ରାଜଧାନୀରେ ଡବଲ୍‌ ମର୍ଡର; ଘର ଭିତରେ ପଡ଼ିଛି ମାଆ, ପୁଅଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡବଲ୍‌ ମର୍ଡର ହୋଇଛି। ଘର ଭିତରେ ପଡ଼ିଛି ମାଆ ଓ ତା’ ୧୦ ବର୍ଷ ପୁଅର ମୃତଦେହ। ସେମାନଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଆ ଓ ପୁଅଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡ଼ି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତମାଣ୍ଡୋ ଥାନା କଳିଙ୍ଗ ନଗର ଅଞ୍ଚଳରେ ରୁହନ୍ତି ସ୍ୱର୍ଣ୍ଣଲତା, ତାଙ୍କ ସ୍ୱାମୀ ଓ ୧୦ ବର୍ଷର ପୁଅ। ଆଜି କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ଖୋଲି ନଥିଲା। ଅପରାହ୍ନରେ ଘର ଭିତରେ ସ୍ୱର୍ଣ୍ଣଲତା ଓ ତାଙ୍କ ପୁଅଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ତମାଣ୍ଡୋ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ସେହି  ସମୟରେ ଘରେ ସ୍ୱର୍ଣ୍ଣଲତାଙ୍କ ସ୍ୱାମୀ ନଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।