/odisha-reporter/media/post_attachments/uploads/2022/01/bank-1.jpg)
bank
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ବଡ଼ ଧରଣର ଡକାୟତି। ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୪ ଦୁର୍ବୃତ୍ତ ବ୍ୟାଙ୍କ୍ ଲକରରୁ ସୁନାଗହଣା ସହ ନଗଦ ୭/୮ ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ତେବେ ଲୁଟ୍ ହୋଇଥିବା ସୁନାଗହଣାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାର ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହାସହ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାସୋଳ ଥାନା ଠାରୁ ମାତ୍ର ୨୦୦ ମିଟର୍ ପାଖରେ ରହିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ବ୍ୟାଙ୍କ୍ ବନ୍ଦ କରିବାରୁ କିଛି ସମୟ ପୂର୍ବରୁ ୪ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ଦୁଇଟି ବାଇକରେ ପହଞ୍ଚିଥିଲେ। ସେମାନଙ୍କ ପାଖରେ ଛୁରୀ, ଭୁଜାଲି ଓ ଲୁହାର ପଞ୍ଚ ଥିଲା। ସେମାନେ ବ୍ୟାଙ୍କ ଭିତରେ ପ୍ରବେଶ କରି ବ୍ୟାଙ୍କର ମ୍ୟାନେଜର ସମେତ ମୋଟ ତିନିଜଣଙ୍କୁ ଷ୍ଟ୍ରଙ୍ଗ ରୁମ୍ ଭିତରେ ତାଲା ପକାଇ ଦେଇଥିଲେ। ତେବେ ବାହାରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆହତ କରିଦେଇଥିଲେ।
ଏହାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ସୁନାଗହଣା ସହ ୭ରୁ ୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ବାସ୍ତବରେ କେତେ ଟଙ୍କାର ଲୁଟ୍ ହୋଇଛି, ତାହା ହିସାବ ପରେ ଜଣାପଡ଼ିବ। ତେବେ ସୁନାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ଏସଡିପିଓ ସୂଚନା ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଦୁର୍ବୃତ୍ତମାନେ ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ଲୁଟି ନେଇଛନ୍ତି। ରାସୋଳ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଆହତଙ୍କୁ ଛାଡ଼ି ଦିଆଯାଇଛି।
ଖବର ପାଇ ବ୍ୟାଙ୍କରେ ଥାନାର ତିନିଜଣ ଆଇଆଇସି ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଥାନା ଠାରୁ ମାତ୍ର ୨୦୦ ମିଟର୍ ଦୂରରେ ବ୍ୟାଙ୍କ ଥାଇ ସୁଦ୍ଧା ଏତେ ଟଙ୍କାର ଲୁଟ୍ କେମିତି ହେଲା। ଏହି ଘଟଣା ପୁଲିସ୍ ଆଗରେ ବଡ଼ ଚ୍ୟାଲେଞ୍ଜ ଛିଡ଼ା କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
