କେବଳ ଶୀତତାପ ନିୟନ୍ତ୍ରିତ ଅଫିସରେ ବସି ସମୀକ୍ଷା କଲେ ଚଳିବ ନାହିଁ, ବରଂ ଦୁର୍ଗମ ଅଂଚଳକୁ ପାଦରେ ଚାଲି ଚାଲି ଯିବାକୁ ପଡ଼ିବ,ଲୋକଙ୍କ ସହ ମିଶି ଯୋଜନାର ସଫଳତା ପରଖିବାକୁ ହେବ। ଏପରିକି ପଂଚାୟତକୁ ଯାଇ ଯୋଜନାର ସମୀକ୍ଷା ସହ ଶତପ୍ରତିଶତ ସଫଳ ହୋଇଛି କି ନାହିଁ ତା’ର ତଦାରଖ କର। ରାଜ୍ୟର ସଚିବ ଓ ନିର୍ଦ୍ଦେଶକ ପାହ୍ୟାର ୩୦ଜଣ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଜାନୁୟାରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ୱ ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ କରିବା ପାଇଁ ଏଭଳି ଗାଇଡଲାଇନ୍ ଜାରି କରିଛନ୍ତି ।
ଜିଲ୍ଲା ଗସ୍ତରୁ ଫେରି ନିଜର ଗସ୍ତ ସୂଚନା ଓ ପ୍ରମୁଖ ତଥ୍ୟଗୁଡ଼ିକୁ ‘ପାରଦର୍ଶିତା’ ପୋର୍ଟାଲରେ ନିଶ୍ଚିତ ଭାବେ ଅପଲୋଡ୍ କରିବା ସହ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ନିକଟକୁ ମଧ୍ୟ ଏହାର ନକଲ ପଠାଇବାକୁ କୁହାଯାଇଛି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗୀୟ ସଚିବଙ୍କୁ ଆବଣ୍ଟିତ ଜିଲ୍ଲା ଗସ୍ତରେ ଯିବାକୁ କହିବା ସହ ସେଥିପାଇଁ ୧୪ଟି ଦିଗ ପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ସଚିବମାନଙ୍କ ଜିଲ୍ଲା ଗସ୍ତରେ ଉପରେ ଗୁରୁତ୍ୱ ଦେଇଛନ୍ତି ।
ଗାଁକୁ ଯିବେ ସଚିବ, ଯୋଜନାର କରିବେ ତଦାରଖ
ଉନ୍ନୟନ କମିଶନର ଶ୍ରୀ ସିଂ ବୁଧବାର ଜାରି କରିଥିବା ଗାଇଡଲାଇନ୍ ଅନୁସାରେ, ସଚିବ ଓ ନିର୍ଦ୍ଦେଶକ ପାହ୍ୟାର ଏହି ବରିଷ୍ଠ ଆଇଏଏସ୍ ଅଫିସରମାନେ ଜାନୁୟାରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ନିଜ ନିଜର ଆବଂଟିତ ଜିଲ୍ଲାକୁ ଅତିକମରେ ଦୁଇରୁ ତିନି ଦିନିଆ ଗସ୍ତରେ ଯିବେ । ଗସ୍ତବେଳେ ଜିଲ୍ଲା କିମ୍ବା ସବଡିଭିଜନାଲ୍ ହେଡକ୍ୱାଟର୍ସରେ ଅତିକମରେ ଗୋଟିଏ ରାତି ବିତାଇବେ । ଗସ୍ତ ସମୟରେ ସେମାନେ କୌଣସି ଗୋଟିଏ ଗ୍ରାମପଂଚାୟତକୁ ଯାଇ ସେଠାରେ ସରକାରୀ ଯୋଜନା କେତେ ସଫଳ ହୋଇଛି, ତାହାର ସଂପୂର୍ଣ୍ଣ ତଦାରଖ କରିବେ ।
ବିଶେଷକରି ରାଜ୍ୟରେ ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁଧ୍ୟାନ କରିବା ସହ ଏହାକୁ ଶୀଘ୍ର ସାରିବା ଉପରେ ଗୁରୁତ୍ୱ ଦେବେ । ପ୍ରଧାନମନ୍ତ୍ରୀ ଏସବୁ ପ୍ରକଳ୍ପଗୁଡ଼ିକର ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଥିବାରୁ ସଚିବମାନେ ଜିଲ୍ଲା ଗସ୍ତବେଳେ ଏହାର କାରଣ ଖୋଜିବା ସହ ଶୀଘ୍ର ଶେଷ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ । ବିଶେଷକରି ଗ୍ରାମାଂଚଳରେ ଘରକୁ ଘର ପାଇପ୍ ଯୋଗେ ପାଣି ପହଂଚାଇବା ପାଇଁ ‘ଫଙ୍କସନାଲ ହାଉସହୋଲ୍ଡ ଟ୍ୟାପ୍ କନେକ୍ସନ' ଉପରେ ଏଥର ଅଧିକ ଗୁରୁତ୍ୱ ଦେବେ ବୋଲି କୁହାଯାଇଛି ।
ଲୋକଙ୍କୁ ସିଧାସଳଖ ଭେଟିବେ, ଖାଦ୍ୟ ଯାଂଚ ବି କରିବେ
ଜିଲ୍ଲାଗସ୍ତ ବେଳେ ଏହି ଅଫିସରମାନେ କେବଳ ସହରରେ ସୀମିତ ନରହି ଅତି ଦୁଗର୍ମ, ଆଦିବାସୀ ବହୁଳ ଓ ପିଭିଟିଜି (ଆଦିମ ଜନଜାତି)ଙ୍କ ବସତିଗୁଡ଼ିକୁ ଯିବେ, ଯଦି ଦରକାର ଆବଶ୍ୟକ ପଡ଼େ ପାଦରେ ଚାଲି ଚାଲି ମଧ୍ୟ ଯିବା ପାଇଁ କୁହାଯାଇଛି । ତା’ଛଡ଼ା ଗସ୍ତ ସମୟରେ ଅଫିସରମାନେ ନିଜେ ଟଙ୍କା ଦେଇ ଯେକୌଣସି ଏସସି-ଏସଟି ହଷ୍ଟେଲ, ମଧ୍ୟାହ୍ନ ଭୋଜନ କେନ୍ଦ୍ର, ଅନାଥାଶ୍ରମ କିମ୍ବା ଆହାର କେନ୍ଦ୍ରରେ ଅତିକମରେ ଗୋଟିଏ ଥର ଭୋଜନ କରି ଖାଦ୍ୟର ଗୁଣବତ୍ତା ପରଖିବେ ।
ଛାତ୍ରଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆଇସିସି କମିଟି ଗଠନ ହୋଇଛି କି ନାହିଁ ଓ ଅନୁଷ୍ଠାନଗୁଡ଼ିକରେ ପୃଥକ ଶୌଚାଳୟ ଅଛି କି ନାହିଁ, ତାହା ମଧ୍ୟ ସେମାନେ ଯାଂଚ କରିବେ । ଏହି ସମୟରେ ସେମାନେ ପିଲାମାନଙ୍କ ସୁରକ୍ଷା, ସେମାନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଦୂର କରିବା ପାଇଁ ଥିବା ବ୍ୟବସ୍ଥାର ମଧ୍ୟ ତଦାରଖ କରିବେ । ଡାକ୍ତରଖାନାଗୁଡ଼ିକୁ ଯାଇ ସେଠାରେ ରୋଗୀଙ୍କ ସହ କଥା ହେବା ଏବଂ ସରକାରୀ ଯୋଜନାର ସୁଫଳ ମିଳୁଛି କି ନାହିଁ ତାହା ମଧ୍ୟ ସେମାନେ ଯାଂଚ କରିବେ ।
୨୧ଟି ଯୋଜନା, ଆକାଂକ୍ଷୀ ଜିଲ୍ଲା ଓ ବୃହତ ପ୍ରକଳ୍ପର ସମୀକ୍ଷା
ସଚିବ ଓ ନିର୍ଦ୍ଦେଶକମାନଙ୍କୁ ଜିଲ୍ଲାଗସ୍ତବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୧ଟି ଯୋଜନାର ଅଗ୍ରଗତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନା, ପିଏମଆବାସ ଯୋଜନା, ବସୁଧା ଓ ଜଳ ଜୀବନ ମିଶନ ପ୍ରମୁଖ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପଂଚସଖା ଶିକ୍ଷା ସେତୁ, ପିଏମଶ୍ରୀ ସ୍କୁଲ, ପୋଷଣ ଅଭିଯାନ, ମମତା ଯୋଜନା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ମଧୁବାବୁ ପେନସନ ଯୋଜନା, ସିଏମ-କିଷାନ, ସ୍ୱଚ୍ଛ ଭାରତ ମିଶନ, ପିଏମ ସୂର୍ଯ୍ୟଘର ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାର କାର୍ଯ୍ୟକାରିତାର ତଦାରଖ ପାଇଁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ୧୬ ଆକାଂକ୍ଷୀ ଜିଲ୍ଲାର ୪୦ଟି ଆକାଂକ୍ଷୀ ବ୍ଲକ ଉପରେ ସଚିବମାନେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି । ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ପାଉଥିବା ୮ଟି ଜିଲ୍ଲା ଯଥା ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ପାଣ୍ଠିର ବିନିଯୋଗ ଏବଂ ଚାଲିଥିବା ବୃହତ୍ ପ୍ରକଳ୍ପ ଯଥା ବନ୍ଦର, ବିମାନବନ୍ଦର, ଶିଳ୍ପାଂଚଳ ଓ ମେଡିକାଲ କଲେଜର ଅଗ୍ରଗତି ତଦାରଖ କରିବେ । ଗସ୍ତ ଶେଷ କରି ଭୁବନେଶ୍ୱର ଫେରିବା ପୂର୍ବରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଆଇଏଏସ୍ ଅଫିସର ଓ କନିଷ୍ଠ ଅଫିସରମାନଙ୍କ ସହ ମିଶି ଏକ ସମୀକ୍ଷା ବୈଠକ କରିବେ ।
କେଉଁ ଆଇଏଏସଙ୍କୁ କେଉଁ ଜିଲ୍ଲା, ଦେଖନ୍ତୁ...
