ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ପରିବାର ଲୋକେ ହସପିଟାଲର ମହିଳା ଓ ଶିଶୁ ବିଭାଗ ଆଗରେ ଧାରଣାରେ ବସିଥିଲେ।
ସୂଚନା ଅନୁସାରେ, ଗତକାଲି ମାଳଗୋଦାମପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେ ଝିଅଟିଏ ଜନ୍ମ ଦେଇଥିଲେ। ଏହାପରେ ଅଧିକ ରକ୍ତସ୍ରାବ ହୋଇ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ଚିକିତ୍ସାରେ ଅବହେଳା ଯୋଗୁ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମହିଳା ଓ ଶିଶୁ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ।
ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିଥିଲେ। ଏଥିସହ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା, ମୃତଦେହ ସଂସ୍କାର ପାଇଁ ମ୍ୟୁନିସିପାଲଟି ଖର୍ଚ୍ଚ ଦିଆଯିବ ଓ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ଧାରଣାରୁ ହଟିଥିଲେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।