Advertisment

ବିବାହକୁ ୨୬ ଦିନ ପୂରିନି, ଯୌତୁକ ଜୁଇରେ ଜଳିଲେ ନବ ବଧୂ

ଗତ ମାସ ୧୧ ତାରିଖରେ ବିବାହ ହୋଇଥିଲା।

ଅଦ୍ୟତନ ହୋଇଛି
Lakhmipriya and husband

Lakhmipriya and husband

Advertisment

ହାତରୁ ମେହେନ୍ଦି, ପାଦରୁ ଅଳତା ଲିଭିନଥିଲା। ଗତ ମାସ ୧୧ ତାରିଖରେ ବିବାହ ହୋଇଥିଲା। ହେଲେ ବିବାହର ୨୫ ଦିନ ପରେ ଯୌତୁକ ଜୁଇରେ ଏହି ନବ ବଧୂଙ୍କ ଜୀବନ ଯାଇଛି। ଢେଙ୍କାନାଳ ଜିଲ୍ଲାର ସଦରଥାନା ଅନ୍ତର୍ଗତ ଝୁମ୍ପୁଡିଆ ଗାଁରେ ଘଟିଛି ଏଭଳି ଘଟଣା। ଏହି ନବ ବଧୂ ଜଣକ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା ପତଣ୍ଡା ଗ୍ରାମର ପ୍ରଦୀପ ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ। ତାଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଭାପୁର ଫାଣ୍ଡି ପୁଲିସ ମାମଲା ରୁଜୁ କରିବା ପରେ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ତାଙ୍କ ବାପାଙ୍କୁ ଗିରଫ କରିଛି। ଆଗକୁ ଦେବୀଙ୍କ ମା’ଙ୍କୁ ମଧ୍ୟ ଗିରଫ କରାଯିବ ଓ ଯୌତୁକ ଜିନିଷ ଜବତ କରାଯିବ ବୋଲି ପୁଲିସ କହିଛି।

Advertisment

ଅଭିଯୋଗ ମୁତାବକ, ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଗ୍ରାମର ଦେବୀ ପ୍ରସାଦ ମହାନ୍ତି ବୈଦିକ ରୀତିନୀତିରେ ଖୁବ୍ ଧୁମ୍‌ଧାମ୍‌ରେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ। ସବୁ କନିଆଙ୍କ ଭଳି ଲକ୍ଷ୍ମୀପ୍ରିୟା ମଧ୍ୟ ସୁନ୍ଦର ସଂସାର ଗଢ଼ିବାକୁ ସ୍ୱପ୍ନ ନେଇ ଆସିଥିଲେ। ହେଲେ ଦଶ ମଙ୍ଗଳା ଯାଇନି ସବୁ ଓଲଟପାଲଟ ହୋଇଯାଇଥିଲା। ଶାଶୁଘର ଲୋକେ ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ମାଗିଥିଲେ। ବାହାଘର ବେଳେ ଲକ୍ଷେ ଟଙ୍କା ଦିଆଯାଇଥିବାରୁ ଆଉ ଟଙ୍କା ଦେବାକୁ ସମୟ ମାଗିଥିଲେ ଲକ୍ଷ୍ମୀପ୍ରିୟାଙ୍କ ବାପା। ହେଲେ ସମୟ ନଦେଇ ଓଲଟା ଲକ୍ଷ୍ମୀପ୍ରିୟାଙ୍କ ଉପରେ ଶାଶୁ ଘର ଲୋକେ ଯୌତୁକ ଟଙ୍କା ଦେବାକୁ ଚାପ ପକାଉଥିଲେ। ଚଳିତ ମାସ ୬ ତାରିଖରେ ଏନେଇ କଥା ହେବାର କିଛିଘଣ୍ଟା ପରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଖବର ପାଇଥିଲେ ବାପଘର ଲୋକେ। ପରେ ଶରୀରରେ କ୍ଷତ ଚିହ୍ନ ଦେଖି ଜ୍ୱାଇଁ ଓ ଶାଶୁଘର ଲୋକେ ଲକ୍ଷ୍ମୀଙ୍କୁ ଯୌତୁକ ନିର୍ଯାତନା ଦେଇ ବାଡେଇ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ।

ଅକାଳ ଦୁଃଖରେ ଭାଙ୍ଗି ପଡ଼ିଥିବା ଲକ୍ଷ୍ମୀଙ୍କ ବାପା ପ୍ରଦୀପ ପଟ୍ଟନାୟକ ଓ ମା’ ପ୍ରତିମା ପଟ୍ଟନାୟକ କହିଛନ୍ତି, ଝିଅର ଶାଶୁଘର ଲୋକେ ବିବାହର ୧୦ ଦିନ ପରେ ଆଉ ଦୁଇ ଲକ୍ଷ ଟଙ୍କା ମାଗିଥିଲେ। ଜମି ବିକି ଟଙ୍କା ଦେବେ ବୋଲି ସେ ମଧ୍ୟ ଝିଅର ଶାଶୁଘର ଲୋକଙ୍କୁ କହିଥିଲେ। ଏଥିପାଇଁ କିଛିଦିନ ସମୟ ମାଗିଥିଲେ। ହେଲେ ଏହା ଭିତରେ ଝିଅକୁ ଯୌତୁକ ନିର୍ଯାତନା ଦେଇ ଅତି ନୃଂଶସ ଭାବେ ହତ୍ୟା କରିଛନ୍ତି ଜ୍ୱାଇଁ ଓ ତାର ଶାଶୁଘର ଲୋକେ। ଜ୍ୱାଇଁ ବିଭିନ୍ନ ପ୍ରକାର କାମ କରୁଥିବା ମଧ୍ୟସ୍ଥି ଜରିଆରେ ମିଛ କହି ଏହି ବାହାଘର କରାଯାଇଥିଲା। ଯାହା ପରେ ଜଣାପଡ଼ିଥିଲା। ତେଣୁ ଏଥିରେ ସମ୍ପୃକ୍ତ ମଧ୍ୟସ୍ଥିଙ୍କ ସମେତ ଜ୍ୱାଇଁ ଓ ଶାଶୁଘର ଲୋକଙ୍କୁ କଠୋର ଶାସ୍ତି ଦିଆଯାଉ। ଫଳରେ ଝିଅର ଆତ୍ମାକୁ ଶାନ୍ତି ମିଳିବ।

Advertisment

ଏ ନେଇ ଭାପୁର ଫାଣ୍ଡି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫଦାରୀ ଆରମ୍ଭ କରିଦେଇଛି। ତେବେ ଆଠଗଡ ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଆହୁରି ସ୍ପଷ୍ଟ ହେବ ବୋଲି ସଦର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।

ରିପୋର୍ଟ- ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ

Dowry Death Dowry Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe