Rayagada
ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ମନରେ ଥିଲା ଅସୁମାରୀ ସ୍ୱପ୍ନ। ସୁନ୍ଦର ଭବିଷ୍ୟତ ହାତ ଠାରି ଆଗକୁ ଡାକୁଥିଲା। ହେଲେ ଭାଗ୍ୟ ଯେ ଏମିତି ଦାଉ ସାଧିବ କିଏ ଜାଣିଥିଲା? ସମୟ ଯେ ଏତେ ନିର୍ଦ୍ଦୟ ହୋଇପାରେ ସନ୍ତୋଷ ଶବରଙ୍କୁ ଜଣାନଥିଲା। ଏକ ଟ୍ରେନ୍ ଦୁର୍ଘଟଣାରେ ହରାଇବସିଲେ ଦୁଇ ଗୋଡ଼। ଦଇବ ତାଙ୍କୁ ଦିବ୍ୟାଙ୍ଗ ସଜାଇଥିଲେ ମଧ୍ୟ ସେ ହାର ମାନି ନାହାନ୍ତି। ଛାତିରେ ଛାତିଏ କୋହକୁ ଜାବୁଡ଼ି ଧରି ପାଠ ପଢ଼ୁଛନ୍ତି। ହାକିମ ବାବୁ ହେବାର ସ୍ୱପ୍ନ ମଧ୍ୟ ଦେଖୁଛନ୍ତି ସନ୍ତୋଷ।
ରାୟଗଡ଼ା ଗୁଣପୁର ଅଞ୍ଜରସିଂହ ଗାଁର ସନ୍ତୋଷ ଶବର। ଭଲ ପାଠ ପଢ଼ନ୍ତି। ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ କାଶୀନଗର କଲେଜରେ ଯୁକ୍ତ ୩ ବିଜ୍ଞାନରେ ନାମ ଲେଖାଇଥିଲେ। ଘରଠାରୁ କଲେଜ ବହୁ ଦୂର ହୋଇଥିବାରୁ ସେ ଗୁଣପୁରରେ ରହୁ ପ୍ରତିଦିନ ଯିବା ଆସିବା କରୁଥିଲେ। ଦିନେ ସେ ଟ୍ରେନ୍ରେ କାଶୀନଗର ଯାଉଥିଲେ। ଆଉ ସେଠାରେ ସେ ଓହ୍ଲାଇବା ବେଳେ ଟ୍ରେନ୍ ତଳେ ପଡ଼ି ଯାଇଥିଲେ। ଟ୍ରେନ୍ଟି ତାଙ୍କ ଦୁଇ ଗୋଡ଼ ଉପରେ ଚଢ଼ି ଯାଇଥିଲା। ସୌଭାଗ୍ୟ ବଶତଃ ତାଙ୍କର ଜୀବନ ସିନା ବଞ୍ଚି ଯାଇଥିଲା, ହେଲେ ହରାଇବାକୁ ପଡ଼ିଥିଲା ଦୁଇ ଗୋଡ଼। ଏହାପରଠାରୁ ସନ୍ତୋଷଙ୍କ ମୁହଁରୁ ହସ ଶୁଖି ଯାଇଛି। ଯେଉଁ ପାଦରେ ଦିନେ ଚାଲି ଚାଲି କଲେଜ ଯାଉଥିଲେ, ଆଜି ସିଏ ଆଉ କାହାର ଆଶ୍ରା ସାଜିଛନ୍ତି। ଅନ୍ୟ କାହାର ବିନା ସାହାଯ୍ୟରେ ଚାଲି ପାରୁ ନାହାନ୍ତି। ଏହା ପରେ ମଧ୍ୟ ସେ କେବେ ଭାଙ୍ଗି ପଡ଼ି ନାହାନ୍ତି। ଗତବର୍ଷ ସିନା ପରୀକ୍ଷା ଦେଇପାରିଲେ ନାହିଁ। ଏଥର କିନ୍ତୁ ସେ ଯୁକ୍ତ ୩ର ଶେଷ ବର୍ଷର ପରୀକ୍ଷା ଦେବେ। ପ୍ରଶାସନ ପକ୍ଷରୁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ଏକ ତିନି ଚକିଆ ଗାଡି ଯୋଗାଇ ଦିଆଯାଇଛି। ସେଇଥିରେ ସେ ଯିବାଆସିବା କରୁଛନ୍ତି।
ଏ ସମ୍ପର୍କରେ ସନ୍ତୋଷ କହିଛନ୍ତି-“କୃତ୍ରିମ ଅଙ୍ଗ ଦିଆଗଲେ ମୁଁ ପୂର୍ବ ପରି ଚାଲି ପାରିବି। ଆଉ ଅଧିକ ପାଠ ପଢ଼ିପାରିବି। ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/Rayagada.jpg)