ମାତିଲେ କାଳିସୀ! ଦୋ’ ଛକିରେ ପୁଲିସ

ନୂଆପଡ଼ା (ମାୟାଧର ସରାଫ): ଗୁଣି-ଗାରେଡ଼ି ଯୋଗୁ ଗାଁରେ ‘କାଳିସୀ’ ମାତିଛି! ଆଉ ଏହାକୁ ନେଇ ଆରମ୍ଭ ହୋଇଥିବା ଆରୋପ ଓ ପ୍ରତ୍ୟାରୋପ ଭିତରେ ଫସିଯାଇଛି ପୁଲିସ୍‌। କେଉଁକାରଣରୁ ଗାଁରେ ‘କାଳିସୀ’ ମାତୁଛି? ତାହା ପୁଲିସ ଜାଣିପାରୁ ନାହିଁ। ସେଥିପାଇଁ ବିଶେଷ କିଛି ଚିନ୍ତା ନକରି ‘କାଳିସୀ’ ଲାଗିଥିବା ଯୁବତୀ ଓ ବୋହୂମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଦୁଇ ପକ୍ଷରୁ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ମାତ୍ର ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ନୂଆପଡ଼ା […]

nuapada1

Manoranjan Sial
  • Published: Tuesday, 10 September 2019
  • , Updated: 10 September 2019, 09:40 PM IST

ନୂଆପଡ଼ା (ମାୟାଧର ସରାଫ): ଗୁଣି-ଗାରେଡ଼ି ଯୋଗୁ ଗାଁରେ ‘କାଳିସୀ’ ମାତିଛି! ଆଉ ଏହାକୁ ନେଇ ଆରମ୍ଭ ହୋଇଥିବା ଆରୋପ ଓ ପ୍ରତ୍ୟାରୋପ ଭିତରେ ଫସିଯାଇଛି ପୁଲିସ୍‌। କେଉଁକାରଣରୁ ଗାଁରେ ‘କାଳିସୀ’ ମାତୁଛି? ତାହା ପୁଲିସ ଜାଣିପାରୁ ନାହିଁ। ସେଥିପାଇଁ ବିଶେଷ କିଛି ଚିନ୍ତା ନକରି ‘କାଳିସୀ’ ଲାଗିଥିବା ଯୁବତୀ ଓ ବୋହୂମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଦୁଇ ପକ୍ଷରୁ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ମାତ୍ର ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।

ନୂଆପଡ଼ା ଖଡ଼ିଆଳ ନିକଟ ସାନଦୋହେଲ୍ ଗାଁ। ଗତ ୨ ମାସଧରି ଏହି ଗାଁର ନାବାଳିକା, ଯୁବତୀ ଓ ବୋହୂଙ୍କୁ ‘କାଳିସୀ’ ଲାଗୁଛି। ସମୟ ସମୟରେ ଏମାନଙ୍କ ପାଖରେ ଦେଖିବାକୁ ମିଳୁଛି ଅସ୍ୱାଭାବିକ ଲକ୍ଷଣ। କେତେବେଳେ ମୁକୁଳା କେଶ କରି ଚିତ୍କାର କରୁଛନ୍ତି ତ ଆଉ କେତେବେଳେ ମୁଣ୍ଡ ହଲାଇ କାନ୍ଦୁଛନ୍ତି। ‘କାଳିସୀ’ ଲାଗିବା ପରେ ନାବାଳିକା, ଯୁବତୀ ଓ ବୋହୂମାନେ ଚିତ୍କାର କରି ଗୁରୁଣ୍ଡି ଗୁରୁଣ୍ଡି ଘରୁ ବାହାରି ଆସୁଛନ୍ତି। ସେମାନେ ଗାଁର ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ଘର ପାଖରେ ଅଟକି ଯାଇ ମୁଣ୍ଡ ହଲାଇ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଏହା ଅତ୍ୟନ୍ତ ହୃଦୟବିଦାରକ ଘଟଣା। ଯାହା ଆଜିର ସଭ୍ୟ ଓ ଶିକ୍ଷିତ ମଣିଷଙ୍କୁ ଦୋ’ ଛକିରେ ଛିଡ଼ା କରିଥିବା ବେଳେ ଗୁଣି-ଗାରେଡି ଯୋଗୁ ଏପରି ହେଉଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି।

ଗତ ଶୁକ୍ରବାର ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଖଡ଼ିଆଳ ଥାନାରେ ଗାଁର ଶତାଧିକ ଲୋକ ଅଭିଯୋଗ କରିଛନ୍ତି। ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରି ଥାନା ଘେରାଉ କରିଛନ୍ତି। ଏପରି କ୍ଷେତ୍ରରେ ପୁଲିସ କାହା ବିରୋଧରେ ମାମଲା ରୁଜୁ କରିବ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ପରେ କେବଳ ଏତଲା ରଖି ବୁଝାଇ ସୁଝାଇ ଗାଁ ଲୋକଙ୍କୁ ଫେରାଇ ଦେଇଥିଲା।

ତା’ପର ଦିନ ଗାଁ ଲୋକେ ସନ୍ଦେହ କରୁଥିବା ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଗୁଣି-ଗାରେଡି ସନ୍ଦେହରେ ଗାଁ ଲୋକେ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଦର୍ଶାଇଥିଲେ। ପୁଲିସ ଉଭୟ ପକ୍ଷରୁ ମୋଟ୍‌ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ‘କାଳିସୀ’ ଲାଗିଥିବା ନାବାଳିକା, ଯୁବତୀ ଓ ବୋହୂମାନଙ୍କୁ ନୂଆପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଛି ପୁଲିସ। ଡାକ୍ତର ଚିକିତ୍ସା କରିବା ପରେ କହିଛନ୍ତି, ଏହା ଏକ ମାନସିକ ରୋଗର ଲକ୍ଷଣ।

ଡାକ୍ତର ଦୀନବନ୍ଧୁ ମହାନନ୍ଦ କହିଛନ୍ତି-“ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରକୁ ମେଡିକାଲ୍‌ ସାଇନ୍ସ ବିଶ୍ୱାସ କରେନାହିଁ। ଏହା ମାନସିକ ରୋଗର ଲକ୍ଷଣ।”

କାହିଁକି ଓ କେଉଁ ପରିସ୍ଥିତିରେ ଏକାଧିକ ଯୁବତୀ ଓ ମହିଳା ଏଭଳି ଅସ୍ୱାଭାବିକ ରୋଗର ଶିକାର ହୋଇଛନ୍ତି? ତାକୁ କିପରି ନିରାକରଣ କରାଯାଇପାରିବ? ତା’ ଉପରେ ଫୋକସ୍‌ କରିବା ନିତାନ୍ତ ଜରୁରୀ।

Related story