Advertisment

ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର, ଘରେ ଜିଇଁ ଉଠିଲା ଛୁଆ!

ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ SNCU ଭର୍ତ୍ତି କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
New bornbaby

Newborn baby

ଜନ୍ମ ପରେ ନବଜାତ ଶିଶୁଟି ମରି ଯାଇଥିବା କହିଲେ ଡାକ୍ତର। ଏମିତିକି ତା’ ଉପରେ ଧଳା କପଡ଼ା ଘୋଡ଼ାଇ ଦିଆଯାଇଥିଲା। ଶିଶୁଟିକୁ ପରିବାର ଲୋକେ ମନଦୁଃଖରେ ଘରକୁ ଆଣିବା ପରେ ଜାଣିବାକୁ ପାଇଲେ ଯେ ସେ ବଞ୍ଚିଛି। ତା’ପରେ ପୁଣି ତାକୁ ଧରି ଧାଇଁ ଯାଇଥିଲେ ଡାକ୍ତରଖାନାକୁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। 

Advertisment

ଅଭିଯୋଗ ଅନୁସାରେ, ଢେଙ୍କାନାଳର ଖମାର ସାହି ଅଞ୍ଚଳର ଜଣେ ମହିଳା ଗତକାଲି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ପ୍ରସବ କରିଥିଲେ। ହେଲେ ପିଲାଟି ଜନ୍ମ ହେବା ପରେ ତା’ର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଆଉ ମାଆର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ରେଫର୍ କରିଥିଲୋ। ଶିଶୁଟିର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। କାନ୍ଦ ବୋବାଳିରେ ମେଡିକାଲ ପରିସର ଫାଟିପଡ଼ିଥିଲା। ସେମାନେ ଶିଶୁଟିକୁ ନେଇ ଘରକୁ ଚାଲି ଯାଇଥିଲେ। ହେଲେ ଘରେ ପହଞ୍ଚିବା ପରେ ଶିଶୁଟି ବଞ୍ଚିଥିବା ଜାଣିବାକୁ ପାଇଲେ ପରିବାର ଲୋକେ। ସେମାନେ ତୁରନ୍ତ ଶିଶୁଟିକୁ ନେଇ ମେଡିକାଲକୁ ଯାଇଥିଲେ।  ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ SNCU ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଶିଶୁଟିକୁ ମୃତ ଘୋଷଣା କରି ନଥିବା ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି, ଶିଶୁଟି ମରିଯାଇଛି ବୋଲି ଆଦୌ କୁହାଯାଇ ନଥିଲା। ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ SNCUକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ କାହାକୁ କିଛି ନକହି ସେମାନେ ଶିଶୁଟିକୁ ନେଇ ଘରକୁ ପଳାଇଥିଲେ।

Advertisment

ନବଜାତ ଶିଶୁପୁତ୍ରର ପିଉସୀ କୁନି ହେହୁରୀ କହିଛନ୍ତି, ପିଲାଟି ଜନ୍ମ ହେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ତା’ ଉପରେ କପଡ଼ା ଘୋଡ଼ାଇ ଦେଇଥିଲେ। ଘରେ ପହଞ୍ଚିବା ପରେ ପିଲାଟି ବଞ୍ଚିଥିବା ଜାଣିବା ପରେ ଆମେ ପୁଣି ଡାକ୍ତରଖାନା ଆଣିଥିଲୁ। ଡାକ୍ତରଙ୍କ ଖାମଖିଆଲି ଯୋଗୁ ଏମିତି ଘଟଣା ଘଟିଛି। ତାଙ୍କୁ ଦଣ୍ଡ ଦିଆଯାଉ।

Medical Negligence Dhenkanal New Born Baby