Advertisment

Heart Attack: ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦଘାତ; ନିଜେ ଚାଲିଗଲେ, ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ

ଗତକାଲି ରାତି ୧୦ଟା ୧୫ ମିନିଟ୍‌ ଆନ୍ଧ୍ର ପ୍ରଦେଶର ବିଜୟନଗରମରୁ ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା OSRTCର ଏକ ବସ୍‌। ଏହି ବସ୍‌ ଚଲାଉଥିଲେ ପି. ସାଇକୃଷ୍ଣ।

author-image
Jitendra Garnayak
Heart Attack

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦଘାତ। ନିଜେ ଆରପାରିକୁ ଚାଲିଗଲେ, କିନ୍ତୁ ବଞ୍ଚାଇ ଦେଲେ ୨୫ ଜଣ ଯାତ୍ରୀଙ୍କ ଜୀବନ। କୋରାପୁଟରେ ଘଟିଛି ଏହି ଘଟଣା।

Advertisment

ମୃତ ବସ୍‌ ଡ୍ରାଇଭରଙ୍କ ନାଁ ପି. ସାଇକୃଷ୍ଣ। ତାଙ୍କ ଘର ମାଲକାନଗିରିରେ। ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ବସ୍‌ରେ ଡ୍ରାଇଭର ଥିଲେ। 

ଗତକାଲି ରାତି ୧୦ଟା ୧୫ ମିନିଟ୍‌ ଆନ୍ଧ୍ର ପ୍ରଦେଶର ବିଜୟନଗରମରୁ ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା OSRTCର ଏକ ବସ୍‌। ଏହି ବସ୍‌ ଚଲାଉଥିଲେ ପି. ସାଇକୃଷ୍ଣ। ବିଜୟନଗରମରୁ ସାଲୁର ଓ ସୁଙ୍କି ଘାଟି ଦେଇ ବସ୍‌ ରାତି ପ୍ରାୟ ୨ଟା ବେଳକୁ କୋରାପୁଟ ଜିଲ୍ଲାର କୁନ୍ଦୁଲି ନିକଟରେ ପହଞ୍ଚିଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସାଇକୃଷ୍ଣ। ଏହା ପରେ ସେ ବସ୍‌କୁ ରାସ୍ତାକଡ଼ରେ ରଖି ଦେଇଥିଲେ ଓ ଶୋଇଥିବା ଅତିରିକ୍ତ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାୟଙ୍କୁ ଉଠାଇଥିଲେ। 

Advertisment

ପୂର୍ଣ୍ଣଚନ୍ଦ୍ର କହିଛନ୍ତି, କୁନ୍ଦୁଲିରୁ ମୁଁ ବସ୍‌ ଚଲାଇଥିଲି। ପି. ସାଇକୃଷ୍ଣ ରେଷ୍ଟ ନେଇଥିଲେ। କିନ୍ତୁ ବସ୍‌ ଡୁମୁରିପୁଟରେ ପହଞ୍ଚିବା ପରେ ପି. ସାଇକୃଷ୍ଣ କହିଥିଲେ ଯେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେଉଛି ଓ ନିଃଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଛି। ଏହା ସହିତ ତାଙ୍କୁ ଡାକ୍ତରଖାନା ନେଇଯିବାକୁ ସେ କହିଥିଲେ। ଏହା ପରେ କଣ୍ଡକ୍ଟର ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ସୁନାବେଡ଼ାରେ ଥିବାରୁ ଆସିଲା ବେଳକୁ ଡେରି ହେବ କହିବାରୁ ମୁଁ ବସ୍‌କୁ ସ୍ପୀଡ୍‌ରେ କୋରାପୁଟ ନେଇ ଆସିଥିଲି। କୋରାପୁଟ ବସ୍‌ଷ୍ଟାଣ୍ଡରୁ କଣ୍ଡକ୍ଟର ଏକ ଅଟୋରେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ୪୦/୪୫ ମିନିଟ୍ ପରେ ଆମେ ଖବର ପାଇଲୁ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି।

ବସ୍‌ର କଣ୍ଡକ୍ଟର ବାଲାଜୀ ନାୟକ କହିଛନ୍ତି, ଡାକ୍ତରଖାନାରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତା’ପରେ ତାଙ୍କୁ ଆଡ୍‌ମିଟ୍ କରିବାକୁ ଷ୍ଟ୍ରେଚରରେ ୱାର୍ଡକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। 

ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପି.ସାଇକ୍ରିଷ୍ଣାଙ୍କ ମରଶରୀର ମାଲକାନଗିରି ସଦର ମହକୁମା ବାସଭବନରେ ପହଞ୍ଚିଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।  

ସୂଚନାଯୋଗ୍ୟ, ୪ ଦିନ ତଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ରୋଗୀଙ୍କୁ ଦେଖୁଥିବା ବେଳେ ଡାକ୍ତର ତ୍ରିନାଥ ପାଲଙ୍କୁ ହୃଦଘାତ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।