Advertisment

ଫଟୋ ଉଠାଇଲେ ବୋଲି ତହସିଲଦାରଙ୍କୁ ଲହୁଲୁହାଣ କରିବା ପରେ ଜେସିବି ଚଢ଼ାଇବାକୁ ଉଦ୍ୟମ

ସୌଭାଗ୍ୟକୁ ଘଟଣାସ୍ଥଳରେ ତହସିଲର କନିଷ୍ଠ କିରାଣୀ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ଆକ୍ରମଣକାରୀଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଦ୍ୟତନ ହୋଇଛି
Sand mafia attacks Tehsildar

Sand mafia attacks Tehsildar

Advertisment

ମାଟି ମାଫିଆଙ୍କ ଦୌରାତ୍ମ। ମାଡ଼ମାରି ତହସିଲଦାରଙ୍କୁ ଲହୁଲୁହାଣ କରିବା ପରେ ତାଙ୍କ ଉପରେ ଜେସିବି ଚଢ଼ାଉଥିଲେ। ସୌଭାଗ୍ୟକୁ ଘଟଣାସ୍ଥଳରେ ତହସିଲର କନିଷ୍ଠ କିରାଣୀ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ଆକ୍ରମଣକାରୀଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ମାଟି ମାଫିଆଙ୍କ ଆକ୍ରମଣରୁ ବର୍ତ୍ତି ପାରିନାହାନ୍ତି କନିଷ୍ଠ କିରାଣୀ ଓ ରାଜସ୍ୱ ନିରୀକ୍ଷକ। ସେମାନେ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି। ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁ ନିକଟରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟାଲ ଶୁଭ୍ର ପଟେଲ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ହୋଇଥିବା ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ କନିଷ୍ଠ କିରାଣୀ ପ୍ରେମାନନ୍ଦ ବେହେରାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

Advertisment

ପଥରଖମ୍ବ ଗାଁ ନିକଟରେ ଦୁର୍ବୃତ୍ତମାନେ ବେଆଇନ ଭାବେ ଜେସିବି ଲଗାଇ ମାଟି ଖୋଳୁଥିବା ସମୟରେ ଚଢ଼ାଉ କରିଥିଲେ ତହସିଲଦାର। ଦୁଇଟି ଟ୍ରାକ୍ଟର ଯୋଗେ ମାଟି ଚାଲାଣ ହେଉଥିଲା। ଏହି ମାଟି ଖୋଳା ଯିବାର ଫଟୋ ଉଠାଉଥିବା ବେଳେ ଦୁର୍ବୃତ୍ତମାନେ ବାଡ଼ି ଧରି ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ସାର୍ଟ ଧରି ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏହି ସମୟରେ ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ ପ୍ରେମାନନ୍ଦ ବେହେରା ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଏପରି ନ କରିବାକୁ ବାରଣ କରିଥିଲେ। ଦୁର୍ବୃତ୍ତମାନେ ତହସିଲଦାରଙ୍କୁ ଛାଡ଼ି ଏହି ଦୁଇ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ତହସିଲଦାର ଘଟଣାସ୍ଥଳରୁ କାର୍‌ ଧରି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର୍‌ ଉପରକୁ ଦୁର୍ବୃତ୍ତମାନେ ଜେସିବି ମେସିନ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ତେବେ ସୌଭାଗ୍ୟକୁ ଜେସିବି ଆଗରୁ କାର୍‌ ହଟାଇ ଦେବାରୁ ବଡ଼ ଅଘଟଣରୁ ତହସିଲଦାର ରକ୍ଷା ପାଇ ଯାଇଛନ୍ତି।

Tehsildar Staff and RIଆହତ ତହସିଲ କିରାଣୀ ଓ ଆରଆଇ

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣକାରୀମାନେ ଜେସିବି ଓ ଗୋଟିଏ ଟ୍ରାକ୍ଟର ଧରି ଫେରାର ହୋଇ ଯାଇଥିଲେ। ଆକ୍ରମଣରେ ଗୁରୁତର ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ତହସିଲଦାରଙ୍କ ମୁଣ୍ଡ, ମୁହଁ ଫାଟି ଯାଇଛି। ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ଏ ନେଇ ଅଭିଯୋଗ ପରେ କାମାକ୍ଷାନଗର ପୁଲିସ ତନାଘନା ଜାରି ରଖିଛି।

Advertisment

ତହସିଲଦାର ସିରିୟାଲ୍ ଶୁଭ୍ର ପଟେଲ କହିଛନ୍ତି, ଆକ୍ରମଣକାରୀ ହଠାତ୍ ଏପରି ଆକ୍ରମଣ କରିବେ ଅନୁମାନ ନ ଥିଲା। ୨ ଜଣ ବ୍ୟକ୍ତି ପ୍ରଥମେ ଆକ୍ରମଣ କରିଥିଲେ। ସେ କାହାକୁ ଚିହ୍ନି ନାହାନ୍ତି।

ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ କନିଷ୍ଠ କିରାଣୀ ପ୍ରେମାନନ୍ଦ ବେହେରା କହିଛନ୍ତି, ତହସିଲଦାର ଚଢ଼ାଉରେ ଯାଉଥିବା ନେଇ ସୂଚନା ଦେବା ପରେ ତାଙ୍କ ସୂଚନା ପାଇ ଘଟଣା ସ୍ଥଳକୁ ସେମାନେ ଯାଇଥିଲେ। ହେଲେ ସେମାନେ ପହଞ୍ଚିବା ପୂର୍ବରୁ ପ୍ରାୟ ୮ ଜଣ ଦୁର୍ବୃତ୍ତ ତହସିଲଦାରଙ୍କୁ ଆକ୍ରମଣ କରି ଚାଲିଥିଲେ। ଯଥା ସମ୍ଭବ ଚେଷ୍ଟା କରି ଆକ୍ରମଣକାରୀଙ୍କ କବଳରୁ ତହସିଲଦାରଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆକ୍ରମଣକାରୀମାନେ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।

କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ଘଟଣାସ୍ଥଳରୁ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଖୁବ୍‌ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ।

ସେପଟେ ଖବର ପାଇ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଆହତ ତହସିଲଦାରଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ସେ ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Crime Sand Mafia Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe