
ଜନଜାତି ଆବାସିକ ସ୍କୁଲଗୁଡ଼ିକରେ ଭିଆଇପି କଲଚର କି ରାଜନୀତିକ ହସ୍ତକ୍ଷେପରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ବ୍ୟାପକ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜନଜାତି ସ୍କୁଲଗୁଡ଼ିକର କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ‘ଭିଆଇପି କଲଚର ବା ସଂସ୍କୃତି’କୁ ସମ୍ପୂର୍ଣ୍ଣ ଉପରେ ବ୍ୟାନ୍ କରାଯିବା ସହ ଶିକ୍ଷାନୁଷ୍ଠାନ ପରିସରକୁ ରାଜନୀତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଜନଜାତି ଆବାସିକ ସ୍କୁଲ ବିଶେଷକରି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲଗୁଡ଼ିକର ରାଜ୍ୟ ନୋଡାଲ ଅଫିସର ଓ ସମସ୍ତ ସ୍କୁଲର ପ୍ରିନ୍ସିପାଲମାନଙ୍କୁ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ‘ନ୍ୟାସନାଲ ଏଜୁକେସନ୍ ସୋସାଇଟି ଅଫ ଟ୍ରାଇବାଲ ଷ୍ଟୁଡେଣ୍ଟସ’ (ଏନଇଏସଟିଏସ) ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି ।
ଅଫିସରଙ୍କ ପାଇଁ ବାହାର ଖାଦ୍ୟ ନିଷେଧ ଓ ସ୍କୁଲ ମେନ୍ୟୁ ବାଧ୍ୟତାମୂଳକ
ଏନଇଏସଟିଏସ୍ ଡେପୁଟି କମିଶନର କୁମୁଦ କୁଶୱାହଙ୍କ ଦ୍ୱାରା ଗତକାଲି(ଜାନୁୟାରୀ ୨ତାରିଖ) ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ପରିଦର୍ଶନରେ ଯାଉଥିବା ଅଫିସରମାନଙ୍କୁ କୌଣସି ପ୍ରକାରର ସ୍ୱତନ୍ତ୍ର ଭାବେ ଆପ୍ୟାୟିତ କରାଯିବ ନାହିଁ । କିମ୍ବା ‘ଭିଆଇପି କଲଚର’କୁ ଅନୁପାଳନ କରାଯାଇ ପାରିବ ନାହିଁ । ସ୍କୁଲଗୁଡ଼ିକୁ ପରିଦର୍ଶନରେ ଯାଉଥିବା ଅଫିସରମାନଙ୍କୁ ଅନଧିକୃତ ଭାବେ ବାହାରୁ ଦାମୀ ଖାଦ୍ୟ ମଗାଯାଇ ଅବା ପ୍ରସ୍ତୁତ କରି ଅଯଥାରେ ସରକାରୀ ପାଣ୍ଠିର ଅପବ୍ୟୟ କରାଯାଉଥିବା ଅଭିଯୋଗ ହୋଇଥିଲା ।
ତେଣୁ ଏଣିକି ଏହି ଆବାସିକ ସ୍କୁଲଗୁଡ଼ିକୁ ଗସ୍ତ କରୁଥିବା ଅଫିସରମାନେ କେବଳ ସ୍କୁଲର ମେସରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ହିଁ ଖାଇବେ । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନିମନ୍ତେ ଧାର୍ଯ୍ୟ ହୋଇଥିବା ସମାନ ଖାଦ୍ୟ ତାଲିକା(ଅନୁମୋଦିତ ମେନ୍ୟୁ) ଅନୁଯାୟୀ ହିଁ ସମସ୍ତ ଅଧିକାରୀଙ୍କୁ ଖାଦ୍ୟ ପରିବେଷଣ କରାଯିବ । ଏହାର ଖିଲାପ ହେଲେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କୁଶୱାହ ତାଗିଦ୍ କରିଛନ୍ତି ।
ଛାତ୍ରୀନିବାସର ସୁରକ୍ଷା: ପୁରୁଷ ସମ୍ପର୍କୀୟ,କର୍ମଚାରୀଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ
ଜନଜାତି ଆବାସିକ ସ୍କୁଲଗୁଡ଼ିକରେ ରହୁଥିବା ଛାତ୍ରୀମାନଙ୍କର ସୁରକ୍ଷା,ନିରାପତ୍ତା ଓ ଗୋପନୀୟତାକୁ ଦୃଷ୍ଟିରେ ରଖି ଡିସେମ୍ବର ୮ତାରିଖରେ ସମସ୍ତ ଛାତ୍ରୀନିବାସ ପାଇଁ କଠୋର ଗାଇଡଲାଇନ୍ ଜାରି ହୋଇଛି । ଏହି ନିୟମ ଅନୁଯାୟୀ, ଛାତ୍ରୀନିବାସ ପରିସରକୁ ପୁରୁଷ ସମ୍ପର୍କୀୟ,କର୍ମଚାରୀ ଓ ପୁରୁଷ ପରିଦର୍ଶକଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଛି । କେବଳ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ବା ଅତ୍ୟାବଶ୍ୟକ ମରାମତି କାମ ପାଇଁ ପ୍ରିନ୍ସିପାଲଙ୍କ ଅନୁମତି ନେଇ ପୁରୁଷ ବ୍ୟକ୍ତି ଛାତ୍ରୀନିବାସ ଭିତରକୁ ଯାଇପାରିବେ । ତେବେ ଛାତ୍ରୀମାନଙ୍କ ସହ ସବୁବେଳେ ଜଣେ ମହିଳା ୱାର୍ଡେନ ରହିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି । ଆବାସିକ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ଗର୍ଭଧାରଣ ଓ ଯୌନ ନିର୍ଯାତନା ଆଦି ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କଠୋର ଗାଇଡଲାଇନ୍ ଜାରି ହୋଇଥିବା ଜଣାପଡ଼ିଛି ।
ରାଜନୈତିକ ଓ ବାହ୍ୟ ହସ୍ତକ୍ଷେପ ଉପରେ କଟକଣା
ଆବାସିକ ସ୍କୁଲଗୁଡ଼ିକରେ ଆଭ୍ୟନ୍ତରୀଣ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍କୁଲାର ଜାରି ହୋଇଛି । ଏହି ସ୍କୁଲଗୁଡ଼ିକର କୌଣସି ଶିକ୍ଷକ ବା କର୍ମଚାରୀ ସିଧାସଳଖ ଭାବେ ସ୍ଥାନୀୟ ରାଜନୈତିକ ନେତା, ମିଡିଆ ପ୍ରତିନିଧି କିମ୍ବା ବାହାରର ସାମାଜିକ ଗୋଷ୍ଠୀ ସହ ଯୋଗାଯୋଗ କରିପାରିବେ ନାହିଁ ।
ସ୍କୁଲର କିଛି କର୍ମଚାରୀ ଆଭ୍ୟନ୍ତରୀଣ ତଥ୍ୟକୁ ଭୁଲ ଭାବେ ବାହାର ବ୍ୟକ୍ତିଙ୍କ ନିକଟରେ ଉପସ୍ଥାପନ କରି ଶିକ୍ଷାନୁଷ୍ଠାନର ସୁନାମ ଓ ପରିବେଶ ନଷ୍ଟ କରୁଥିବା ଦେଖାଯାଉଛି । ତେଣୁ ଏଣିକି କୌଣସି ବି ସମସ୍ୟା ବା ଅଭିଯୋଗ ଥିଲେ ତାହାକୁ କେବଳ ଉପଯୁକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ କର୍ମଚାରୀଙ୍କୁ ନିଲମ୍ବନ, ଚାର୍ଜସିଟ୍ ଭଳି ଅନ୍ୟ ଉପଯୁକ୍ତ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସତର୍କ କରାଇ ଦିଆଯାଇଛି ।
ସେହିପରି ସ୍କୁଲ ପରିସରକୁ ପରିଷ୍କାର ରଖିବା, ଘାସ ଆଦି ସଫା ସହ ଝରକାରେ ଜାଲି ଲଗାଇବା ପାଇଁ ମଧ୍ୟ କୁହାଯାଇଛି । ଯାହାଫଳରେ ହଷ୍ଟେଲ ଭିତରକୁ ସାପ ବା ବିଷାକ୍ତ କୀଟପତଙ୍ଗ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ରାଜ୍ୟରେ ଜନଜାତି ସ୍କୁଲରେ ପଢ଼ୁଛନ୍ତି ସାଢ଼େ ୫ଲକ୍ଷରୁ ଅଧିକ ପିଲା
ସୂଚନା ଅନୁସାରେ , ଓଡ଼ିଶାରେ ଜନଜାତି ପିଲାଙ୍କ ଶିକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍କିମରେ ଆବାସିକ ସ୍କୁଲଗୁଡ଼ିକ ପରିଚାଳିତ ହେଉଛି । ସୂଚନା ଅନୁସାରେ, ରାଜ୍ୟରେ ୧୧୪ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବାବେଳେ ସେଥିରୁ ୪୭ଟି କାର୍ଯ୍ୟକ୍ଷମ ହୋଇସାରିଛି ।
ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧୀନରେ ପ୍ରାୟ ୫୯୬୩ଟି ହଷ୍ଟେଲ କାର୍ଯ୍ୟ କରୁଛି, ଯେଉଁଠାରେ ସାଢ଼େ ୫ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନେ ଆବାସିକ ସୁବିଧା ସହ ପାଠ ପଢ଼ୁଛନ୍ତି । ରାଜ୍ୟ ସରକାର ଆଉ ୨୩୫ଟି ନୂତନ ହଷ୍ଟେଲ ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ ଦେଇଛନ୍ତି । ଓଡ଼ିଶାରେ ଜନଜାତି ଛାତ୍ରୀମାନଙ୍କ ପାଇଁ ଆବାସିକ ସୁବିଧା ଥିବା ଏକଲବ୍ୟ ସ୍କୁଲ, କସ୍ତୁରବା ଗାନ୍ଧି ବାଳିକା ସ୍କୁଲ, କନ୍ୟାଶ୍ରମ ସ୍କୁଲ ସମେତ ଅନ୍ୱେଷା ଓ ଆକାଂକ୍ଷା ଯୋଜନାରେ ମଧ୍ୟ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଆବାସିକ ସୁବିଧାଯୁକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପରିଚାଳିତ ହେଉଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଏକଲବ୍ୟ ଆବାସିକ ସ୍କୁଲଗୁଡ଼ିକ ନିମନ୍ତେ ଏଭଳି କଡ଼ା ନିର୍ଦ୍ଦେଶନାମା ପରେ ରାଜ୍ୟର ଡବଲ ଇଞ୍ଜିନ୍ ସରକାର ଜନଜାତି ଆବାସିକ ସ୍କୁଲଗୁଡ଼ିକ ପାଇଁ କେଉଁଭଳି ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ଉଲ୍ଲେଖଯୋଗ୍ୟ, ଗତମାସରେ ନବରଙ୍ଗପୁର ଜିଲ୍ଲାରେ ଏକ ଆବାସିକ ସ୍କୁଲ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବିଜେଡି ନେତା ପ୍ରଦୀପ ମାଝୀ ଉଦ୍ଧାର କରିବା ପରେ ଏସବୁ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପଦାକୁ ଆସିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
