Advertisment

Traffic rule violations: ନିୟମ ମାନିଲେନି, ଅଟକାଇବାରୁ ଧକ୍କା ଦେଲେ

ଟ୍ରାଫିକ୍ ନିୟମ ଭାଙ୍ଗିଲେ, ନୋ ଏଣ୍ଟ୍ରି ରୁଟରେ ଗାଡ଼ି ନେଲେ। ଅଟକାଇବାରୁ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ଼ଙ୍କୁ ଧକ୍କା ଦେଲେ। ବୁଧବାର କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର ବାଟା ଛକରେ ଦେଖିବାକୁ ମିଳିଥିଲା ଏହି ଘଟଣା।

author-image
Jitendra Garnayak
Car Accident

ଟ୍ରାଫିକ୍ ନିୟମ (Traffic Rules) ଭାଙ୍ଗିଲେ, ନୋ ଏଣ୍ଟ୍ରି ରୁଟରେ ଗାଡ଼ି ନେଲେ। ଅଟକାଇବାରୁ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ଼ଙ୍କୁ ଧକ୍କା ଦେଲେ। ବୁଧବାର କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର ବାଟା ଛକରେ ଦେଖିବାକୁ ମିଳିଥିଲା ଏହି ଘଟଣା। 

Advertisment

OD 33 AU 9658 ନମ୍ବର ବିଶିଷ୍ଟ ଏକ କାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ନୋ-ଏଣ୍ଟ୍ରି ରୁଟରେ ଯିବାକୁ ଚେଷ୍ଟା କରିଥିଲା। ଫଳରେ ସେଠାରେ ଟ୍ରାଫିକ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ଼ ଅଶୋକ ବେହୁରିଆ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍ ଡ୍ରାଇଭର ତାଙ୍କୁ ଗାଳି ଗୁଲଜ ଓ ଧମକଚମକ ଦେଇ ଜୋର୍ ଜବରଦସ୍ତ ନୋ-ଏଣ୍ଟ୍ରି ରୁଟରେ ଗାଡ଼ି ପୂରାଇଥିଲେ। ଫଳରେ ସେ ସେହି ରୁଟରରାମା ପେଟ୍ରୋଲ ପମ୍ପ୍ ନିକଟରେ ଡ୍ୟୁଟିରେ ଥିବା ତାଙ୍କ ସହଯୋଗୀ ସିକ୍ୟୁରିଟି ଗାର୍ଡ଼ ଦୀପକ କୁମାର ଲାଲଙ୍କୁ ଫୋନ୍ କରି ଗାଡ଼ି ନମ୍ବର ଦେଇଥିଲେ। ଦୀପକ ଯେତେବେଳେ ଦେଖିଲେ ସେହି କାର ଆସୁଛି, ସେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି ସମୟରେ ଘଟିଲା ଏମିତି ଏକ ଘଟଣା, ଯାହା ସେ କେବେ ଭାବି ନଥିଲେ।

କାର୍ ଚାଳକ ଜାଣିଶୁଣି ଗାଡ଼ିଟିକୁ ଦ୍ୱିତୀୟ ସିକ୍ୟୁରିଟି ଗାର୍ଡ ଦୀପକ ଲାଲଙ୍କ ଆଡ଼କୁ ବୁଲାଇ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ କିଛି ଦୂରରେ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କ ଡାହାଣ ହାତ ଓ ଗୋଡ଼ ସହିତ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।

Advertisment

ଦୀପକଙ୍କୁ ଧକ୍କା ଦେବାପରେ କାରଟି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ସ୍ଥାନୀୟ ଲୋକେ କାରକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ଏ ପୂରା ଘଟଣା ସେଠି ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା। 

ଅନୁସନ୍ଧାନ ପରେ ଅଭିଯୁକ୍ତ କାର୍ ମାଲିକ ତଥା ଚାଳକ ବଡ଼ବିଲ ପୌରାଞ୍ଚଳ ୫ ନମ୍ବର ୱାର୍ଡ଼ ହସ୍ପିଟାଲ୍ ଛକ ଅଞ୍ଚଳର ବିକି ଗୁପ୍ତା ଓରଫ୍ ଡିମ୍ବାକୁ ଗିରଫ କରିବା ସହ କାରକୁ ଜବତ୍ କରିଛି ବଡ଼ବିଲ ପୁଲିସ୍। ଡିମ୍ବାଙ୍କ ନାଁରେ ଆଗରୁ ମଧ୍ୟ କିଛି ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଗିରଫ ପରେ ଅଭିଯୁକ୍ତ ଡିମ୍ବାକୁ କୋର୍ଟ ଚାଲାଣ କରାଯାଇଛି।

ଚମ୍ପୁଆରୁ ସଂଜୀବ ମୁଣ୍ଡାଙ୍କ ରିପୋର୍ଟ 

Traffic rules