ପୁଅର ଚିକିତ୍ସା ପାଇଁ ପଣତକାନି ପତାଇ ଭିକ୍ଷା ମାଗୁଛି ସାବତ ମା’

କାମାକ୍ଷାନଗର(ବିଦ୍ୟାଧର ବରାଳ):ଆଖିରେ ଆଖିଏ କୋହ ଭରା ଲୁହକୁ ନେଇ ପୁଅର ଜୀବନ ପାଇଁ ଭିକ୍ଷା ମାଗୁଛି ଜଣେ ଦୁଃଖିନୀ ମା। ପଣତକାନୀ ପତାଇ ପୁଅର ଜୀବନ ପାଇଁ ହାତ ଯୋଡି ନେହୁରା ହେଉଛି ସେ । ଏମିତି ଏକ ଚିତ୍ର ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁରୁ ଆସିଛି। ଗାଁରେ ରୁହନ୍ତି  ବରୁଣ ସେଠ ଏବଂ ସ୍ତ୍ରୀ କୁନି ସେଠ । ଦୁଇ ପୁଅ ଦୀପକ, ଲିପୁ ଏବଂ କୁନି ଝିଅ ଆନିକୁ ନେଇ ବରୁଣଙ୍କ […]

hn

Tapas Behera
  • Published: Tuesday, 06 July 2021
  • , Updated: 06 July 2021, 05:12 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ):ଆଖିରେ ଆଖିଏ କୋହ ଭରା ଲୁହକୁ ନେଇ ପୁଅର ଜୀବନ ପାଇଁ ଭିକ୍ଷା ମାଗୁଛି ଜଣେ ଦୁଃଖିନୀ ମା। ପଣତକାନୀ ପତାଇ ପୁଅର ଜୀବନ ପାଇଁ ହାତ ଯୋଡି ନେହୁରା ହେଉଛି ସେ । ଏମିତି ଏକ ଚିତ୍ର ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁରୁ ଆସିଛି। ଗାଁରେ ରୁହନ୍ତି  ବରୁଣ ସେଠ ଏବଂ ସ୍ତ୍ରୀ କୁନି ସେଠ । ଦୁଇ ପୁଅ ଦୀପକ, ଲିପୁ ଏବଂ କୁନି ଝିଅ ଆନିକୁ ନେଇ ବରୁଣଙ୍କ ପରିବାର । ୧୬ ବର୍ଷୀୟ ଦୀପକ ହେଉଛନ୍ତି ସନ୍ତାନ ସନ୍ତତିଙ୍କ ମଧ୍ୟରେ ସବୁଠାରୁ ବଡ଼ । ଶୈଶବ ସମୟରୁ ନିଜ ଜନ୍ମ କଲା ମାଆକୁ ଦେଖି ନାହାନ୍ତି ଦୀପକ । ସାବତ ମାଆ କୁନି କେବେ ପୁଅ ଦୀପକକୁ ମାଆର କଷ୍ଟ ଅନୁଭବ କରିବାକୁ ଦେଇ ନାହାଁନ୍ତି । ନିଜର ପୁଅ ପରି ପାଳିଛନ୍ତି ମାଆ କୁନି ସେଠ । କିନ୍ତୁ ବିଧାତା ଦୀପକଙ୍କ ପ୍ରତି ସତେ ଯେପରି ଦାଉ ସାଜିଛି । ୧୦ ବର୍ଷ ବୟସରେ ଖେଳୁଥିବା ବେଳେ ରାସ୍ତାରେ ଖସି ପଡ଼ିଥିଲେ ଦୀପକ । ଆଉ ସେଇଠୁ ହିଁ ଆରମ୍ଭ ହୋଇଥିଲା ଦୀପକଙ୍କ ଜୀବନରେ କଷ୍ଟ । କଳାବାଦଲ ପରି ଘେରି ଆସିଲା ଦୁଃଖ । ପିଠିରେ ଯନ୍ତ୍ରଣା ଆରମ୍ଭ ହେବା ସହ ଅସ୍ୱାଭାବିକ ଭାବରେ ଏକ ହାଡ଼ ବଢ଼ିବାରେ ଲାଗିଥିଲା । ଯାହା ସମ୍ପୂର୍ଣ୍ଣ ଶରୀରକୁ ଦୁର୍ବଳ କରିବା ସହ ଦୀପକକୁ ଅକର୍ମଣ୍ୟ କରିଦେଲା।

