶିବା ପ୍ରଶ୍ନ କରିଛନ୍ତି।

ସେହିଭଳି ସଚିନ କହିଛନ୍ତି, ରାହୁଲ ଓ ମୁଁ ସେଠାକୁ ଦୌଡ଼ି ଯାଇଥିଲୁ। ଶିବା ଅଚେତ ହୋଇପଡ଼ିଥିଲେ। ରାହୁଲ ଜଣଙ୍କୁ ପିଟିଥିଲା। ମୁଁ ବି ବାଡ଼େଇଥିଲି। ସେହି ମାଡ଼ଗୋଳ ଭିତରେ ଧଳା ପୋଷାକ ପିନ୍ଧିଥିବା ବ୍ୟକ୍ତି, ଯିଏ ଡିଫେନ୍ସରେ ଅଛନ୍ତି ବୋଲି କୁହାଯାଉଛି, ସେ ଆସି ରାହୁଲର ଛାତିରେ ମୁଥା ଯେମିତି ମାରନ୍ତି, ସେମିତି ମାରିଥିଲେ। ତାହା ମୁଁ ଦେଖିଛି। ସେ ଛାତି ବିନ୍ଧୁଛି ବୋଲି କହିଥିଲା। ମୁଁ ତା’ପାଖକୁ ଗଲା ବେଳକୁ ତା’ ଛାତିରୁ ରକ୍ତ ବାହାରୁଥିଲା। ଆମେ ତାକୁ ଡାକ୍ତରଖାନା ନେଇଥିଲୁ। ସେଠାରେ ତା’ର ମୃତ୍ୟୁ ଘଟିଥିଲା। 

ଘଟଣାସ୍ଥଳରେ ଉପସ୍ଥିତ ଥିବା ରାହୁଲଙ୍କ ଆଉ ଜଣେ ସାଙ୍ଗ ବବଲୁ କହିଛନ୍ତି, ସାମାନ୍ୟ କାଚ ଭଙ୍ଗାକୁ ନେଇ ଝଗଡ଼ା ହୋଇଥିଲା। ଯୁକ୍ତିତର୍କରୁ ସେମାନେ (ଅଭିଯୁକ୍ତମାନେ) ଶିବା ଭାଇକୁ ସେମାନେ ତଳେ ପକାଇ ଗୋଇଠା ମାରି ବେହୋସ କରି ଦେଇଥିଲେ। ଆମେ ଦୌଡ଼ିକି ଯାଇଥିଲୁ। ଝଗଡ଼ା ଭିତରେ ରାହୁଲ ଭାଇଙ୍କୁ ମାରି ଦିଆଯାଇଥିଲା। 

ଅନ୍ୟପକ୍ଷରେ ଆଜି ରାହୁଲଙ୍କ ପତ୍ନୀ ମଧ୍ୟ କହିଛନ୍ତି ଯେ ସେଠି ତ ଭୋଜି ହେଉ ନ ଥିଲା। ତାହେଲେ ଛୁରି କାହିଁକି ଯାଇଥିଲା? ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ଯବାନ ଛୁରି ମାରିଛି। ପୁଲିସ କହୁଛି ଛୁଆ ଭୁଷିଦେଲା। ହ୍ବାଇଟ୍‌ଟି ସାର୍ଟ ପିନ୍ଧି ଥିବା ବ୍ୟକ୍ତି ଛୁରି ମାରିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ପୁଲିସ କେମିତି ଅଭିଯୁକ୍ତଙ୍କ କଥା ଅନୁସାରେ ବୟାନ ରଖୁଛି। 

ସେ ଆହୁରି କହିଛନ୍ତି, ଅଭିଯୁକ୍ତମାନେ ଜାଣିଣୁଣି କାଚ ଭାଙ୍ଗିଥିଲେ। ସେମାନେ ଜାଣିଥିଲେ କାଚ ଭାଙ୍ଗିଲେ ଯୁକ୍ତିତର୍କ ହେବ। ଯୁକ୍ତିତର୍କ ହେଲା। ଯୁକ୍ତିତର୍କ ଶିବା ଭାଇ କରିଥିଲେ। କିନ୍ତୁ ତାଙ୍କୁ ଛୁରୀ ମାରି ନଥିଲେ। ରାହୁଲଙ୍କୁ ଛୁରୀ ମାରିଥିଲେ। ସେଠାରେ ଆହୁରି କେତେ ଲୋକ ଥିଲେ। ସେମାନେ ବଞ୍ଚାଇବାକୁ ଆସିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଆଉ କାହାକୁ ଛୁରୀ ମରାଗଲା ନାହିଁ। ଛୁରୀ ମାରି ସାରିବା ପରେ ସେମାନେ କେମିତି ବସି ସେଠି ମଦ ପିଇଲେ। ତେଣୁ ଏହା ପୂର୍ବ ଯୋଜନାରୁ ଘଟିଛି। 

ଏହା ସହିତ ସେ ପ୍ରଭାତ ଗୁପ୍ତାଙ୍କ ନାଁ ନେଇଛନ୍ତି। ଚିନ୍ମୟ ରାଉତଙ୍କ ନାଁ ବି ସେ ନେଇଛନ୍ତି। ସେମାନେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ରାହୁଲଙ୍କ ପତ୍ନୀ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଭାତ ଗୁପ୍ତା ଓ ଚିନ୍ମୟ ରାଉତଙ୍କ ସହିତ ରାହୁଲଙ୍କର ପୂର୍ବରୁ ବିବାଦ ହୋଇଥିଲା।