ଏମାନେ କ’ଣ ସତରେ ଏତେ ଦକ୍ଷ ଆଇଏଏସ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏବେ ଆଇଏଏସ ମରୁଡ଼ି ନା ଦକ୍ଷ ଆଇଏଏସ ଅଫିସରଙ୍କ ମରୁଡ଼ି ତାହା ନିର୍ବାଚନୀ ବର୍ଷରେ ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତଗଣତି ଅଣଓଡ଼ିଆ ଆଇଏଏସ ଅଫିସରଙ୍କ ଉପରେ ଏବେ ରାଜ୍ୟ ପ୍ରଶାସନ ନିର୍ଭର କରୁଛି, ଯଦିଓ ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଆଇଏଏସ ଅଛନ୍ତି। କିନ୍ତୁ ତୃତୀୟ ମହଲାର ଚାପରେ କିଛି ଆଇଏଏସଙ୍କ ଉପରେ ହିଁ ସବୁତକ ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଉଛି। ଯାହାକୁ ନେଇ ରାଜ୍ୟରେ କାର୍ଯ୍ୟରତ […]

FINAL CARTOON

Sampad Mahapatra
  • Published: Friday, 04 January 2019
  • , Updated: 04 January 2019, 03:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏବେ ଆଇଏଏସ ମରୁଡ଼ି ନା ଦକ୍ଷ ଆଇଏଏସ ଅଫିସରଙ୍କ ମରୁଡ଼ି ତାହା ନିର୍ବାଚନୀ ବର୍ଷରେ ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତଗଣତି ଅଣଓଡ଼ିଆ ଆଇଏଏସ ଅଫିସରଙ୍କ ଉପରେ ଏବେ ରାଜ୍ୟ ପ୍ରଶାସନ ନିର୍ଭର କରୁଛି, ଯଦିଓ ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଆଇଏଏସ ଅଛନ୍ତି। କିନ୍ତୁ ତୃତୀୟ ମହଲାର ଚାପରେ କିଛି ଆଇଏଏସଙ୍କ ଉପରେ ହିଁ ସବୁତକ ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଉଛି। ଯାହାକୁ ନେଇ ରାଜ୍ୟରେ କାର୍ଯ୍ୟରତ ଅନ୍ୟ ଆଇଏଏସ ଅଫିସରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ,ରାଜ୍ୟର ହାତଗଣତି କମିଶନର ପାହ୍ୟାର ଅଫିସରଙ୍କ ଉପରେ ଏବେ ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି। ଆଉ ଏମାନେ ସମସ୍ତେ ହିଁ ଅଣଓଡ଼ିଆ ଅଫିସର। ୨୦୦୨ ବ୍ୟାଚ୍ ଆଇଏଏସ କ୍ରିଷନ୍ କୁମାରଙ୍କୁ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହେବାପରେ ତୃତୀୟ ମହଲା ଦ୍ୱାରା ଆଇଏଏସ ଅଫିସରଙ୍କ ମଧ୍ୟରେ ଏଭଳି ପାତରଅନ୍ତର ନୀତି ପଦାରେ ପଡ଼ିଛି। କ୍ରିଷନ୍ କୁମାରଙ୍କୁ ଗତ ମାସରେ ବିଏମସି କମିଶନର ପଦରୁ ହଟାଇ ସମବାୟ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ସେ ଅତିରିକ୍ତ ଦାୟିତ୍ୱ ଭାବେ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କୁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇ ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ‘କାଳିଆ’ ଯୋଜନାର ତଦାରଖ ଦାୟିତ୍ୱ ଦିଆଯାଇଛି। ବିଡିଏ ଉପାଧ୍ୟକ୍ଷ ଓ ସ୍ମାର୍ଟସିଟି ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ପାଖରେ ରଖିବା ପଛରେ କ’ଣ ଅନ୍ତର୍ନିହିତ ଉଦ୍ଦେଶ୍ୟ ରହିଛି ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହିଁ ଜଣା।

ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ ହେମନ୍ତ ଶର୍ମା ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଭାବେ ଦୁହାଁଳିଆ ସରକାରୀ ଉଦ୍ୟୋଗ ଗ୍ରୀଡକୋ ଓ ଓପିଟିସିଏଲର ସିଏମଡି ଦାୟିତ୍ୱ ତୁଲାଉଛନ୍ତି।

ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ ବିଶାଳ ଦେବ ଏବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଥିବାବେଳେ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ସଚିବ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ଦୁହାଁଳିଆ ସରକାରୀ ଉଦ୍ୟୋଗ ଓଡ଼ିଶା ଜଳ ବିଦ୍ୟୁତ ନିଗମର ସିଏମଡି ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି।

୧୯୯୭ ବ୍ୟାଚ ଆଇଏଏସ ସଞ୍ଜୟ ସିଂହ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଥିବାବେଳେ ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ୱ ବୁଝୁଛନ୍ତି। ତା’ସହିତ ଦୁହାଁଳିଆ ଇଡକୋର ସିଏମଡି ଭାବେ ବି ସେ କାର୍ଯ୍ୟ କରୁଛନ୍ତି।

୨୦୦୫ ମସିହା ଆଇଏଏସ ଆର.ଭିନିଲକ୍ରିଷ୍ଣା ଏବେ କ୍ରୀଡ଼ା ଓ ଯୁବବ୍ୟାପାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବାବେଳେ ଭୁବନେଶ୍ୱର ସ୍ମାର୍ଟସିଟି ସିଇଓ ଏବଂ ଦୁହାଁଳିଆ ଓଡ଼ିଶା ଖଣି ନିଗମର ନିର୍ଦ୍ଦେଶକ ଦାୟିତ୍ୱକୁ ଅତିରିକ୍ତ ଭାବେ ତୁଲାଉଛନ୍ତି ।

ସେହିପରି ୧୯୯୪ ବ୍ୟାଚ୍ ଆଇଏଏସ ଜି.ମାଥିଭାଥାନନ୍ ଏବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଦାୟିତ୍ୱ ସହ ପେନସନ ପ୍ରଶାସନ ବିଭାଗର ସଚିବ ଏବଂ ଦୁହାଁଳିଆ ସରକାରୀ ଉଦ୍ୟୋଗ ଇପିକଲର ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପାଖରେ ଏତେ ପରିମାଣର ଯୁବ ଓ ଦକ୍ଷ ଆଇଏଏସ ଅଫିସର ଥିବାବେଳେ କେବଳ ଏହି ହାତଗଣତି ଅଣଓଡ଼ିଆ ଅଫିସରମାନଙ୍କ ପାଖରେ ଦୁହାଁଳିଆ ବିଭାଗ ଓ ଉଦ୍ୟୋଗକୁ ଅତିରିକ୍ତ ଦାୟିତ୍ୱ ଭାବେ ଟେକି ଦେଇ ରାଜ୍ୟର କେଉଁ ସ୍ୱାର୍ଥକୁ ପୂରଣ କରାଯାଉଛି ?

ଭୁବନେଶ୍ୱରରେ ହକି ବିଶ୍ୱକପରେ ମାତ୍ର ୮୬.୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗଣମାଧ୍ୟମକୁ ବୟାନ ଦେଇଥିବା କ୍ରୀଡ଼ା ସଚିବ ବିଶାଳ ଦେବ ଏବେ ସୂଚନା ଅଧିକାର ଆଇନକୁ ଫାଙ୍କି ଦେଇଛନ୍ତି। ହକି ବିଶ୍ୱକପ୍ ସମ୍ପର୍କିତ ଖର୍ଚ୍ଚକୁ ସାର୍ବଜନୀନ କରିବାକୁ ପଛଘୁଞ୍ଚା ଦେଇଛନ୍ତି। ତେଣୁ ଏହି ଅଫିସରଙ୍କ ସରକାରୀ ପାଣ୍ଠି ଖର୍ଚ୍ଚ କରିବାର ବିଶ୍ୱସନୀୟତା ଉପରେ ଯେକେହି ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ୱାଭାବିକ।

ସୂଚନଯୋଗ୍ୟ, ରାଜ୍ୟରେ ମୋଟ ୨୩୭ଟି ଅନୁମୋଦିତ ଆଇଏଏସ ପଦବୀ ଥିବାବେଳେ ଏଥିରୁ ୧୬୫ଟି ପ୍ରତ୍ୟକ୍ଷ ଓ ୭୨ଟି ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ। ମୋଟ ଆଇଏଏସ ପଦବୀ ମଧ୍ୟରୁ ଏବେ ୫୫ଟି ପଦବୀ ଖାଲି ପଡ଼ିଥିବାବେଳେ ୨୪ଜଣ ଆଇଏଏସ କେନ୍ଦ୍ରୀୟ ଡେପୁଟେସନ ଓ ପ୍ରଶିକ୍ଷଣରେ ଅଛନ୍ତି।

Related story