Advertisment

ବାଇକ ନେଲେନି, ଚାବି ନେଇ ପଳେଇଗଲେ ୨ ଲୁଟେରା

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସେମାନେ ଭୟଭୀତ କରିବା ସହ ୨ ଜଣଙ୍କୁ ମାଡ଼ ମାରି ସେମାନଙ୍କର ବାଇକ ଛାଡ଼ି ଆଉ ସବୁ କିଛି ନେଇ ଯାଇଛନ୍ତି। ଏପରି ଏକ ଲୁଟ ଘଟଣା ଦେବଗଡ଼ରୁ ଆସିଛି।

author-image
Hemant Lenka
Loot

Loot

ଟଙ୍କା ଠାରୁ ଆରମ୍ଭ କରି ପର୍ସ, ମୋବାଇଲ ଓ ବ୍ୟାଗ୍‌ ଲୁଟ କରିଥିଲେ ମଧ୍ୟ ୨ ଜଣ ଲୁଟେରା ବାଇକ ନେଇ ନାହାନ୍ତି। ସେମାନେ କେବଳ ବାଇକର ଚାବି ନେଇ ଫେରାର ହୋଇଯାଇଛନ୍ତି। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସେମାନେ ଭୟଭୀତ କରିବା ସହ ୨ ଜଣଙ୍କୁ ମାଡ଼ ମାରି ସେମାନଙ୍କର ବାଇକ ଛାଡ଼ି ଆଉ ସବୁ କିଛି ନେଇ ଯାଇଛନ୍ତି। ଏପରି ଏକ ଲୁଟ ଘଟଣା ଦେବଗଡ଼ରୁ ଆସିଛି।

Advertisment

ଆଜି ଦିନଦ୍ୱିପ୍ରହରରେ ୨ ଜଣ ମୁଖା ପିନ୍ଧା ଯୁବକ ଦେବଗଡ଼ ଥାନା ଅନ୍ତର୍ଗତ ଚିକ୍କୀଣି ଘାଟିରେ ବନ୍ଧୁକ ଓ ବୁଜାଲି ଦେଖାଇ ୨ ଜଣ ଠାରୁ ୯୬ ହଜାର ଟଙ୍କା ଲୁଟ କରି ନେଇଛନ୍ତି। ସମ୍ବଲପୁର ଜିଲ୍ଲା ଖରସନମାଲ ଗାଁର ବିଦ୍ୟାଧର ଖମାରି ଓ ସମ୍ବଲପୁର ଟାଉନର ରଞ୍ଜନ କୁମାର ପାଢ଼ି ଆଜି ଦିନ ପ୍ରାୟ ୨ଟା ବେଳେ ରିଆମାଳରୁ ଫେରୁଥିଲେ। ସେମାନେ ବାଇକରେ ଦେବଗଡ଼ ଆସୁଥିବା ବେଳେ ଅଧା ବାଟରେ ଲୁଟର ଶିକାର ହୋଇଛନ୍ତି।

ଉଭୟ ରିଆମାଳ ଅଂଚଳର କିଛି ଔଷଧ ଦୋକାନରୁ ବକେୟା ଟଙ୍କା ସଂଗ୍ରହ କରିବା ପରେ ଦେବଗଡ଼ ଆସୁଥିଲେ। ହେଲେ ସେମାନେ ଆସୁଥିବା ବେଳେ ହଠାତ୍‌ ଦୁଇ ଜଣ ମୁଖା ପିନ୍ଧା ଯୁବକ କଳା ପଲସରରେ ସେମାନଙ୍କୁ ଫଲୋ କରିଥିଲେ। ଏହା ଦେଖି ଉଭୟ ସାମାନ୍ୟ ବିଚଳିତ ହୋଇପଡ଼ିଥିଲେ। ଏଥିସହ ଗାଡ଼ି ଜୋରରେ ନେଇ ଚାଲି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୨ ଲୁଟେରା ତାଙ୍କ ପିଛା କରିବା ବନ୍ଦ କରି ନଥିଲେ। ଏହି ଘୋଡ଼ାଘୋଡ଼ି ଭିତରେ ବିଦ୍ୟାଧର ଓ ରଞ୍ଜନ ଚିକ୍କୀଣି ଘାଟିରେ ପହଞ୍ଚି ଯାଇଥିଲେ। ସେଠାରେ ରାସ୍ତା ଶୂନଶାନ ଥିବାରୁ ଦୁଇ ଲୁଟେରା ସୁଯୋଗ ପାଇ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ।

Advertisment

ଏହାପରେ ସେମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଉଭୟଙ୍କୁ ଭୟଭୀତ କରିଥିଲେ। ନିଜ ପାଖରେ ରଖିଥିବା ଟଙ୍କା ଓ ଅନ୍ୟାନ୍ୟ ଜିନିଷ ମାଗିଥିଲେ। କିନ୍ତୁ ସେମାନେ ନ ଦେବାରୁ ୨ ଲୁଟେରେ ସେମାନଙ୍କୁ ମାଡ଼ ମାରିଥିଲେ। ଶେଷରେ ସେମାନଙ୍କ ପାଖରେ ଥିବା ୯୬ ହଜାର ଟଙ୍କା, ପର୍ସ, ବ୍ୟାଗ, ଦୁଇଟି ମୋବାଇଲ ଫୋନ ନେଇ ଯାଇଥିଲେ। ଫେରାର ହେବା ପୂର୍ବରୁ ସେମାନେ ବାଇକୁ ପୁଣିଥରେ ଦେଖିଥିଲେ। କିନ୍ତୁ ଏହାକୁ ନେଇ ନଥିଲେ। କେବଳ ଏହାର ଚାବିକୁ ନେଇ ସେଠାରୁ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ

ଲୁଟର ଶିକାର ହୋଇଥିବା ଯୁବକ ବିଦ୍ୟାଧର ଖମାରି କହିଛନ୍ତି, “ବ୍ୟାଗ୍‌ରେ ୯୨ ହଜାର ଟଙ୍କା ଥିବା ବେଳେ ମୋ ସହ ଥିବା ଦାଦଙ୍କ ପାଖରେ ୩ ହଜାର ଟଙ୍କା ଥିଲା। ସେହିପରି ମୋ ପର୍ସରେ ହଜାରେ ଟଙ୍କା ସହ ଏଟିଏମ କାର୍ଡ ରହିଥିଲା। ସେମାନେ ଆମକୁ ଧମକ ଦେଇ ଓ ମାଡ଼ ମାରି ସେସବୁ ଲୁଟି ନେଇଛନ୍ତି।” ଦୁଇ ଯୁବକ ଦେବଗଡ଼ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଦେବଗଡ଼ରୁ ସିଦ୍ଧାର୍ଥଙ୍କ ରିପୋର୍ଟ

Loot Bike Thief