ମୃତ ପପୁ
ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ବୋତଣ୍ଡା ରେଳ ଧାରଣାରୁ ମଙ୍ଗଳବାର ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ତାଙ୍କ ନାଁ ମୂରଲୀଧର ବେହେରା (ପପୁ)। ତାଙ୍କୁ ୩୨ ବର୍ଷ ହୋଇଥିଲା।
ପପୁଙ୍କ ଘର ବୋତଣ୍ଡା ଗାଁରେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତି ୯ଟାରେ ସେ ଘରୁ ବାହାରକୁ ଯାଇଥିଲେ। ପରେ ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସେ ଘରକୁ ଫେରି ନଥିଲେ। ବ୍ୟସ୍ତ ହୋଇ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ଶେଷରେ ରେଳ ଧାରଣାରେ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଠାବ କରାଯାଇଥିଲା।
ପପୁଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ପପୁ ଜଣେ ବିଲ୍ଡର ଥିଲେ। ତାଙ୍କ ସହ ପାର୍ଟନର ଭାବେ କାର୍ଯ୍ୟ କରୁଥିବା ଲୋକ ତାଙ୍କୁ ହତ୍ୟା କରି ରେଳ ଲାଇନରେ ଫୋପାଡ଼ି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଜିଆରପି ଥାନା ପୁଲିସ ମୃତଦେହକୁ ଜବତ କରିଛି। ଘଟଣାର ତଦନ୍ତ ଚାଲିଛି।
ସେହିପରି ଏମିତି ଏକ ଘଟଣା ଘଟିଛି କୋରେପୁଟ ଜିଲ୍ଲାରେ। କୋରାପୁଟର ଦୁରୁଗୁଡ଼ାର ନୂଆ କଲୋନୀ ନିକଟସ୍ଥ ରେଳ ଧାରଣାରୁ ଆଜି ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ହେଉଛନ୍ତି ଦୁରୁଗୁଡ଼ା ଗାଁର ରାଜୁ ମୁଦୁଲି (୩୫)। ତାଙ୍କୁ ହତ୍ୟା କରି କେହି ରେଳ ଧାରଣାରେ ପକାଇ ଦେଇଥିଲେ ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ିନି। ରେଳବାଇ ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।
ରାଜୁ ମୁଦୁଲି ଜଣେ ଟିପର ଡ୍ରାଇଭର ଥିଲେ। ଘରେ ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଝିଅ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଦୁରୁଗୁଡ଼ା ଗାଁର ରାଜୁ ମା’ ଭୈରବୀ ଯାତ୍ରା ଦେଖିବାକୁ ଯାଇଥିବାବେଳେ କିଛି ଯୁବକମାନଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ରାଜୁଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ପୂରା କଥା ସାମ୍ନାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/papu-2026-03-03-13-00-09.jpg)