ଦଶମ ପରୀକ୍ଷା ସରିଥିଲା। ତେଣୁ ଛାତ୍ରୀ ଜଣକ ଖୁସି ହୋଇ ଅଜା ଘରକୁ ଛୁଟି କାଟିବା ପାଇଁ ବାପାଙ୍କ ସହ ବାଇକ୍ରେ ଯାଉଥିଲେ। ହେଲେ ବାଟରେ ଛକି ବସିଥିବା ମୃତ୍ୟୁ ଛାତ୍ରୀଙ୍କ ଜୀବନ ନେଇ ଯାଇଥିବା ବେଳେ ତାଙ୍କ ବାପା ଗୁରୁତର ହୋଇଛନ୍ତି। ମୃତ ଛାତ୍ରୀ ଜଣଙ୍କ ପରଜଙ୍ଗ ଥାନା ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଭଣ୍ଡାର ଗାଁର ସ୍ୱାତୀ ସୁଚରିତା ଜେନା ଓ ଗୁରୁତର ହୋଇଛନ୍ତି ବାପା ଅଭିରାମ ଜେନା।
ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନଂ ଜାତୀୟ ରାଜପଥର ଯମୁନାକୋଟ ଛକ ନିକଟରେ ଟ୍ରକ ଧକ୍କାରେ ସ୍ୱାତୀଙ୍କ ମୃତ୍ୟୁ ହୋଇଛି ଓ ତାଙ୍କ ବାପା ଗୁରୁତର ହୋଇଛନ୍ତି। ଅଭିରାମଙ୍କୁ ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସ୍ୱାତୀ ତାଙ୍କ ବାପାଙ୍କ ସହ ବାଇକ ଯୋଗେ ତାଳଚେରରୁ ଭୁବନ ଥାନା ଅନ୍ତର୍ଗତ ଧଳପଡ଼ା ଗାଁ ସ୍ଥିତ ଅଜା ଘରକୁ ବୁଲିବାକୁ ଯାଉଥିଲେ। ବାଟରେ ବାଇକ୍କୁ ପଛରୁ ଧକ୍କା ଦେଇଥିଲା ଟ୍ରକ। ଗୁରୁତର ଅବସ୍ଥାରେ ବାପା ଓ ଝିଅଙ୍କୁ ପିସିଆର ଯୋଗେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସ୍ୱାତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଯାହା ଦେଖି ଡାକ୍ତରଖାନାରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୂରା ପରିବାର।
ଘଟଣା ଘଟାଇବା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ଭୁବନ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।