/odisha-reporter/media/media_files/2026/02/11/police-2026-02-11-15-00-41.jpg)
ଭୁବନେଶ୍ୱରର ନୀଳାଦ୍ରୀ ବିହାରରେ କାର ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟାକାଣ୍ଡର ଖୁଲାସା ହୋଇଛି। ତ୍ରିକୋଣୀୟ ପ୍ରେମରୁ ଘଟିଛି ଏହି ହତ୍ୟାକାଣ୍ଡ। ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା କରିଛନ୍ତି ଦିନେଶ ନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସିପି ସୋନାଲ ସିଂହ ପରମାର।
ଉଭୟ ସତ୍ୟବ୍ରତ ପ୍ରଧାନ ଓ ଦିନେଶ ନାୟକ ବିବାହିତ ହୋଇ ସୁଦ୍ଧା ପାର୍ଲରେ କାମ କରୁଥିବା ଲିଜାଙ୍କୁ ଭଲ ପାଉଥିଲେ। ଲିଜାଙ୍କ ସହିତ ପ୍ରଥମେ ଦିନେଶଙ୍କ ସଂପର୍କ ଗଢ଼ିଉଠିଥିଲା। ଲିଜା ଓ ଦିନେଶଙ୍କ ମଧ୍ୟରେ ୩ ବର୍ଷ ଧରି ପ୍ରେମ ସଂପର୍କ ଥିଲା। ସେମାନେ କିଛି ଦିନ ଲିଭ୍-ଇନ୍ରେ ମଧ୍ୟ ରହିଥିଲେ। ତା’ପରେ ଲିଜାଙ୍କ ଜୀବନକୁ ଆସିଥିଲେ ସତ୍ୟବ୍ରତ। ଦୁଇ ମାସ ହେଲାଣି ଦିନେଶଙ୍କ ଠାରୁ ଦୂରେଇ ରହୁଥିଲେ ଲିଜା। ତେଣୁ ଦିନେଶ ତାଙ୍କ ଉପରେ ସନ୍ଦେହ କରୁଥିଲେ। ଲିଜାଙ୍କର ଆଉ କାହା ସହିତ ସଂପର୍କ ଥିବା ସେ ସନ୍ଦେହ କରୁଥିଲେ। ଦୁଇ ମାସ ହେଲାଣି ସେ ଜଗତସିଂହପୁର ପଳାଇଥିଲେ ସୁଦ୍ଧା ଫୋନ୍ରେ ଲିଜାଙ୍କ ସହିତ ଯୋଗାଯୋଗରେ ଥିଲେ। ସତ୍ୟବ୍ରତଙ୍କ ସହିତ ମଧ୍ୟ ଲିଜାଙ୍କର ସଂପର୍କ ଥିବା ସେ ଜାଣି ନଥିଲେ। ଦନେଶ ଓ ସତ୍ୟବ୍ରତ ମଧ୍ୟ ପରସ୍ପରକୁ ଜାଣି ନଥିଲେ।
ଗତ ରବିବାର ବାରମ୍ବାର ଲିଜାଙ୍କୁ କଲ୍ ଓ ଭିଡିଓ କଲ୍ କରିଥିଲେ ଦିନେଶ। କିନ୍ତୁ ଲିଜା ରିସିଭ୍ କରି ନଥିଲେ। ତେଣୁ ଦିନେଶଙ୍କର ସନ୍ଦେହ ହୋଇଥିଲା।ସେ କାରରେ ଜଗତସିଂହପୁରରୁ ଆସିଥିଲେ ଭୁବନେଶ୍ୱର ଓ ସିଧା ଯାଇ ପହଞ୍ଚିଥିଲେ ଲିଜାଙ୍କ ରୁମ୍ରେ। ରାତି ଗୋଟାଏରେ ସେ ପହଞ୍ଚିଥିଲେ ଲିଜାଙ୍କ ଘରେ। ସେଠାରେ ସେ ଲିଜାଙ୍କ ସହିତ ସତ୍ୟବ୍ରତଙ୍କୁ ଦେଖିଥିଲେ।
ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକ ସହ ଦେଖି ରାଗିଯାଇଥିଲେ ଦିନେଶ। ସତ୍ୟବ୍ରତ ଓ ଦିନେଶଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେହି ସମୟରେ ଦିନେଶ ଏକ ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲେ। ସେ ସତ୍ୟବ୍ରତଙ୍କ ତଣ୍ଟି ଓ ଛାତିରେ ଛୁରୀ ଭୁଷି ଦେଇଥିଲେ। ଲିଜା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସତ୍ୟବ୍ରତ ଗୁରୁତର ଅବସ୍ଥାରେ ଘରୁ ଦୌଡ଼ି ପଳାଇଥିଲେ। ସେ ମଙ୍ଗଳା ମନ୍ଦିର ନିକଟରେ ଅଚେତ ହୋଇ ପଡ଼ିଯାଇଥିଲେ। ଲିଜା ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇ ଦେଇଥିଲେ। ୟା ମଧ୍ୟରେ ଦିନେଶ କାରରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯେତେବେଳେ ଦିନେଶ ଦେଖିଲେ ପୁଲିସ ସିସିଟିଭି ଫୁଟେଜ୍, କଲ ରେକର୍ଡ ଆଦି ଯାଞ୍ଚ କରି ତାଙ୍କୁ ଖୋଜୁଛି, ସେ ଆତ୍ମସମର୍ପଣ କରି ଦେଇଥିଲେ।
ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂହ ପରମାର। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦିନେଶ ଏକମାତ୍ର ଅଭିଯୁକ୍ତ। ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଲିଜାଙ୍କୁ ନେଇ ଏହି ତ୍ରିକୋଣୀୟ ପ୍ରେମ କାହାଣୀ ଗଢ଼ିଉଠିଥିଲା ବେଳେ ସତ୍ୟବ୍ରତଙ୍କ ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ନାହିଁ। ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି।
ଗୋଟିଏ ରୁମ୍ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲେ ଦିନେଶ। ଲିଜା ସତ୍ୟବ୍ରତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେଣୁ ତାଙ୍କର ହତ୍ୟାରେ ସମ୍ପୃକ୍ତି ନାହିଁ। ସତ୍ୟବ୍ରତ ଯେଉଁ କାର୍ ଚଳାଉଥିଲେ ତାହାକୁ ମାଲିକ ନେଲା ବେଳେ ଦୁର୍ଘଟଣା ଘଟିଥିଲା। କାର୍ ମାଲିକ କାର ନେଇଯିବା ପାଇଁ ଯେଉଁ ଡ୍ରାଇଭରଙ୍କୁ ପଠାଇଥିଲେ ସେ ମଦ ପିଇ ଗାଡ଼ି ଚଲାଉଥିବାରୁ ଦୁର୍ଘଟଣା ଘଟିଥିଲା।
କାଲି ଆତ୍ମସମର୍ପଣ କରିଥିଲେ ଦିନେଶ
ଅଭିଯୁକ୍ତ ଦିନେଶ ନାୟକଙ୍କ ଘର ଜଗତସିଂହପୁର ଜିଲା ବାଲିକୁଦା ଥାନା ଅରିଲୋ ଗାଁରେ। ଗତକାଲି ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ପହଞ୍ଚିଥିଲେ। ସେ ହତ୍ୟା କରିଥିବା ଓ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ପୁଲିସକୁ କହିଥିଲେ। ଖବର ପାଇବା ପରେ କମିଶନରେଟ ପୁଲିସ ଜଗତସିଂହପୁର ପହଞ୍ଚିଥିଲା ଓ ଦିନେଶକୁ ଭୁବନେଶ୍ୱର ଆଣିଥିଲା। ଦିନେଶଙ୍କ ବାପାମା’ ନାହାନ୍ତି। ସେମାନଙ୍କର ପରଲୋକ ହୋଇଯାଇଛି। ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିବା ଦିନେଶଙ୍କ ଘରେ ତାଙ୍କ ସ୍ତ୍ରୀ ଓ ଝିଅ ଅଛନ୍ତି। ଲିଜା ସହିତ ସମ୍ପର୍କ ଗଢ଼ିଉଠିବା ପରଠୁ ସେ ଆଉ ନିୟମିତ ଘରକୁ ଯାଉ ନଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ସେ ଗାଡ଼ି ଡ୍ରାଇଭର ଭାବରେ ପ୍ରଥମେ କଟକ ଓ ପରେ ଭୁବନେଶ୍ୱରରେ କାମ କରୁଥିଲା। ଲିଜା ସହିତ ସମ୍ପର୍କ ରଖିବା ପରେ ତାଙ୍କ ପରିବାର ଉଜୁଡି ଯାଇଛି ବୋଲି ଦିନେଶଙ୍କ ସ୍ତ୍ରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