ଚଳିତ ଜାନୁୟାରୀ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋଟ ୩୦ଜଣ ସଚିବ ଓ ନିର୍ଦ୍ଦେଶକ ପାହ୍ୟାର ଆଇଏଏସ୍ ଅଫିସରଙ୍କୁ ଜିଲ୍ଲା ଆବଂଟିତ ହୋଇଛି । ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ ସମେତ ପ୍ରମୁଖ ସଚିବ ପାହ୍ୟାର ଅରବିନ୍ଦ ପାଢ଼ୀ ଓ ଶାଶ୍ୱତ ମିଶ୍ରଙ୍କୁ ଏହି ଜିଲ୍ଲା ଗସ୍ତରୁ ବାଦ୍ ଦିଆଯାଇଛି ।
ତେବେ ଶକ୍ତି ସଚିବ ବିଶାଳ କୁମାର ଦେବଙ୍କୁ ସମ୍ବଲପୁର ଜିଲ୍ଲା ଆବଂଟିତ ହୋଇଥିବାବେଳେ କଟକ- ଉଷା ପାଢ଼ୀ, ପୁରୀ- ସଞ୍ଜୀବ କୁମାର ମିଶ୍ର,ଜଗତସିଂହପୁର- ସଞ୍ଜୟ କୁମାର ସିଂହ. ଯାଜପୁର- ସୁରେଶ କୁମାର ବଶିଷ୍ଠ, ଅନୁଗୁଳ- ଶୁଭା ର୍ଶମା, ସୁନ୍ଦରଗଡ଼- ଏନବିଏସ. ରାଜପୁତ, ନୟାଗଡ଼- ଭାସ୍କର ଜ୍ୟୋତି ର୍ଶମା, ଢେଙ୍କାନାଳ- ଟି ଆପାଙ୍ଗ ଆଓ, ମୟୂରଭଞ୍ଜ- ଗିରିଶ ଏସ.ଏନ, ବଲାଙ୍ଗୀର- ଅଶ୍ୱତୀ ଏସ୍ , କେନ୍ଦୁଝର- ପାଟିଲ ରାଜେଶ ପ୍ରଭାକର, ଗଞ୍ଜାମ- ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ- ବଲବନ୍ତ ସିଂହ, ବାଲେଶ୍ୱର- ଭୂପେନ୍ଦ୍ର ଏସ. ପୁନିଆ, ଖୋର୍ଦ୍ଧା- ଯାମିନୀ ଷଡ଼ଙ୍ଗୀ, ସୋନପୁର- ବି. ପରମେଶ୍ୱରନ୍ , ଭଦ୍ରକ- ଗୁହା ପୁନମ ତାପସ କୁମାର; ବୌଦ୍ଧ- ବିଜୟ କେତନ ଉପାଧ୍ୟାୟ, ଦେବଗଡ଼- ପ୍ରଶାନ୍ତ କୁମାର ରେଡ୍ଡି , ରାୟଗଡା଼- ଏନ. ତିରୁମାଲା ନାଏକ, ବରଗଡ଼- ସୁଧାଂଶୁ ମୋହନ ସାମଲ, କେନ୍ଦ୍ରାପଡ଼ା- ରଶ୍ମିତା ପଣ୍ଡା, ଗଜପତି- ବୃନ୍ଦା ଡି, ନବରଙ୍ଗପୁର- ସାଦ୍ଦିକ ଆଲାମ୍ , କଳାହାଣ୍ଡି- ମାନସୀ ନିମ୍ଭାଲ, କୋରାପୁଟ- ପ୍ରେମଚନ୍ଦ୍ର ଚୌଧୁରୀ, ଝାରସୁଗୁଡ଼ା- ଅରିନ୍ଦମ ଡାକୁଆ, ନୂଆପଡ଼ା- କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ମାଲକାନଗିରି ଜିଲ୍ଲା ପାଇଁ ବିନିତ ଭରଦ୍ୱାଜଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us