ଚିକିତ୍ସା ପାଇଁ ଗାଁ ଠୁ ସହର କଟକ ବଡ଼ ମେଡ଼ିକାଲ ପର୍ଯ୍ୟନ୍ତ ସବୁ ସ୍ଥାନକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ ମା’। ପୁଅର ଚିକିତ୍ସା ପାଇଁ ଜମି ବାଡିକୁ ବି ବିକ୍ରୟ କରି ଦେଇଥିଲେ ପରିବାର ଲୋକେ। ଅପରେସନ ପାଇଁ ଅଧିକ ଟଙ୍କାର ଆବଶ୍ୟକ ଥିବାରୁ ଶେଷରେ ଆଶା ହରା ହୋଇ ପଡିଛନ୍ତି ପରିବାର ଲୋକେ । ତଥାପି ପୁଅକୁ ଭଲ କରିବା ପାଇଁ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ପରିବାର ଲୋକେ । ପୁଅର ଜୀବନ ପାଇଁ କରୁଛନ୍ତି ଆକୁଳ ନିବେଦନ । ଆଉ ମାଆର ସେହି ପଣତକାନୀ ଦେଖାଇ ଭିକ୍ଷା ମାଗୁଛି ଏକ ଦୁଃଖିନୀ ମାଆ ।

ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବରୁଣ ପୁଅର ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅସ୍ୱାଭାବିକ ଭାବେ ମେରୁଦଣ୍ଡରୁ ଯେଉଁ ହାଡ଼ ବଢ଼ିବାରେ ଲାଗିଛି । ତାର ଅପରେସନ ପାଇଁ ଏତେ ଟଙ୍କା ଆସିବ କେଉଁଠୁ ?  ଓଳିଏ ଖାଇ ଅନ୍ୟ ଏକ ଓଳିଏ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଅସମର୍ଥ ଥିବା ଏହି ଦୁଃଖିନୀ ପରିବାର ଦୁଃଖ ବୁଝିବ କିଏ ? କିଏ ଏହି ୧୬ ବର୍ଷୀୟ ବାଳକର ମୁହଁରେ ହସକୁ ଫେରାଇ ଦେବ ?  ପାଠ ପଢିବା ପାଇଁ ଆଗ୍ରହୀ ଥିବା ଦୀପକ ଆଜି ଭାଙ୍ଗି ପଡିଛି । ଗାଁରେ ଥିବା ବାପୁଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ରେ ସେ ପାଠ ପଢୁଛନ୍ତି । ଅକର୍ମଣ୍ୟ ପୁଅକୁ ବହୁ କଷ୍ଟରେ ଶିକ୍ଷାଦାନ ପାଇଁ ବାପା ଓ ମାଆ କଲେଜକୁ ଧରି ଯାଉଥିଲେ । ହେଲେ ଆଜି ସେ ସବୁ କରିବା ପାଇଁ ସେମାନେ ଅସମର୍ଥ । କାହିଁକି ନା ପିଠିର ଯନ୍ତ୍ରଣା ଦୀପକଙ୍କୁ ଭଲ କରି ବସିବାରେ ଦେଉନାହିଁ । ଏ ନେଇ ସ୍ଥାନୀୟ ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ ପିଲାଟିକୁ ଭଲ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ଅର୍ଥ ସାଜିଛି ବଡ଼ ପ୍ରତିବନ୍ଧକ । ଦୀପକଙ୍କ ଦୁଃଖକୁ ଦେଖି ସ୍ଥାନୀୟ ବାସିନ୍ଦା  ସମସ୍ତେ ସାହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ପିଲାଟିକୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସରକାର ତୁରନ୍ତ ଦୀପକଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ମାଆର ପଣତକାନୀର ସ୍ନେହ ,ଭଲ ପାଇବାର ସ୍ପର୍ଶ ଦୀପକଙ୍କ ପାଇଁ ନୂଆ ଏକ ଜୀବନର ଭାସ୍କର ହେଉ । ଯଦି ସରକାର ସାହାଯ୍ୟ ସହଯୋଗ କରନ୍ତି ତେବେ ଦୀପକଙ୍କ ପାଇଁ ନୂଆ ଏକ ସୁନେଲି କିରଣର ଦିଗବଳୟ ସୃଷ୍ଟି କରିବ ।

Related story