
ରାଜ୍ୟରେ ଜଙ୍ଗଲ ଜମିଗୁଡ଼ିକର ସୀମା ନିର୍ଦ୍ଧାରଣ ଓ ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ତାରିଖ ସୁଦ୍ଧା ସମସ୍ତ ପ୍ରକାରର ସୀମା ନିର୍ଦ୍ଧାରଣ ଓ ଡାଟାବେସ୍ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା(Odisha revenue department) ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଙ୍ଗଲ ଜମିର ବକେୟା ଥିବା ସୀମା ନିର୍ଦ୍ଧାରଣ ବା ଡିମାର୍କେସନ୍ କାର୍ଯ୍ୟ ସହିତ ‘ଭୂଲେଖ’ ପୋର୍ଟାଲରେ ପଟ୍ଟା ଓ ନକ୍ସା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ନିୟମ ଅନୁସାରେ, ବନବାସୀଙ୍କୁ ପ୍ରଦାନ କରାଯାଇଥିବା ଜଙ୍ଗଲ ଜମିର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କରାଯିବ ଓ ଏହାକୁ ସମ୍ପୃକ୍ତ ରାଜସ୍ୱ ଓ ଜଙ୍ଗଲ ବିଭାଗର ସରକାରୀ ରେକର୍ଡରେ ସାମିଲ କରାଯିବ। ରାଜସ୍ୱ ଅଥବା ଜଙ୍ଗଲ ବିଭାଗର ଯେଉଁ ରେକର୍ଡ଼ରେ ସେହି ଜମି ରହିଛି, ସଂପୃକ୍ତ କର୍ତ୍ତୃପକ୍ଷ ସେହି ରେକର୍ଡ଼ରେ ତାକୁ ସମ୍ମିଳିତ କରିବେ ।
ସମସ୍ତ ପ୍ରକାରର ସୀମା ନିର୍ଦ୍ଧାରଣ ଓ ଡାଟାବେସ୍ ସଂଶୋଧନ କାର୍ଯ୍ୟକୁ ୨୦୨୬ ଏପ୍ରିଲ ୩୦ତାରିଖ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ସମୟସୀମା ଦିଆଯାଇଛି।
କ୍ଷେତ୍ରାଧିକାରୀଙ୍କ ଦ୍ୱାରା ସ୍ୱୀକୃତ ହୋଇଥିବା ଜଙ୍ଗଲ ଜମିର ସଠିକ୍ ପର୍ଯ୍ୟବେକ୍ଷଣ କରି ତୁରନ୍ତ ରେକର୍ଡ ସଂଶୋଧନ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟା ଶେଷ ହେବାପରେ ପ୍ରକୃତ ହିତାଧିକାରୀମାନେ ସେମାନଙ୍କର ଜମି ଅଧିକାର ପାଇବା ସହିତ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହା ବନବାସୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି ରାଜସ୍ୱ ସଚିବ ଡଃ ପାଢ଼ୀ ଆଶା ବ୍ୟକ୍ତ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
