କଟକରେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଡକାନଯିବା ପ୍ରସଙ୍ଗ ମଙ୍ଗଳବାର ରାଜ୍ୟସଭାରେ ଉଠିଛି। ନିଜେ ସାଂସଦ ଶ୍ରୀ ସାମନ୍ତରାୟ ଏହି କଥା ଉଠାଇଛନ୍ତି।
ସେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ଉପରେ ବର୍ଷିବା ସହିତ ତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଜାରି କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି।
ସାଂସଦ ଶ୍ରୀ ସାମନ୍ତରାୟ ରାଜ୍ୟସଭାରେ କହିଥିଲେ, ଯେତେବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଅବା କ୍ୟାବିନେଟ ମନ୍ତ୍ରୀମାନେ ଆମ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସନ୍ତି, ସାଂସଦ ଭାବେ ଆମକୁ ନିମନ୍ତ୍ରଣ କରାଯାଏ। ଆମେ ସେମାନଙ୍କ ସହିତ ପୋଡିୟମ ବା ଷ୍ଟେଜରେ ଉପସ୍ଥିତ ରହୁ। ନିକଟରେ ନେତାଜୀ ଜୟନ୍ତୀ ଅବସରରେ ଭାରତର ଉପରାଷ୍ଟ୍ରପତି କଟକ ଗସ୍ତରେ ଯାଇଥିଲେ। ସେଠାରେ ସେ ନେତାଜୀଙ୍କ ସ୍ମୃତିରେ ଏକ କୋଠାର ଉଦ୍ଘାଟନ କରିଥିଲେ। ଉକ୍ତ କୋଠାର ଶିଳାନ୍ୟାସ କରିଥିଲେ ନବୀନ ପଟ୍ଟନାୟକ। ସେତେବେଳେ ମୁଁ କଟକର ବିଧାୟକ ଥିଲି। ରାଜ୍ୟସଭା ସାଂସଦ ଭାବେ ମୋର ନୋଡାଲ ଜିଲ୍ଲା ହେଉଛି କଟକ। ଲୋକସଭା ସାଂସଦ, ସ୍ଥାନୀୟ ଅଞ୍ଚଳର ସମସ୍ତ ଦଳର ବିଧାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ମୋତେ ନିମନ୍ତ୍ରଣ କରାଯାଇ ନଥିଲା। ଏହା କେବଳ ମୋ ପ୍ରତି ଅପମାନ ନଥିଲା। ଏହା ଏହି ଗୃହ (ରାଜ୍ୟସଭା) ପ୍ରତି ଅସମ୍ମାନ ଥିଲା। ଗୃହର ଅଧ୍ୟକ୍ଷଙ୍କୁ ମୁଁ ଅନୁରୋଧ ତଥା ଦାବି କରୁଛି ଯେ ରାଜ୍ୟସଭାର ସଦସ୍ୟଙ୍କ ସମ୍ମାନାର୍ଥେ କଟକ ଜିଲ୍ଲାପାଳଙ୍କୁ ଏକ ସ୍ୱାଧୀକାର ଭଙ୍ଗ ନୋଟିସ୍ ଜାରି କରାଯାଉ।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠିବା ପରେ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/03/debashsih1-2026-02-03-18-52-18.jpg)